Friday , August 12 2022
Breaking News
Home / ରାଜନୀତି / କଳିଙ୍ଗ ରେଜିମେଂଟ ପ୍ରତିଷ୍ଠା କରିବା ପାଇଁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆଣିବାକୁ ବିଧାୟକମାନଙ୍କୁ ଖୋଲା ଚିଠି ଲେଖି ଅନୁରୋଧ କଲେ ରବି ବେହେରା

କଳିଙ୍ଗ ରେଜିମେଂଟ ପ୍ରତିଷ୍ଠା କରିବା ପାଇଁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆଣିବାକୁ ବିଧାୟକମାନଙ୍କୁ ଖୋଲା ଚିଠି ଲେଖି ଅନୁରୋଧ କଲେ ରବି ବେହେରା

ଭୁବନେଶ୍ୱର, ୦୩ / ୦୭ /୨୦୨୨(ଓଡ଼ିଶା ସମାଚାର)- ରାଜ୍ୟରେ କଳିଙ୍ଗ ରେଜିମେଂଟ ପ୍ରତିଷ୍ଠା କରିବା ପାଇଁ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆଣିବାକୁ ରାଜ୍ୟର ବିଧାୟକମାନଙ୍କୁ ଖୋଲା ଚିଠି ଲେଖି ଅନୁରୋଧ କରିଛନ୍ତି ଓଡ଼ିଶା ସମାଜବାଦୀ ପାର୍ଟି ସଭାପତି ରବି ବେହେରା ।
ସମ୍ବାଦପତ୍ର ମାଧ୍ୟମରେ ବିଧାୟକ ମାନଙ୍କୁ ଖୋଲା ଚିଠି ଲେଖି ଶ୍ରୀ ବେହେରା କରିଛନ୍ତି କି ଗୋଟିଏ ରାଜନୈତିକ ଦଳର ନେତା ଭାବରେ ନୁହେଁ, ଜଣେ ଓଡ଼ିଆ ଭାବରେ ଆପଣମାନଙ୍କୁ ବିନମ୍ର ନିବେଦନ କରୁଅଛୁ । ଆପଣ ଜାଣନ୍ତି, କେନ୍ଦ୍ର ସରକାର ଗତ ଜୁନ୍ ୧୪ ତାରିଖ ଦିନ ‘ଅଗ୍ନିପଥ’ ଯୋଜନା ଆଗତ କରି ସୈନ୍ୟବାହିନୀରେ ଠିକା ନିଯୁକ୍ତି କରିବାକୁ ଯାଉଛନ୍ତି । ଏହାକୁ କେନ୍ଦ୍ର କରି ସାରା ଭାରତବର୍ଷରେ ସୈନ୍ୟବାହିୀନରେ ଯୋଗଦେବାକୁ ଆଶାୟୀ ଯୁବକ ଯୁବତୀମାନେ ପ୍ରତିବାଦକୁ ଶାଣିତ କରିଛନ୍ତି । ଓଡ଼ିଶା ମଧ୍ୟ ସେଥିରୁ ବାଦ୍ ଯାଇନାହିଁ ।
ଦୁଃଖ ଓ ପରିତାପର କଥା ସମଗ୍ର ସୈନ୍ୟବାହିୀନରେ କେବଳ ପଞ୍ଜାବ, ରାଜସ୍ଥାନ, ହରିୟାଣା, ଉରପ୍ରଦେଶ, ବିହାର ଓ ମହାରାଷ୍ଟ୍ର ଭଳି ରାଜ୍ୟରୁ ଯେତେବେଳେ ୮୩ ଭାଗ ସୈନ୍ୟସାମନ୍ତ ସେନାବାହିନୀରେ ଯୋଗ ଦେଉଛନ୍ତି, ସେତେବେଳେ ଓଡ଼ିଶାର ସଂଖ୍ୟା ମାତ୍ର ଶତକଡ଼ା ୩ ଭାଗ । ଅତୀତରେ ଓଡ଼ିଶା ତଥା କଳିଙ୍ଗ ଗୋଟିଏ ବୀର ଜାତି ଭାବରେ ଇତିହାସରେ ନାଁ କରିଥିଲା । କିନ୍ତୁ ଆଜି ସୈନ୍ୟବାହିନୀରେ ଏହାର