Tuesday , September 27 2022
Breaking News
Home / ବିଶେଷ / ବଢ଼ିଲା ସଡ଼କ ସୁରକ୍ଷା ପାଣ୍ଠି ଅନୁଦାନ – ୬୦ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ

ବଢ଼ିଲା ସଡ଼କ ସୁରକ୍ଷା ପାଣ୍ଠି ଅନୁଦାନ – ୬୦ କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ

ଭୁବନେଶ୍ୱର, ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର)-  ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠି ୨୦%ରୁ ୫୦%କୁ ବୃଦ୍ଧି ପାଇଛି। ସଡ଼କ ସୁରକ୍ଷାକୁ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଉ ଥିବା ବେଳେ ଏ ସମ୍ପର୍କିତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କ ଠାରୁ ଆଦାୟ ହେଉଥିବା ଜୋରିମାନା ଅର୍ଥର ୫୦% ସଡ଼କ ସୁରକ୍ଷା ପାଣ୍ଠିକୁ ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ପଟେ ପାଣ୍ଠି ଅନୁଦାନ ବଢ଼଼ିଥିବା ବେଳେ ବ୍ୟୟ ମଧ୍ୟ ଆହୁରି ବୃଦ୍ଧି ପାଇଛି। ସେପ୍ଟେମ୍ବର ୨୦୨୧ରୁ ମେ’ ୨୦୨୨ ମଧ୍ୟରେ ସଡ଼କ ସୁରକ୍ଷା ବାବଦକୁ ୧୧ କୋଟି ଟଙ୍କାର ବ୍ୟୟ ଅଟକଳକୁ ବିଭାଗ ମଞ୍ଜୁରୀ ପ୍ରଦାନ କରିଛି।

ସେହିପରି ବିଭିନ୍ନ ଜିଲ୍ଲା ପୁଲିସ ଏବଂ ବିଭାଗ ପକ୍ଷରୁ ପ୍ରାୟ ୬୦ କୋଟି ଟଙ୍କାର ପାଣ୍ଠି ଦାବି କରାଯାଇଛି। ସୁପ୍ରିମ୍ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ସଡ଼କ ସୁରକ୍ଷା ନିମନ୍ତେ ଅନେକ ପଦକ୍ଷେପ ସୁପାରିସ କରିଥିବା ବେଳେ ଏଥିପାଇଁ ପରିବହନ ବିଭାଗ ସମସ୍ତ ଖର୍ଚ୍ଚ ବହନ କରୁଛି। ପୂର୍ବାପେକ୍ଷା କାର୍ଯ୍ୟକ୍ରମ ବଢ଼଼ିବା ସହିତ ବ୍ୟୟ ଭାର ମଧ୍ୟ ବଢ଼଼ୁଛି।

