ଭୁବନେଶ୍ୱର,୦୬/୦୮/୨୦୨୨(ଓଡ଼ିଶା ସମାଚାର)- ସଂଗ୍ରାମୀ ଯୁବ ଛାତ୍ର ସଂଗଠନ ତରଫରୁ ଯୁବ ସମାଜ ମଧ୍ୟରେ ସାମାଜିକ ମୂଲ୍ୟବୋଧ ଜାଗ୍ରତ ଉଦ୍ଧେଶ୍ୟରେ “ଦେଶ ନିର୍ମାଣରେ ଯୁବ ଛାତ୍ରଙ୍କ ଭୂମିକା” ଶୀର୍ଷକ ଏକ ଆଲୋଚନା ଚକ୍ର ସଂଗଠନର ରାଜ୍ୟ ସଂଯୋଜକ ମୀର ଅହମ୍ମଦ ଅଲ୍ଲୀଙ୍କ ସଂଯୋଜନାରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବକ୍ତାଭାବେ ଜନପି୍ରୟ ସ୍ତମ୍ଭକାର ଅମିୟ ପାଣ୍ଡବ, ସମାଜବାଦୀ ପାର୍ଟିର୍ ଓଡ଼ିଶା ଶାଖାର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ଏନ୍.ସି.ପି.ର ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ବିଶିଷ୍ଟ ଅଭିନେତା ଭିକାରୀ ସ୍ୱାଇଁ, ସମାଜସେବୀ ବିନୋଦ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ଆଜିର ଯୁବପିଢ଼ି ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସାମାଜିକ ମୂଲ୍ୟବୋଧକୁ ବଜାୟ ରଖି ନୀତି ଓ ନୈତିକତାକୁ ଆଧାର କରି ସର୍ବଦା ସମାଜବ୍ରତୀ ହେବା ଆବଶ୍ୟକ ବୋଲି ଶ୍ରୀଯୁକ୍ତ ପାଣ୍ଡବ ବକ୍ତବ୍ୟ ରଖିଥିଲେ । “ଆପେ ବଂଚିଲେ ବାପାର ନାଁ” ଋଢ଼ିଟିକୁ ଭୁଲି ସମାଜସେବାରେ ଯୁବ ଛାତ୍ର ନିଜକୁ ନିୟୋଜିତ କରନ୍ତୁ ବୋଲି ଶ୍ରୀଯୁକ୍ତ ପ୍ରଧାନ ମତବ୍ୟକ୍ତ କରିଥିଲେ । ଯୁବକ ଓ ଛାତ୍ରମାନେ ଦେଶର ଭବିଷ୍ୟତ ଓ ସେମାନେ ଦେଶରେ ବଢ଼ି ଚାଲିଥିବା ବେକାରୀ, ଦୁର୍ନୀତି ପ୍ରଭୃତି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବାକୁ ସଂଗ୍ରାମୀ ଯୁବ ଛାତ୍ର ସଂଗଠନର ରାଜ୍ୟ ସହ-ସଂଯୋଜକ ମାନସ ରଞ୍ଜନ ସାହୁ ଆହ୍ୱାନ ଦେଇଥିଲେ । ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଭାଗ୍ୟଶ୍ରୀ ମହାନ୍ତି, ବାପି ନାୟକ, ସାଗର ରଞ୍ଜନ ପରିଡ଼ା, ସଞ୍ଜୟ ପରିଡ଼ା, ସତ୍ୟବ୍ରତ ଜେନା, ନଳିନୀକାନ୍ତ ନାୟକ, ସନ୍ତୋଷ ଦାସ, ଚିତରଞ୍ଜନ, ଦୀପକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
