ଭୁବନେଶ୍ୱର, ୧୭ /୦୭/୨୦୨୨(ଓଡ଼ିଶା ସମାଚାର)- ଖୁବ୍ ଶୀଘ୍ର ରାଜ୍ୟର ବିଭିନ୍ନ ପର୍ୟ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ କାମ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ଯୋଜନା ସବୁକୁ ବାସ୍ତବ ରୂପ ଦିଆଯିବ। ଧଉଳି, ଖଣ୍ଡଗିରି ଓ ଉଦୟଗିରିଠାରେ ସାମଗ୍ରିକ ପର୍ୟ୍ୟଟନ ଉନ୍ନୟନ ନିମନ୍ତେ ବିଭାଗଦ୍ୱାରା ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଉଛି। ନନ୍ଦନକାନନଠାରେ ଭିତ୍ତିଭୂମି ଉନ୍ନୟନ ନିମନ୍ତେ ଜଙ୍ଗଲ, ପରିବେବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗ ଦ୍ୱାରା ପଦକ୍ଷେପ ନିଆଯିବା ପାଇଁ ଗ୍ରହଣ ହୋଇଛି। ଧଉଳି ଶାନ୍ତିସ୍ତୁପର ମରାମତି ଓ ନବୀକରଣ କାର୍ୟ୍ୟ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କର୍ପୋରେସନ୍ (ଓବିସିସି) କରୁଛି ଓ ଏହାକୁ ୩୧ ଅଗଷ୍ଟ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଅପରପକ୍ଷେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେତୋଟି ଅଣସଂରକ୍ଷିତ କୀର୍ତ୍ତିରାଜି ଅଛି ସେ ସମ୍ପର୍କରେ ପୂର୍ଣ୍ଣାଙ୍ଗ ସର୍ଭେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ସମ୍ପନ୍ନ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ୫୪୨ଟି ଅଣସଂରକ୍ଷିତ କୀର୍ତ୍ତିରାଜିର ସଂରକ୍ଷଣ କରାଯାଇଛି। ତେବେ ରାଜ୍ୟରେ ମୋଟ ୨୧୪ଟି ପ୍ରଚୀନ କୀର୍ତ୍ତିରାଜିକୁ ରାଜ୍ୟ ସଂରକ୍ଷିତ କୀର୍ତ୍ତିରାଜି ରୂପେ ଘୋଷଣା କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟର ଅଣସଂରକ୍ଷିତ କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ତଥା ରକ୍ଷଣାବେକ୍ଷଣ ନିମନ୍ତେ ମୋଟ ୬ କୋଟି ୮ ଲକ୍ଷ ୪୯ ହଜାର ଟଙ୍କା ବ୍ୟୟବରାଦ କରାଯାଇଥିଲା। ତନ୍ମଧ୍ୟରୁ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥାଙ୍କ ଜରିଆରେ ମୋଟ୫ କୋଟି ୯୭ ଲକ୍ଷ ୪୦ ହଜାର ୭୮୨ ଟଙ୍କା ବ୍ୟୟ କରାଯାଇ ରାଜ୍ୟରେ ଚିହ୍ନଟ ହୋଇଥିବା ୧୪୮ଟି ଅଣସଂରକ୍ଷିକ୍ଷିତ କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ୟ୍ୟ କରାଯାଇଛି।
ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ଅଣସଂରକ୍ଷିତ କୀର୍ତ୍ତିରାଜିଗୁଡିକର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ବାବଦରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ସଂସ୍ଥାଙ୍କ ଦ୍ୱାରା ମୋଟ ୨୭ ଲକ୍ଷ ୯୯ ହଜାର ୭୦୬ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଉକ୍ତ ଅର୍ଥରାଶିର ବିନିଯୋଗରେ ସମ୍ପୃକ୍ତ ଜିଲ୍ଲାର ମୋଟ ୬ଟି ଅଣସଂରକ୍ଷିତ କୀର୍ତ୍ତିରାଜିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ୟ୍ୟ କରାଯାଇଛି। ଓଡ଼ିଶା ସମାଚାର