କେନ୍ଦ୍ରାପଡ଼ା,୨୩/୬/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଜବରଦଖଲ ସମସ୍ୟା ବଢି ବଢି ଚାଲିଛି । ପ୍ରଶାସନର ଉଦାସୀନତା ଯୋଗୁଁ ସାଧାରଣ ଜନତା ହୀନସ୍ତା ଭୋଗୁଛନ୍ତି । ଗ୍ରାମାଂଚଳରେ ଜମି ଜବରଦଖଲ ଦୂରର କଥା ଖୋଦ ଜିଲ୍ଲା ସଦର ମହକୁମା ଓ ତା’ର ଆଖପାଖ ଅଂଚଳରେ ମୁଲ୍ୟବାନ ଦେବୋତର ଜମି ସମେତ ସରକାରୀ ଗୋଚର, ଅନାବାଦୀ ଜମି ସମେତ ଜଳସେଚନ ବିଭାଗର କେନାଲ ବନ୍ଧ ଜମି ଓ ନୟନଜୋରୀ ଜମିକୁ ମାଡିବସି ଘର କରିବା ସହିତ ବେପାର କରିବା ଯୋଗୁଁ ଘୋର ସମସ୍ୟା ସୃଷ୍ଟି କରିଛି । କେନ୍ଦ୍ରାପଡା ସହର ଉପକଣ୍ଠ ଗୁଲନଗର ଗ୍ରାମ ସନ୍ନିକଟ କଟକ- ଚାନ୍ଦବାଲି ରାଜ୍ୟ ରାଜପଥର ଦକ୍ଷିଣପାଶ୍ୱର୍ରେ ଥିବା ଶହ ଶହ ଏକର ଚାଷଜମିରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ । କାରଣ ସେହି ପାଶ୍ୱର୍ରେ ଜଳସେଚନ ବିଭାଗର ଥିବା ନୟନଜୋରି ଓ କେନାଲକୁ ପୋତି ତାହା ଉପରେ କେତେକ ଲୋକ ଘର କରିଦେଇଛନ୍ତି । ଉଦବୃତ ବର୍ଷାଜଳରେ ଲୋକଙ୍କ ଚାଷଜମି ବୁଡିରହିବା ଫଳରେ ଫସଲହାନୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଗୁଲନଗର ଗ୍ରାମର ଦଣ୍ଡାମୁଣ୍ଡ ଛକ ଅପରପାଶ୍ୱର୍ରେ ଥିବା ଜଳସେଚନ ବିଭାଗର ୩ ଏକରରୁ ଉଦ୍ଧ୍ୱର୍ ନୟନଜୋରି ଓ କେନାଲ ବନ୍ଧକୁ ଜବରଦଖଲ କରାଯାଇ ଦୋକାନ କରି ବ୍ୟବସାୟ କରିବା ସହ ଘର କରି ରହିବା ଯୋଗୁଁ ବିରାଟ ସମସ୍ୟା ସୃଷ୍ଟି ହୋଇଛି । ଏଥି ଯୋଗୁଁ ଗୁଲନଗର ଗ୍ରାମର ପ୍ରବେଶ ପଥ ସଙ୍କିର୍ଣ୍ଣ ହେବା ସହ ବର୍ଷାଦିନେ ପାଣି ଜମି ରହି ଗମନାଗମନରେ ସମସ୍ୟା ସୃଷ୍ଟି କରୁଛି । ସେହିପରି ଚାଷଜମିରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଏସମ୍ପର୍କରେ ଜଳସେଚନ ବିଭାଗ ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । କଟକ- ଚାନ୍ଦବାଲି ରାଜ୍ୟ ରାଜପଥ ପାଶ୍ୱର୍ ମଧ୍ୟ ଧିରେ ଧିରେ ଜବରଦଖଲ ହେବାରେ ଲାଗିଛି । ତୁରନ୍ତ ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ନଦେଲେ ଆଗକୁ ଆହୁରି ସମସ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଓଡ଼ିଶା ସମାଚାର
