Thursday , September 29 2022
Home / ରାଜନୀତି / ଓଡ଼ିଶାରେ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ଓ ଜାତି ଜନଗଣନା ଦାବି

ଓଡ଼ିଶାରେ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ଓ ଜାତି ଜନଗଣନା ଦାବି

ଭୁବନେଶ୍ୱର,୦୭/୦୮/୨୦୨୨(ଓଡ଼ିଶା ସମାଚାର)- ୩୨ତମ ସାମାଜିକ ନ୍ୟାୟ ଦିବସ – ୭ ଅଗଷ୍ଟ ଦିନ ସମଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପାଳନ କରାଯାଇ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଏକ ଦୁଇ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାରେ ତୁରନ୍ତ ଜାତି ଜନଗଣନା କରିବା ଓ ନିଯୁକ୍ତି ଓ ନାମଲେଖା କ୍ଷେତ୍ରରେ ଓବିସି ପିଲାମାନଙ୍କୁ ୨୭ ଭାଗ ସ୍ଥାନ ସଂରକ୍ଷଣ ଦେବାପାଇଁ ଏହି ସମାରୋହରେ ଦାବି କରାଯାଇଛି । ଏଠାରେ ଉଲ୍ଲେଖଥାଉକି, ୧୯୯୦ ମସିହା ଅଗଷ୍ଟ ୭ ତାରିଖ ଦିନ କେନ୍ଦ୍ର ସରକାର ‘ମଣ୍ଡଳ କମିଶନ ରିପୋର୍ଟ’ ପଛୁଆବର୍ଗଙ୍କ ପାଇଁ କେନ୍ଦ୍ରୀୟ ସରକାରୀ ଚାକିରୀରେ ୨୭ଭାଗ ସ୍ଥାନ ସଂରକ୍ଷଣ ପ୍ରଦାନ କରିଥିଲେ । ଏହାର ୧୫ ବର୍ଷ ପରେ ୨୦୦୫-୦୬ ଶିକ୍ଷାବର୍ଷଠାରୁ ଆଇଆଇଟି ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ପଛୁଆବର୍ଗ ପିଲାମାନଙ୍କ ପାଇଁ ନାମ ଲେଖା କ୍ଷେତ୍ରରେ ୨୭ଭାଗ ସ୍ଥାନ ସଂରକ୍ଷଣ ନିଶ୍ଚିତ କରାଯାଇଥିଲା । କିନ୍ତୁ ଦୁଃଖର କଥା, ଏହି ରିପୋର୍ଟ କାର୍ଯ୍ୟକାରୀ ହେବାର ୩୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ଓଡ଼ିଶା ସରକାର ରାଜ୍ୟର ୫୪ ଭାଗ ପଛୁଆବର୍ଗଙ୍କ ପାଇଁ ନିଯୁକ୍ତି କ୍ଷେତ୍ରରେ ୨୭ ଭାଗ ସ୍ଥାନ ସଂରକ୍ଷଣ ନିଶ୍ଚିତ କରିପାରିନାହାନ୍ତି । ଆଜିର ଦିନରେ ଏହି ବର୍ଗଙ୍କୁ ଓଡ଼ିଶାର ସରକାରୀ ଚାକିରୀ କ୍ଷେତ୍ରରେ ୧୧.୨୫% ସଂରକ୍ଷଣ ଦିଆଯାଉଅଛି । ଫଳରେ ରାଜ୍ୟର ପଛୁଆବର୍ଗ ପ୍ରତିବର୍ଷ ହଜାର ହଜାର ଚାକିରୀ ହରାଉଛନ୍ତି । ଉଦାହରଣସ୍ୱରୂପ କୁହାଯାଇପାରେ ଯେ, ଗତ ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ବସି ରାଜ୍ୟରେ ଖାଲି ପଡ଼ିଥିବା ୨ ଲକ୍ଷ ୨୬ ହଜାର ୫୫୯ ପଦବୀକୁ ପର୍ଯ୍ୟାୟକ୍ରମେ ପୁରଣ କରାଯିବ । ଓବିସିଙ୍କ ପାଇଁ ୨୭ ଭାଗ ସଂରକ୍ଷଣ ଦିଆଯାଇଥିଲେ ଏହି ବର୍ଗର ୬୧ ହଜାର ୧୭୦ଜଣ ପିଲା ଚାକିରୀ ପାଇଥାଆନ୍ତେ । କିନ୍ତୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ଦିଆଯାଉଥିବା ଯୋଗୁଁ ଏହି ବର୍ଗ ମାତ୍ର ୨୫ ହଜାର ପିଲା ନିଯୁକ୍ତି ସୁଯୋଗ ପାଇପାରିବେ । ଫଳରେ ରାଜ୍ୟର ପଛୁଆବର୍ଗର ବେକାର ଯୁବକ ଯୁବତୀମାନେ ୩୫ ହଜାର ଚାକିରୀ ହରାଇବାକୁ ଯାଉଛନ୍ତି । ସେହିଭଳି ନାମଲେଖା କ୍ଷେତ୍ରରେ ଆଇ.ଆଇ.ଟି. ଓ ଦିଲ୍ଲୀ, ଜେ.ଏନ୍.ୟୁ ଭଳି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଛୁଆବର୍ଗ ପିଲାମାନଙ୍କୁ ୨୭ ଭାଗ ସ୍ଥାନ ସଂରକ୍ଷଣ ୨୦୦୫-୦୬ ଶିକ୍ଷାବର୍ଷ ଠାରୁ ଦିଆଯାଉଅଛି । କିନ୍ତୁ ଆମ ରାଜ୍ୟର ମେଡିକାଲ୍, ଇଂଜିନିୟରିଂ ସମେତ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ପଛୁଆବର୍ଗ ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖା କ୍ଷେତ୍ରରେ ଆଦୌ ସଂରକ୍ଷଣ ଦିଆଯାଉନାହିଁ । ଫଳରେ ଦୀର୍ଘ ୧୭ ବର୍ଷ ହେଲାଣି ରାଜ୍ୟର ପଛୁଆବର୍ଗର ଛାତ୍ରଛାତ୍ରୀମାନେ ବର୍ଷକୁ ହାରାହାରି ୪୭୨ଟି ମେଡିକାଲ୍ ସିଟ୍ ହରାଇବା ସେଙ୍ଗ ସେଙ୍ଗ ପାଖାପାଖି ପ୍ରତିବର୍ଷ ଇଂଜିନିୟରିଂ ନାମଲେଖା କ୍ଷେତ୍ରରେ ୧୯ ହଜାର ସିଟ୍ ହରାଉଛନ୍ତି । ରାଜ୍ୟରେ ଜାତି ଜନଗଣନା ନ ହେବା ଫଳରେ ବିଗତ ତି୍ରସ୍ତରୀୟ ପଂଚାୟତ ନିର୍ବାଚନରେ ରାଜ୍ୟର ପଛୁଆବର୍ଗର ପ୍ରାର୍ଥୀମାନେ ସଂରକ୍ଷଣ ସୁବିଧା ପାଇବାରୁ ବଂଚିତ ହେଲେ । ଫଳରେ ସେମାନେ ୯ଟି ଜିଲ୍ଲା ପରିଷଦ ସଭାପତି ପଦ ହରେଇବା ସଂଗେସଂଗେ ପାଖାପାଖି ୮୩ଟି ବ୍ଲକ ଅଧ୍ୟକ୍ଷ ପଦ ମଧ୍ୟ ହରାଇଲେ । ଓଡ଼ିଶାରେ ବାଘ ଗଣନା, ହାତୀ ଗଣନା, କୁମ୍ଭୀର ଗଣନା ଓ ଚିଲିକା ଓ ହୀରାକୁଦକୁ ଆସୁଥିବା ବିଦେଶୀ ପକ୍ଷୀମାନଙ୍କୁ ଗଣନା କରାଯାଉଥିବା ବେଳେ ରାଜ୍ୟରେ ପଛୁଆବର୍ଗ ଜନଗଣନା ନ ହେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏହି ସମାରୋହରେ ଯୋଗଦେଇ ନିଜର ମତବ୍ୟକ୍ତ କରିଛନ୍ତି । ତେଣୁ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବରେ ତଥା ବିଶ୍ୱବିଦ୍ୟାଳୟ ମାନଙ୍କର କୁଳାଧିପତି ଭାବରେ ମାନ୍ୟବର ରାଜ୍ୟପାଳ ତୁରନ୍ତ ରାଜ୍ୟରେ ୫୪ଭାଗ ଓଡ଼ିସିଙ୍କର ସାମ୍ବିଧାନିକ ଅଧିକାରକୁ ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ନିର୍ଦ୍ଧେଶ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ସେହିଭଳି ରାଜ୍ୟର ୪୦ ଭାଗ ଦଳିତ ଆଦିବାସୀ ବର୍ଗର ଛାତ୍ରଛାତ୍ରୀଙ୍କୁ ନାମଲେଖା କ୍ଷେତ୍ରରେ (୧୨+୮=୨୦%) ବଦଳରେ ସଂଖ୍ୟାନୁପାତିକ ସଂରକ୍ଷ ଦେବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଂଜୟ ନାୟକ, ପାର୍ଟିର ନେତା ବିଜୟ ବେହେରା, ଗଙ୍ଗାରାମ୍ ବନ୍ ଛୋର, ବେଣୁଧର ଗହୀର, କରୁଣାକର ହୋତା ଓ ନାରୀନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପଛୁଆବର୍ଗ ସଂରକ୍ଷଣ ଉପରେ ତୁରନ୍ତ ସରକାର ପଦକ୍ଷେପ ନେବାକୁ ଦାବି କରିଥିଳେ । ପାର୍ଟିର ଯୁବ ସଭାପତି ସୁବ୍ରତ ଲେଙ୍କା ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରଟିକୁ ସମସ୍ତଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ । ରାଜ୍ୟ ସରକାର ତୁରନ୍ତ ଜାତି ଜନଗଣନା କରିବା ଓ ପଛୁଆବର୍ଗଙ୍କୁ ନାମଲେଖା ଓ ନିଯୁକ୍ତିରେ ୨୭ ଭାଗ ସ୍ଥାନ ସଂରକ୍ଷଣ ନ ଦେଲେ ସମାଜବାଦୀ ପାର୍ଟି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ ଜନଆନ୍ଦୋଳନ କରିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.