ନିକଟରେ ଅନୁଷ୍ଠିତ ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟିର ବୈଠକରୁ ହସ୍ତଗତ ସୂଚନା ଅନୁସାରେ ବିଭିନ୍ନ କାର୍ଯ୍ୟ ପାଇଁ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ୧୬ କୋଟି ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଦାଖଲ କରାଯାଇଛି। ଏହି ଅର୍ଥରେ କ୍ରାଇମ୍ ବ୍ରାଞ୍ଚ ୯୨ଟି ସ୍ପିଡ୍ ଲେଜର୍ ଗନ୍ , ୪୦୪ଟି ବ୍ରିଦ୍ ଆନାଲାଇଜର୍ , ୪୪୩ଟି ଇ-ଚାଲାଣ ମେସିନ୍ , ୫୬୧ ଶରୀରରେ ଝୁଲା ଯାଉଥିବା କ୍ୟାମେରା କିଣା ଯିବ। ସେହିପରି ପରିବହନ କମିଶନରଙ୍କ ପକ୍ଷରୁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ହାଇୱେ ଇଣ୍ଟରସେପ୍ଟର ପରିଚାଳନା ପାଇଁ ୧.୮୯ କୋଟି ଟଙ୍କା ପାଣ୍ଠି ମଗାଯାଇଛି। ସେହିପରି ୭ଟି ନୂଆ ଇଣ୍ଟରସେପ୍ଟର ଗାଡ଼ି କ୍ରୟ ପାଇଁ ୩.୧୫ କୋଟି ଟଙ୍କାର ବ୍ୟୟ ଅଟକଳକୁ କମିଟି ମଞ୍ଜୁର କରିଛି। ୧୦ ପୁଲିସ ଜିଲ୍ଲାରେ ନିୟୋଜିତ ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲ୍ୟୁଣ୍ଟିଅର୍ ଙ୍କ ୬ ମାସର ପାରିଶ୍ରମିକ ବାବଦରେ ୧.୪୫ କୋଟି ଟଙ୍କାର ପ୍ରସ୍ତାବକୁ ମଧ୍ୟ କମିଟି ଅନୁମୋଦନ କରିଛି। ରାଜ୍ୟର ୫ ହଜାର କିମି ରାସ୍ତାରେ ସୂଚନା ଫଳକ ଲଗାଇବା ପାଇଁ ୧,୫୦,୪୫,୦୦୦ ଟଙ୍କା (କିମି ପିଛା ୩୦୦୯ ଟଙ୍କା) ବ୍ୟୟ ଅଟକଳକୁ ମଧ୍ୟ ମଞ୍ଜୁରୀ ମିଳିଛି। ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବିଭିନ୍ନ ଗଣମାଧ୍ୟମରେ ସଡ଼କ ସୁରକ୍ଷା ସମ୍ପର୍କିତ ବିଜ୍ଞାପନ ବାର୍ତ୍ତା ପାଇଁ ୨ କୋଟି ଟଙ୍କା, ରଥଯାତ୍ରାରେ ପ୍ରଚାର ପ୍ରସାର ପାଇଁ ୧୦ ଲକ୍ଷ ଟଙ୍କା, ପରିବହନ କମିସନରଙ୍କ କାର୍ଯ୍ୟାଳୟରେ କମ୍ୟୁନିକେସନ୍ କଲ୍ ସେଣ୍ଟର ପରିଚାଳନା ପାଇଁ ୩ ଲକ୍ଷ ଟଙ୍କା, କମ୍ୟୁନିକେସନ୍ ସେଲ୍ଫ ପରିଚାଳନା ପାଇଁ ୬୫ ଲକ୍ଷ ଟଙ୍କା ବ୍ୟୟ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୩୩ଟି ଟ୍ରମା କେୟାର ସେଣ୍ଟର ଲାଗି ଏକ ପିଏମୟୁ ସେଲ୍ଫ ପ୍ରତିଷ୍ଠା ନିନ୍ତେ ୩୫ ଲକ୍ଷ ଟଙ୍କା, ରାସ୍ତାରେ ବେଗ ନିୟନ୍ତ୍ରଣ ବୋର୍ଡ ଲଗାଇବା ପାଇଁ ୫ ଲକ୍ଷ ଟଙ୍କା ଏବଂ ଦୁଇଟି ସଂସ୍ଥାର ନିୟୋଜନ ପାଇଁ ୧୨ ଲକ୍ଷ ଟଙ୍କା, ୩୨ ପୁଲିସ ଜିଲ୍ଲାରେ ସଡ଼କ ସୁରକ୍ଷାରେ ନିୟୋଜିତ କନେଷ୍ଟବଳ ଓ ହୋମ୍ ଗାର୍ଡଙ୍କ ପ୍ରଶିକ୍ଷଣ ପାଇଁ ୨୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

ସଡ଼କ ସୁରକ୍ଷା ଉପକରଣ କ୍ରୟ ଲାଗି ପ୍ରତ୍ୟେକ ଆରଟିଓକୁ ୧ ଲକ୍ଷ ଟଙ୍କା ଲେଖାଏଁ  ଦିଆଯିବ। ଦୁର୍ଘଟଣାର ତଦନ୍ତ ପାଇଁ ୨୦ ଲକ୍ଷ ଟଙ୍କା, ସଡ଼କ ଦୁର୍ଘଟଣା ସ୍ଥଳର ସଫ୍ଟୱେର ଓ କର୍ମଚାରୀଙ୍କ ବ୍ୟୟ ବାବଦରେ ୧୦ ଲକ୍ଷ ଟଙ୍କା, ୬ ମାସ ପାଇଁ ୮୦ ହୋମ୍ ଗାର୍ଡଙ୍କ ଦରମା ବାବଦରେ ୫୨.୮୦ ଲକ୍ଷ ଟଙ୍କା, ଜାତୀୟ ସଡ଼କ ସୁରକ୍ଷା ଚଳଚ୍ଚିତ୍ର ମହୋତ୍ସବ ଲାଗି ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳକୁ କମିଟି ମଞ୍ଜୁରୀ ପ୍ରଦାନ କରିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.