Friday , August 12 2022
Breaking News
Home / କୃଷି / ବର୍ଷା ଆଣିଲା  ଆଶ୍ୱସ୍ତି  

ବର୍ଷା ଆଣିଲା  ଆଶ୍ୱସ୍ତି  

ଗରଦପୁର , ୦୨/୦୭/୨୦୨୨(ଓଡ଼ିଶା ସମାଚାର)- ଗତ ଏକ ସପ୍ତାହ ଧରି ଟାଣ ଖରା ଯୋଗୁଁ ଜମିରେ ବୁଣା ଯାଇଥିବା ଧାନ ଗଜା ହୋଇ ଗଛ ହେବା ନେଇ ଚାଷୀ ଆଶଙ୍କାରେ ରହିଥିଲେ । ମାତ୍ର ଶୁକ୍ରବାର ସନ୍ଧ୍ୟା ପରେ ଓ ଶନିବାର ଅପରାହ୍ନରେ ଗରଦପୁର , ପାଟକୁରା ଅଂଚଳରେ ବର୍ଷା ହୋଇଥିବାରୁ ଚାଷୀ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଅନେକ ଚାଷୀ ରଜ ପୂର୍ବରୁ ଜମିରେ ଧାନ ବୁଣାବୁଣି କରିଥିଲେ ମଧ୍ୟ ବର୍ଷା ଅଭାବରୁଧାନ ଗଛ ହୋଇ ପାରି ନ ଥିଲା । କ୍ରମାଗତ ଭାବରେ ହୋଇଥିବା ଟାଣ ଖରା ଯୋଗୁଁ ବୁଣାଯାଇଥିବା ଅଧିକାଂଶ ଜମିରେ ଧାନ ଗଜା ହେବା ନେଇ ଚାଷୀ ସନ୍ଦେହ ପ୍ରକାଶ କରିଥିଲା । ମାତ୍ର ଲଗାତର ଦୁଇ ଦିନ  ବର୍ଷା ହେବା ଫଳରେ ଚାଷୀ ମନରେ ଆନନ୍ଦ ପ୍ରକାଶ ପାଇଛି । ରାଜ୍ୟକୁ  ମୌସୁମୀ ଆସିବା ପୂର୍ବରୁ ଓ ମୌସୁମୀ ଆସିବା  ପରେ ଅନେକ ଚାଷୀ ତରବର ସହକାରେ ଜମିରେ ବିଅଳି କିସମ ଧାନ ବୁଣିବା ସହିତ ଖାଲ ପାଟ  ଜମିମାନଙ୍କରେ ଶାରଦ କିସମ ଧାନ ବୁଣିବା ଆରମ୍ଭ କରିଦେଇଥିଲେ । ମାତ୍ର ପରେ ପରେ ଟାଣ ଖରା ହେବା ସାଙ୍ଗକୁ ବର୍ଷା ଅଭାବ ଚାଷୀମାନଙ୍କୁ ହତାଷ୍ କରିଦେଇଥିଲା । ଟାଣ ଖରା ହୋଇଥିବାରୁ ଜମିରେ ବୁଣାଯାଇଥିବା  ଧାନ ଗଛ ହେବା ନେଇ ଚାଷୀମାନେ ସନ୍ଦେହ ପ୍ରକାଶ କରିଛି । ଆଗାମୀ ଦିନରେ ଲଗାତର ଭାବରେ ବର୍ଷା ନ ହେଲେ ଖରିଫ ଧାନ ଫସଲ ପ୍ରଭାବିତ ହେବାର  ଚାଷୀ ଆଶଙ୍କା ପ୍ରକାଶ କରିଛି ।  ଚାଷୀମାନେ ଅଧିକ ଅମଳକ୍ଷମ ଧାନ ବିହନ ବିଭିନ୍ନ ବ୍ୟବସାୟୀମାନଙ୍କ ଠାରୁ କ୍ରୟ କରିଥିବା ବେଳେ,ସରକାରଙ୍କ ପକ୍ଷରୁ ସେବା ସମବାୟ ସମିତିକୁ ଯୋଗାଇ ଦିଆଯାଇଥିବା  ପୂଜା ଓ ସ୍ୱର୍ଣ୍ଣ କିସମ ଧାନବିହନ କ୍ରୟ କରି ଜମିରେ ବୁଣାବୁଣି କରିଛନ୍ତି । କେତେକ ଚାଷୀମାନେ  ଅଧିକ ଅମଳକ୍ଷମ ଧାନ ବିହନ ଶାରଳା,କନକ ପ୍ଲସ୍,୧୦୭୫, ଧଳା ସ୍ୱର୍ଣ୍ଣ, ସାଧନା, ସୁପର୪୪୪,ସ୍ୱର୍ଣ୍ଣ ୭୦୨୯ ଆଦି ବିଭିନ୍ନ କିସମ୍ ଧାନ ବିହନ ବ୍ୟବସାୟୀମାନଙ୍କ ଠାରୁ ସଂଗ୍ରହ କରି ଜମିରେ ବୁଣାବୁଣି କରିଛନ୍ତି ।   ଅଂଚଳରେ ଥିବା ଉଠା-ଜଳସେଚନ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ଚାଷି କିଛିଟା  ଉପକୃତ ହୋଇ ପାରନ୍ତେ । ମାତ୍ର ଅନେକ ସ୍ଥାନରେ ଉଠା -ଜଳସେଚନ ପ୍ରକଳ୍ପଗୁଡିକ ଅସଜଡା ଅବସ୍ଥାରେ ପଡିଛି । ସଚଳ ରହିଥିବା ପ୍ରକଳ୍ପଗୁଡିକ ପାଣି ପଂଚାୟତଗୁଡିକୁ ହସ୍ତାନ୍ତର କରାଯାଇଥିବା ବିଭାଗୀୟ ପକ୍ଷରୁ ସଫେଇ ଦିଆଯାଉଛି । ଏ ସମ୍ପର୍କରେ ଗରଦପୁର ବ୍ଳକ୍ ଆତ୍ମା ଅଧ୍ୟକ୍ଷ ଦୀପକ୍ କୁମାର ରାଉତ କହନ୍ତି ଯେ,ଗରଦପୁର ବ୍ଳକ୍ ଅଂଚଳରେ ପ୍ରାୟ ୭ ହଜାର ୫ଶହ ହେକ୍ଟର ଜମିରେ ଖରିଫ ଧାନ ଫସଲ ଓ ବିଅଳି କିସମ୍ ଧାନ ଚାଷ କରାଯାଇଥାଏ । ଚାଷୀମାନଙ୍କୁ ବ୍ଲକ୍ ଅଂଚଳରେ ଥିବା ସେବା ସମବାୟ ସମିତି ମାଧ୍ୟମରେ ବିହନ ଯୋଗାଣ କରାଯାଇଛି । ଚଳିତ ବର୍ଷ ବର୍ଷାର ଅନିୟମିତତା କାରଣରୁ ଚାଷୀମାନଙ୍କ ଚାଷ କାର୍ଯ୍ୟ ପଛେଇ ଯାଇଛି । ବର୍ଷା ହେଲେ ଚାଷ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ ପ୍ରତିବାଦ ଓ ଚକାଜାମ ଆନ୍ଦୋଳନ

କେନ୍ଦ୍ରାପଡ଼ା, ୩୧/୭/୨୦୨୨(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ନେତୃତ୍ୱରେ ହୋଇଥିବା ଐତିହାସିକ ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶୃତିକୁ ମୋଦି ସରକାର …

Leave a Reply

Your email address will not be published.