Friday , August 12 2022
Breaking News
Home / ବିଶେଷ / ଉପାନ୍ତ ଅଞ୍ଚଳବାସୀଙ୍କ ଆଉ ଏକ ଉଦାହରଣ : ବାଉଁଶ ନଳୀ ଖଞ୍ଜି ପାହାଡ଼ି ଝରଣାର ପାଣି ଗାଁ ମୁଣ୍ଡକୁ ଆଣିଲେ

ଉପାନ୍ତ ଅଞ୍ଚଳବାସୀଙ୍କ ଆଉ ଏକ ଉଦାହରଣ : ବାଉଁଶ ନଳୀ ଖଞ୍ଜି ପାହାଡ଼ି ଝରଣାର ପାଣି ଗାଁ ମୁଣ୍ଡକୁ ଆଣିଲେ

ବାଲିଗୁଡା,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାରମ୍ବାର ନେହୁରା ହୋଇଥିଲେ ବି କେହି ଶୁଣି ନଥିଲେ୨ କିଲୋମିଟର ପାହାଡ଼ି ଝରଣାରୁ ଗାଁ ପର୍ଯ୍ୟନ୍ତ ବାଉଁଶ ନଳ ଖଞ୍ଜି ପାଣି ଟୋପାଏ   ଆଣି ପାରିଛନ୍ତି । ବର୍ଷ ବର୍ଷ ବିତିଗଲା। ପ୍ରଶାସନ କି ଜନପ୍ରତିନିଧି କେହି କିଛି କଲେନି। ଗୁହାରି କରିବା ବହୁତ ହୋଇଗଲା, ଆଉ ନୁହେଁ।  ଏହିଭଳି ଏକ ସଂକଳ୍ପ ନେଇ ପାଣି ପାଇଁ ଅଣ୍ଟା ଭିଡ଼ିଲେ ୪ ଆଦିବାସୀ ପଡ଼ାର ୮୦ ପରିବାରର ଲୋକେ। କାହା ଉପରେ ନିର୍ଭର ନକରି ମୁଣ୍ଡ ଖଟାଇ ନିଜେ କୌଶଳ ବାହାର କଲେ, ଆଉ ତାକୁ କାର୍ଯ୍ୟରେ ବି କରି ଦେଖାଇଲେ। ଶେଷରେ, ଦୁଇ କିଲୋମିଟର ପାହାଡ଼ ଉପରୁ ଗାଁକୁ ବାଉଁଶ ନଳୀ ଖଞ୍ଜି ପାହାଡ଼ି ଝରଣାର ପାଣି ଗାଁ ମୁଣ୍ଡକୁ ଆଣିଛନ୍ତି। ପାନୀୟଜଳ ମୁନ୍ଦାଏ ପାଇବା ପରେ ଆଜି ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହାହେଉଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ୍‌ ର ଦୁର୍ଗମ ସୋନପୁର ପଞ୍ଚାୟତର ଅପହଞ୍ଚ ଦବେଡ଼ି ରାଜସ୍ୱ ଗ୍ରାମର ଡୁଗେଟମାହା, ବିନ୍ଧାଣି ସାହି, ପଦାସାହି ଓ ଛକସାହି ଭଳି ୪ଟି ପଡ଼ା ଗ୍ରାମର ଘଟଣା।ଏହି ୪ ପଡ଼ା ଗ୍ରାମରେ ରହିଥିବା ବହୁ ପୁରାତନ ଦୁଇଟି କୂଅ ଓ ବହୁବର୍ଷ ପୂର୍ବେ ବସିଥିବା ୩ଟି ନଳକୂଅ କେବେଠୁ ଅଚଳ ହୋଇ ପଡ଼ିଛି। କୂଅପାଣି ଆଉ ବ୍ୟବହାରଯୋଗ୍ୟ ହୋଇପାରୁନି। ଏହାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ ଜନପ୍ରତିନିଧି ଓ ବ୍ଲକ୍‌ ପ୍ରଶାସନକୁ ବର୍ଷ ବର୍ଷ ଧରି ନେହୁରା ହୋଇଛନ୍ତି। ହେଲେ, ଏହି ଗୁହାରି କାହାର କାନ‌ରେ ପଡ଼ିଲାନି। ଓଲଟି ଗ୍ରାମବାସୀ ବର୍ଷତମାମ ପିଇବା ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିଲେ। ଏହି ଚାରିପଡ଼ା ଗ୍ରାମରେ ଆଦିବାସୀ ଓ ହରିଜନ ସଂପ୍ରଦାୟର ୮୦ ପରିବାରର ଜନସଂଖ୍ୟା ପାଖାପାଖି ୪୦୦ । ରୋଷେଇ ଠାରୁ ଆରମ୍ଭ କରି ପିଇବା, ଗାଧୋଇବା ଓ ଲୁଗାପଟା ସଫା କରିବା ପାଇଁ ଦୂରରେ ଥିବା ନାଳ ଓ ଚୁଆ ପାଣି ଉପରେ ନିର୍ଭର କରନ୍ତି। ବର୍ଷସାରା ଗ୍ରାମରେ ପାଣି ପାଇଁ ହାହାକାର ଲାଗି ରହୁଥିଲା। ଖରାଦିନେ ଏହି ଜଳଯନ୍ତ୍ରଣା ଦ୍ବିଗୁଣିତ ହୋଇଯାଉଥିଲା।ତେବେ, ପ୍ରଶାସନକୁ ବାରମ୍ବାର ଅବଗତ କରି ନିରାଶ ହେବାପରେ ଶେଷରେ ଗ୍ରାମବାସୀ ଏକାଠି ହୋଇ ପାନୀୟଜଳ ବ୍ୟବସ୍ଥା କରିବାକୁ ଅଣ୍ଟା ଭିଡ଼ିଥିଲେ। ଏଥିରେ ଗ୍ରାମବାସୀଙ୍କୁ ସହଯୋଗାର ହାତ ବଢ଼ାଇଥିଲା ସ୍ଥାନୀୟ ଅଞ୍ଚଳରେ ସକ୍ରିୟ ଥିବା କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ। ପାହାଡ଼ ଉପରେ ଝରଣାକୁ ସଂଯୋଗ କରି ବାଉଁଶକୁ ବାଉଁଶ ଯୋଡ଼ି ପ୍ରାୟ ଦୁଇ କିଲୋମିଟର ଲମ୍ବ ନଳ ଗ୍ରାମ ଶେଷ ମୁଣ୍ଡକୁ ପକାଇଲେ। ସେଠାରେ ସିମେଣ୍ଟ ପାଣିକୁଣ୍ଡ କରି ପ୍ରଥମେ ପାଣି ସଂରକ୍ଷଣ କରିଛନ୍ତି। ସଂରକ୍ଷଣ ଜଳକୁ ପ୍ରଥମଥର ଘରକୁ ନେଇ ବ୍ୟବହାର କରିଛନ୍ତି। ଗ୍ରାମବାସୀ ମାନେ କହିଛନ୍ତି, ଯେ,”ଗତ ଏକ ସପ୍ତାହ ଧରି ସମସ୍ତ ଗ୍ରାମବାସୀ ମିଳିମିଶି ଏଥିରେ ଶ୍ରମଦାନ କରିଛନ୍ତି। ଅଧା କାମ ସରିଛି। ବାକି କାମ ଆଉ ସପ୍ତାହେ ଭିତରେ ସାରିବାକୁ ଚେଷ୍ଟା ଚଳାଇଛୁ।’ ଏ ନେଇ ବିଡିଓ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ, ପାଣି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଓଡିଶା ସମାଚାର

About admin

Check Also

ଚୋରି ଜିନିଷ ଉଦ୍ଧାର:  ୪ଚୋର ଗିରଫ

 ନିରାକାରପୁର, ୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା  ନିରାକାରପୁର ଥାନା ଅଂଚଳରେ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ପୋଲିସ କୁ …

Leave a Reply

Your email address will not be published.