Wednesday , September 28 2022
Breaking News
Home / ବିଶେଷ / ଥାନାରେ ପଶି ପୋଲିସ ସବଇନ୍ସପେକ୍ଟରକୁ ଆକ୍ରମଣ: ବାପ-ପୁଅ ଗିରଫ

ଥାନାରେ ପଶି ପୋଲିସ ସବଇନ୍ସପେକ୍ଟରକୁ ଆକ୍ରମଣ: ବାପ-ପୁଅ ଗିରଫ

କେନ୍ଦ୍ରାପଡ଼ା, ୨୫/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଜଣେ ପୋଲିସ ସବ ଇନ୍ସପେକ୍ଟରଙ୍କୁ ଆକମ୍ରଣ କରାଯାଇଛି । ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ଆକ୍ରମଣରେ ପୋଲିସ ସବ ଇନ୍ସପେକ୍ଟର ସରୋଜ ଦାସ ଆହତ ହୋଇଛନ୍ତି । ଏହି ଘଟଣାକୁ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ଗୁରୁତ୍ୱର ସହ ନେଇ ଅଭିଯୁକ୍ତ ବାପ ପୁଅଙ୍କୁ ସେଙ୍ଗ ସେଙ୍ଗ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ । ଏସପିଙ୍କ ନିର୍ଦେଶରେ ନିକିରାଇ ଥାନାଧିକାରୀ କାଦମ୍ବିନୀ ପରିଡ଼ା ଅଭିଯୁକ୍ତ ରାଜେନ୍ଦ୍ର ଜେନା ଓ ତାଙ୍କ ପୁଅ ସୁଧାଂଶୁ ଜେନାଙ୍କୁ ଗିରଫ ତୁରନ୍ତ କରିଥିଲେ । ସୂଚନା ଅନୁଯାୟୀ ପଲ୍ଲୀ ରଘୁନାଥପୁର ଗ୍ରାମର ରାଜେନ୍ଦ୍ର ଜେନା ଜଳାଶୟ ପୋତି ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମାଣ କରିଛନ୍ତି । ଏହାକୁ ସେହି ଗ୍ରାମର ସମାଜସେବୀ ମନୋରଞ୍ଜନ ଜେନା ବିରୋଧ କରି ଓଡିଶା ଉଚ୍ଚ ନ୍ୟାୟାଳର୍ୟରେ ଏକ ମାମଲା ରୁଜୁ କରିଛନ୍ତି । ତେଣୁ ରାଜେନ୍ଦ୍ର ଓ ତାଙ୍କ ପୁଅ ସୁଧାଂଶୁ ମନୋରଞ୍ଜନ ଓ ତାଙ୍କ ବାପା ରାମଚନ୍ଦ୍ରଙ୍କୁ ବହୁବାର ଏ ନେଇ ଆକ୍ରମଣ କରିବା ସହ ଧମକ ଚମକ ମଧ୍ୟ ଦେଇଛନ୍ତି । ମନୋରଞ୍ଜନଙ୍କ ବାପା ରାମଚନ୍ଦ୍ର ଜେନା ଗତ ଶୁକ୍ରବାର ତାଙ୍କ ଘର ପାଚେରୀ କାମ କରୁଥିଲେ । ସେହି ସମୟରେ ହଠାତ ଅଭିଯୁକ୍ତ ରାଜେନ୍ଦ୍ର ଜେନା ଓ ତାଙ୍କ ପୁଅ ସୁଧାଂଶୁ ଜେନା ରାମଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ରାମଚନ୍ଦ୍ରଙ୍କ ପୁଅ ମନୋରଞ୍ଜନ ଅଭିଯୋଗ କରିବାକୁ ନିକିରାଇ ଥାନାକୁ ଯାଇଥିଲେ । ଥାନାକୁ କାହିଁକି ଅଭିଯୋଗ କରିବାକୁ ଗଲେ ବୋଲି ଅଭିଯୁକ୍ତ ରାଜେନ୍ଦ୍ର ଓ ତାଙ୍କ ପୁଅ ସୁଧାଂଶୁ ଜେନା ଥାନାକୁ ଯାଇ ମନୋରଞ୍ଜନ ଓ ତାଙ୍କ ବାପା ରାମଚନ୍ଦ୍ରଙ୍କୁ ଥାନା ମଧ୍ୟରେ ଆକ୍ରମଣ କରିଥିଲେ । ଏହି ସମୟରେ ଥାନାରେ ଉପସ୍ଥିତ ଥିବା ସବଇନ୍ସପେକ୍ଟର ସରୋଜ ଦାସ ଅଭିଯୁକ୍ତ ବାପ ପୁଅଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରିଥିଲେ । ଫଳରେ ଅଭିଯୁକ୍ତ ବାପ ପୁଅ ସବଇନ୍ସପେକ୍ଟର ଶ୍ରୀ ଦାସଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଏହି ଘଟଣା ତ୍ୱରିତ ବେଗରେ ପ୍ରଚାର ହୋଇଗଲା । ଫଳରେ ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରିବା ପାଇଁ ଏସପି ଶ୍ରୀ ମଡ଼କର ଥାନାଧିକାରୀ କାଦମ୍ବିନୀ ପରିଡ଼ାଙ୍କୁ ନିର୍ଦେଶ ଦେଇଥିଲେ । ଏସପିଙ୍କ ନିର୍ଦେଶ ପରେ ଅଭିଯୁକ୍ତ ବାପ ପୁଅଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୁଦ୍ଧରେ ଦଫା ୩୦୭ ସମେତ ବିଭିନ୍ନ ଫୌଜଦାରୀ ଦଫାରେ ମାମଲା  ରୁଜୁ କରାଯାଇ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.