ଭୁବନେଶ୍ୱର, ୦୬/୦୭/୨୦୨୨(ଓଡ଼ିଶା ସମାଚାର)- ମହିଳା ସଶକ୍ତିକରଣ କଥା କହୁଥିବା ଏବଂ ନୂଆ ଭାରତରେ ଆଚ୍ଛାଦିନର ସ୍ୱପ୍ନ ବାଂଟୁଥିବା ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡ଼ିଏ ସରକାର ଦେଶବାସୀଙ୍କ ଉପରେ ଦିନକୁ ଦିନ ଦରଦାମ୍ ବୃଦ୍ଧିର ବୋଝ ଲଦି ଚାଲିଛନ୍ତି । କେତେବେଳେ ପେଟ୍ରୋଲ, ଡ଼ିଜେଲ୍ର ଦାମ୍ ବଢୁଛି ତ ଆଉ କେତେବେଳେ ରନ୍ଧନ ଗ୍ୟାସ୍ ଏବଂ ବାଣିଜି୍ୟକ ଗ୍ୟାସ୍ ର ଦରଦାମ୍ ବଢିବାରେ ଲାଗିଛି । କେତେବେଳେ ଅଣ୍ଡା, ମାଛ, ଦହି, କ୍ଷୀର ଉପରେ ଜିଏସଟି ମଧ୍ୟ ବଢିଚାଲିଛି । ସର୍ବୋପରି ମୋଦି ସରକାର ଆଜି ରନ୍ଧନ ଗ୍ୟାସ୍ ର ସିଲିଣ୍ଡର ପିଛା ୫୦ ଟଙ୍କା ବଢାଇଛନ୍ତି । ଫଳରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ୧୦୨୯ ଟଙ୍କାରୁ ବୃଦ୍ଧି ପାଇ ଏହା ୧୦୭୯ଟଙ୍କାରେ ପହଂଚିଛି । ମୋଦି ସରକାରଙ୍କ ଏହା ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟିର ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ କହିବା ସେଙ୍ଗ ସେଙ୍ଗ ତୁରନ୍ତ ଏହି ଗ୍ୟାସ୍ ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ।
ଯେତେବେଳେ ଡ଼ାଲି, ତେଲ, ଅଟା, ଚିନି ପ୍ରଭୃତି ନିତ୍ୟ ବ୍ୟବହାର୍ୟ୍ୟ ପଦାର୍ଥର ଦରଦାମ୍ ବଢିଛି, ପେଟ୍ରୋଲ, ଡ଼ିଜେଲ ଲିଟର ପିଛା ୧୦୦ ଟଙ୍କା ଉପରେ ଅଛି ସେହି ସମୟରେ ରନ୍ଧନ ଗ୍ୟାସ୍ ର ଦର ବୃଦ୍ଧି ନିତ୍ୟ ବ୍ୟବହାର୍ୟ୍ୟ ଜିନିଷର ଦରଦାମ ବୃଦ୍ଧିରେ ଆହୁରି ସହାୟକ ହେବ । ତେଣୁ ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଧଶାକୁ ଆଖି ଆଗରେ ରଖି ମୋଦି ସରକାର ତୁରନ୍ତ ଏହି ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ ସମାଜବାଦୀ ଓଡ଼ିଶା ରାଜ୍ୟ କମିଟି ଦାବି କରିଛି । ତା ନହେଲେ ଆଗାମୀ ଦିନରେ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ଉପରେ ଗଣଆନ୍ଦୋଳନ କରିବ ବୋଲି ଶ୍ରୀ ବେହେରା ସତର୍କ କରାଇ ଦେଇଛନ୍ତି । ଓଡ଼ିଶା ସମାଚାର
