Wednesday , September 28 2022
Breaking News
Home / ବିଶେଷ / ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ଆଉ କିଛି ଘଂଟା ପରେ

ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ଆଉ କିଛି ଘଂଟା ପରେ

ସମ୍ବଲପୁର,୧୮/୭/୨୦୨୨(ଓଡ଼ିଶା ସମାଚାର)- ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁ କ୍ରମାଗତ ଭାବରେ ଜଳଭଣ୍ଡାର ର ଜଳସ୍ତର ବୃଦ୍ଧି ପାଉଛି। ଆଜି ୧୮ ତାରିଖ ସକାଳ ୧୧ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଆଜି ୫ଟି ସ୍ଲୁଇସ୍ ଗେଟ୍ ଖୋଲିବ ବୋଲି ଜଣାପଡ଼ିଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏହି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୮ ହଜାର ୪୭୪ ଘନଫୁଟ ପାଣି ପ୍ରବେଶ କରୁଥିବା ବେଳେ ୨୮ ହଜାର ଘନଫୁଟ ଜଳ ନିଷ୍କାସିତ କରାଯାଉଛି। ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ କଲମାରୁ ଅନେକ ଗୁଡିଏ ଗେଟ ଖୋଲାଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ କ୍ରମାଗତ ଭାବେ ବଢ଼଼ିବାରେ ଲାଗିଛି। ଗେଟ୍ ଖୋଲିବାର ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। ୧୮ ତାରିଖ ସକାଳେ ପୂଜାର୍ଚ୍ଚନା କରାଯାଇ ପ୍ରଥମେ ୭ ନମ୍ୱର ସ୍କୁଇସ୍ ଗେଟ ଖୋଲାଯିବ। ସେହିଦିନର ଜଳପତ୍ତନ ଓ କେତେ ଜଳ ପ୍ରବେଶ କରୁଛି ତାକୁ ଦୃଷ୍ଟିରେ ରଖି ପର୍ୟ୍ୟାୟ କ୍ରମେ ୫ଟି ଗେଟ ଖୋଲାଯିବ ବୋଲି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଗେଟ୍ ଖୋଲିବା ନେଇ ମହାନଦୀ ଅବବାହିକାରେ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି କି ଏଥିଯୋଗୁ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଗେଟ ଖୋଲିବା ସମୟରେ ମହାନଦୀ ଭିତରେ ବୁଲାବୁଲି ନ କରିବା, ଗାଈଗୋରୁଙ୍କୁ ମହାନଦୀକୁ ନ ଛାଡିବା, ମାଛ ମାରିବା ପାଇଁ ନ ଯିବା ପାଇଁ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ମୁଖ୍ୟଯନ୍ତ୍ରୀ ଓ ଅବବାହିକା ପରିଚାଳକ ମହାନଦୀ ଅବବାହିକା ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.