ରାଉରକେଲା,୨୫/୦୭/୨୦୨୨(ଓଡ଼ିଶା ସମାଚାର)-ଆସନ୍ତା ମାସ ଶେଷ ସୁଦ୍ଧା ସମ୍ପନ୍ନ ହେବ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ। ରବିବାର ରାଜ୍ୟ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ଏବଂ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ରାଜ୍ୟ ସରକାରଙ୍କ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ହକି ଷ୍ଟାଡିୟମର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପରେ ମନ୍ତ୍ରୀ ଶ୍ରୀ ବେହେରା ଗଣମାଧ୍ୟମକୁ କହିଥିଲେ ଯେ ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏଠାରେ ହେଉଥିବା ଅଭ୍ୟାସ ପାଇଁ ଆଷ୍ଟ୍ରୋଟର୍ଫ ପଡ଼ିଆର ନିର୍ମାଣ କାମ ଇତିମଧ୍ୟରେ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏହାର ଉଦଘାଟନ କରିବେ । ଏହାପରେ ଏଫଆଇଏଚର ମାନ୍ୟତା ପରେ ପ୍ରାକ୍ଟିସ ମ୍ୟାଚ୍ ନଭେମ୍ବରରେ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଅଗଷ୍ଟ ଶେଷ ସୁଦ୍ଧା ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ରାଉରକେଲା ସହରରେ ବିଭିନ୍ନ ଭିତ୍ତିଭୂମିର ବିକାଶ ସହ ସହରର ସୌନ୍ଦର୍ଯ୍ୟକରଣ କାମ ଚାଲିଛି।
ଏହିଗସ୍ତ ବେଳେ ମନ୍ତ୍ରୀଙ୍କ ସହ କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ଆର୍ ଭିନିଲ କ୍ରିଷ୍ଣା ଏବଂ ଇଡକୋ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ମଧ୍ୟ ଉପସ୍ଥିତ ଥିଲେ। ଏହି ଟିମ୍ ନିର୍ମାଣାଧୀନ ବିର୍ସା ମୁଣ୍ଡା ଫୁଟବଲ ଷ୍ଟାଡିୟମ ସହ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ବୁଲି ଦେଖିଥିଲେ। ଏହି ଟିମ୍ ମୁଖ୍ୟ ଷ୍ଟାଡିୟମ ସହ ପ୍ରବେଶ ପଥ, ଅଭ୍ୟାସ ପଡ଼ିଆ, ଦର୍ଶକ ଗ୍ୟାଲେରୀ, ଖେଳାଳି ଓ ଅଫିସିଆଲଙ୍କ ପାଇଁ ନିର୍ମାଣ କରାଯାଉଥିବା ରହଣିସ୍ଥଳ, ଚେଞ୍ଜିଙ୍ଗ ରୁମ, ଅତ୍ୟାଧୁନିକ ଜିମ୍ , ଶୌଚାଳୟ ଆଦି ଦେଖିଥିଲେ। କାର୍ଯ୍ୟ ସଠିକ ସମୟରେ ଶେଷ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ଏବଂ ସ୍ମାର୍ଟ ସିଟିର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରେ ରାରେ ରାଉରକେଲା ବିମାନବନ୍ଦର ଠାରେ ଏକ ବୈଠକରେ ସମୀକ୍ଷା କରିଥିଲେ। ଏହି ଗସ୍ତବେଳେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଯେ ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପର ଆୟୋଜନ ହେବାକୁ ଯାଉଛି। ଲଗାତର ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ମେଗା ଇଭେଣ୍ଟ ଆୟୋଜନ କରିବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହ ରାଉରକେଲା ଠାରେ ଅତ୍ୟାଧୁନିକ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୨୧ ହଜାରରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରିବା ପାଇଁ ସୁବିଧା କରାଯାଉଛି। ଓଡ଼ିଶା ସମାଚାର