Thursday , August 18 2022
Breaking News
Home / ବିଶେଷ / ଗରଦପୁର ବ୍ଲକ ଅଂଚଳରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା

ଗରଦପୁର ବ୍ଲକ ଅଂଚଳରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା

ଗରଦପୁର, ୦୧/୦୭/୨୦୨୨(ଓଡ଼ିଶା ସମାଚାର)-ଦୀର୍ଘ ଦୁଇ ବର୍ଷ ପରେ କରୋନା ମହାମାରୀ ର କଟକଣା ଉଠିବା ପରେ ଚଳିତ ବର୍ଷ ଗରଦପୁର ବ୍ଲକ୍ ଅଂଚଳରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଧୁମ ଧାମର ସହିତ ଭକ୍ତମାନଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ଏହି ନବ ଦିନ ବ୍ୟାପି ଘୋଷ ଯାତ୍ରାର ଆଜି ଥିଲା ଶ୍ରୀ ଗୁଣ୍ଡଚା ଯାତ୍ରା । ଗରଦପୁର ବ୍ଲକର ହରିହର କ୍ଷେତ୍ର ମାହାଳ ଶ୍ରୀଜଗନ୍ନାଥ ମନ୍ଦିର ଓ ଗରଦପୁରର ଶ୍ରୀବଳଦେବଜୀୟୁ ମନ୍ଦିରରେ ପାରମ୍ପରିକ ରୀତିକାନ୍ତି ଅନୁଯାୟୀ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦୁଇ ମନ୍ଦିରରେ ସକାଳୁ ଶ୍ରୀଜୀୟୁ ମାନଙ୍କର ରୀତିନୀତି ପରେ ମଙ୍ଗଳଆରତୀ, ମଇଲମ, ତଡପଲାଗି ଓ ଅବକାଶ ନୀତି କରାଯାଇଥିଲା । ଭୋଇ ସେବାୟତମାନେ ଆଜ୍ଞାମାଳ ଆଣିଲାପରେ ରଥ ଉପରକୁ ସେବାୟତମାନେ ଯାଇ କଳସ ଓ ନେତ ବାନ୍ଧିଥିଲେ । ପରେ ଚାର ମାଳ ଯୋଡା ଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ମାହାଳ ହରିହର କ୍ଷେତ୍ରରେ ଶ୍ରୀଜୀୟୁମାନଙ୍କ ମଧ୍ୟାହ୍ନ ନୀତି ପରେ ସୁଦର୍ଶନଙ୍କୁ ପହଣ୍ଡି କରି ମା’ ସୁଭଦ୍ରାଙ୍କ ରଥରେ ରଥାଋଢ କରିବା ପରେ ବଡଭାଇ ବଳଭଦ୍ର, ମା’ ସୁଭଦ୍ରା ଓ ଜଗନ୍ନାଥଙ୍କୁ ଆଲଟ ଚାମର ହଲାଇ, ଘଂଟୁଆ, ଶଙ୍ଖୁଆ, କିର୍ତନୀୟାଙ୍କ ହରିନାମ ଓ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି, ଜୟଜଗନ୍ନାଥ ଶବ୍ଦ ସହିତ ସେବାୟତମାନଙ୍କ ଦ୍ୱାରା ଶ୍ରୀଜୀୟୁମାନଙ୍କୁ ଧାଡି ପହଣ୍ଡି କରାଯାଇ ତିନୋଟି ରଥରେ ରଥାଋଢ କରାଯାଇଥିଲାବେଳେ ଗରଦପୁରରେ ଗୋଟିଏ ରଥରେ ଠାକୁରମାନଙ୍କୁ ରଥାଋଢ କରାଯାଇଥିଲା । ମାହାଳ ଶ୍ରୀଜଗନ୍ନାଥ ମନ୍ଦିରର ରଥରେ ଠାକୁର ରାଜା ପ୍ରଶାନ୍ତ ନାୟକ ଛେରାପହଁରା କରିଥିବାବେଳେ ଗରଦପୁର ବଳଦେବଜୀୟୁଙ୍କ ରଥରେ ପ୍ରସନ୍ନ ପଣ୍ଡା ଓ ଶୁଭମ ପାଣି ଛେରାପହଁରା କରିଥିଲେ । ଏହାପରେ ଅପରାହ୍ନରେ ରଥମାନଙ୍କରେ ଘୋଡା ଯୋଚା ଯାଇ ପୂଜାର୍ଚ୍ଚନା କରାଯାଇ ରଥଟଣା ଆରମ୍ଭ ହୋଇଥିଲା । ପରମ୍ପରା ଅନୁଯାୟୀ ମାହାଳରେ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ । ତେବେ ଦୁଇ ବର୍ଷ ହେବ ରଥ ଟଣା ବନ୍ଦ ଥିବାରୁ ଏବଂ ଚଳିତବର୍ଷ ଏଠାରେ ବଡ ରଥ କରାଯାଇଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିଲା । ମାହାଳରେ ଅଧ୍ୟାପିକା ଡଃ. ବିଚିତ୍ରା ମଂଜରୀ ତ୍ରିପାଠୀ, ଶିକ୍ଷକ ନରେଶ କୁମାର ମହାନ୍ତି, ଗଗନ ଦାସ, ଶାରଦା ସାମନ୍ତରାୟ ପ୍ରମୁଖ ଉଦଘୋଷକ ଭାବେ ରଥଯାତ୍ରାର ଧାରାବିବରଣୀ ପ୍ରଦାନ କରିଥିଲେ । ପ୍ରଶାସନ ପକ୍ଷରୁ ମାହାଳ ଏବଂ ଗରଦପୁର ରଥଯାତ୍ରାର ପରିଚାଳନା ବିଡିଓ ତଥା ତହସିଲଦାର ରଂଜିତ୍ କୁମାର ମଲ୍ଲିକଙ୍କ ତତ୍ୱାବଧାନରେ କରାଯାଇଥିବାବେଳେ ପାଟକୁରା ଥାନା ଆଇଆଇସି ସରୋଜ କୁମାର ସାହୁ, କୁଦାନଗରୀ ଫାଣ୍ଡି ଅଧିକାରୀ ଅଜୟ ସୁନ୍ଦରାୟଙ୍କ ନେତୃତ୍ୱରେ ପୋଲିସ୍ ଫୋର୍ସ ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । ଏହାଛଡ଼ା ସ୍ୱାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟ ସଂପାଦନ କରିଛନ୍ତି । ସେହିପରି ମଧୁ, କଳାବୁଦା ସମେତ ବ୍ଲକର ବିଭିନ୍ନ୍ ଅଂଚଳରେ ଓ ଗାଁ ଗହଳିରେ ପିଲାମାନେ ଛୋଟ ଛୋଟ ରଥକରି ଆନନ୍ଦ ଉଲ୍ଲାସରେ ରଥଯାତ୍ରା ପାଳନ କରୁଥିବାର ଦେଖାଯାଇଥିଲା । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ରଥଯାତ୍ରା କାର୍ଯ୍ୟ ସୂଚାରୁରୂପେ ସମ୍ପନ୍ନ ହେବା ସହିତ ଉଭୟ ରଥ ଗୁଣ୍ଡିଚା ମନ୍ଦିର ପାଖରେ ଯାଇ ପହଂଚିଥିବା ଜଣାଯାଇଛି । କରୋନା କଟକଣା ନଥିବାରୁ ହଜାର ହଜାର ଜନସମାଗମ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ବନ୍ୟା ପିଡିତଙ୍କ ପାଖରେ ପ୍ରଥମେ ରିଲିଫ ପହଂଚାଇଲା ଇଫକୋ ପାରାଦୀପ ୟୁନିଟ୍ 

ପାରାଦୀପ ୧୭/୦୮/୨୦୨୨(ଓଡ଼ିଶା ସମାଚାର)- ଲଗାଣ ବର୍ଷା ଓ ପରେ ପରେ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି ଓଡିଶାର ୧୦ ଜିଲ୍ଲାର …

Leave a Reply

Your email address will not be published.