ଯୁବକ ଯୁବତୀମାନଙ୍କର ଅଂଶଗ୍ରହଣ ନୈରାଶ୍ୟଜନକ । “କଳିଙ୍ଗାଃ ସାହାସିକା” ଆଜି ସତେ ଯେମିତି ଆମ ଶବ୍ଦକୋଷରୁ ହଜି ଯାଇଛି । ‘ଆମ ସେନାବାହିନୀ’ ଓ ‘କେନ୍ଦ୍ରୀୟ ସଶସ୍ତ୍ର ବଳ’ରେ ଯେତେବେଳେ ‘ବିହାର ରେଜିମେଂଟ’, ‘ଗୁର୍ଖା ରେଜିମେଂଟ’, ‘ଆସାମ ରାଇଫଲସ୍’ ଓ ‘ରାଜପୁତନା ରାଇଫଲସ୍’ ଭଳି ରେଜିମେଂଟ ମାନ ଅଛି କିନ୍ତୁ ସ୍ୱାଧୀନତାର ୭୫ ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ ‘କଳିଙ୍ଗ ରେଜିମେଂଟ’ ସ୍ଥାପନ ହୋଇପାରିଲା ନାହିଁ । ଆଜି କେନ୍ଦ୍ର ସରକାର ଯେତେବେଳେ ଆମ ସୈନ୍ୟବାହିନୀକୁ ପୁନଃ ସଂଗଠିତ କରିବାକୁ ଉଦ୍ୟମ କରିଛନ୍ତି ସେହି ପରିପ୍ରେକ୍ଷୀରେ ଓଡ଼ିଶାବାସୀ ଏକ ହୋଇ ସେନାବାହିନୀରେ କଳିଙ୍ଗ ରେଜିମେଂଟ ସ୍ଥାପନ କରିବା ପାଇଁ ବିଧାନସଭାରେ ଏକ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରିବାକୁ ଆମ୍ଭେ ଆପଣଙ୍କୁ ଅନୁରୋଧ କରୁଛୁ । ରାଜ୍ୟର କ୍ରମବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା ଓ ଦାଦନ ସମସ୍ୟାକୁ ଆଖି ଆଗରେ ରଖି ଯଦି ‘କଳିଙ୍ଗ ରେଜିମେଂଟ’ ସ୍ଥାପନ କରାଯାଏ, ତେବେ ଆମ ରାଜ୍ୟର ବେକାର ଯୁବକଯୁବତୀମାନେ ସେନାବାହିନୀରେ ଯୋଗ ଦେବାପାଇଁ ଆଗ୍ରହ ପ୍ରକାଶ କରିବେ ଏବଂ ସେନାବାହିନୀରେ ଓଡ଼ିଶା ତାର ଗର୍ବ ଓ ଗୌରବକୁ ପୁନଃ ପ୍ରତିଷ୍ଠିତ କରିପାରିବ ।
ଆଶା କରିବୁ ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦଳମତ ନିର୍ବିଶେଷରେ ମାନ୍ୟବର ବିଧାୟକ ଓ ବିଧାୟିକାମାନେ କଳିଙ୍ଗ ରେଜିମେଂଟ ପ୍ରତିଷ୍ଠା କରିବା ପାଇଁ ବିଧାନ ସଭାରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରିବା ପାଇଁ କୁଣ୍ଠା ପ୍ରକାଶ କରିବେ ନାହିଁ ଏବଂ ରାଜ୍ୟ ସରକାର ମଧ୍ୟ ଏ ଦିଗରେ ତତ୍ପରତା ପ୍ରକାଶ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ପଶ୍ଚାତପଦ ହେବେନାହିଁ । ଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.