ଭୁବନେଶ୍ୱର, ୨୧/୦୬/୨୦୨୨( ଓଡ଼ିଶା ସମାଚାର )- ଚଳିତ ବର୍ଷ ଖରିଫ ଋତୁରେ ୮ଟି ଫସଲ ଏବଂ ରବି ଋତୁରେ ୯ଟି ଫସଲକୁ ବୀମାଭୁକ୍ତ କରାଯିବ। ଚଳିତ ଖରିଫ ଋତୁରେ ଧାନ, ଚିନାବାଦାମ, ମକା, ହରଡ଼, ମାଣ୍ଡିଆ, ତୁଳା, ଅଦା ଓ ହଳଦୀ ଆଦି ୮ଟି ଫସଲକୁ ବୀମାଭୁକ୍ତ କରିବା ପାଇଁ ସ୍ଥିର କରାଯାଇଛି। ଅନୁରୂପ ଭାବେ ରବି ଋତୁରେ ଧାନ, ଚିନାବାଦାମ, ବିରି,ମୁଗ, ସୋରିଷ, ସୂର୍ଯ୍ୟମୁଖି, ଆଖୁ, ଆଳୁ ଏବଂ ପିଆଜ ଆଦି ୯ଟି ଫସଲ ବୀମାଭୁକ୍ତ ହେବ। ଧାନଫସଲ ପାଇଁ ଏକ ଗ୍ରାମ ପଞ୍ଚାୟତ ବା ସହରାଞ୍ଚଳ ଏବଂ ଅଣଧାନ ଫସଲ ପାଇଁ ଏକ ବ୍ଲକକୁ ୟୁନିଟ୍ ଭାବେ ବିଚାର କରାଯିବ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଲୋକସେବା ଭବନରେ ଆୟୋଜିତ ଏ ସମ୍ପର୍କିତ ବୈଠକରେ କୃଷି ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ସଞ୍ଜୀବ କୁମାର ଚଢା ଫସଲବୀମା ସମ୍ବଦ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନା କରିଥିଲେ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆଧାରରେ ଚାଷୀମାନଙ୍କୁ କ୍ଷୟକ୍ଷତି ବାବଦ ସହାୟତା ରାଶି ପ୍ରଦାନ କରାଯିବ।
କୃଷକମାନଙ୍କୁ ବୀମା ପ୍ରାପ୍ୟ ପ୍ରଦାନରେ ଯେପରି ବିଳମ୍ବ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି। ଚାଷୀମାନଙ୍କୁ ବୀମା ରାଶି ପ୍ରଦାନରେ ବିଳମ୍ବକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଏଥିରେ କୌଣସି କମ୍ପାନୀ ଖିଲାଫି କଲେ ସରକାର ଗୁରୁତର ସହ ବିଚାର କରିବେ। ଚଳିତ ଜୁଲାଇ ୩୧ ତାରିଖରୁ ଖରିଫ ଫସଲ ବୀମା ପଞ୍ଜିକରଣ ଶେଷ ତାରିଖ ରୂପେ ଧାର୍ଯ୍ୟ କରାଯାଇଥିଲା। ଏହି ଦିନ ସୁଦ୍ଧା ସମସ୍ତ କୃଷକମାନେ ନିଜ ଫସଲବୀମା କରାଇନେବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇସାରିଛି। ଚାଷୀ ଋଣ ନେଇ ନ ଥିବା ବ୍ୟକ୍ତିବିଶେଷ ନିକଟସ୍ଥ ଜନସେବା କେନ୍ଦ୍ର, ଜମାଖାତା ଥିବା ବ୍ୟାଙ୍କ୍ ଏବଂ ସମ୍ପୂକ୍ତ ଜିଲ୍ଲା ପାଇଁ ନିର୍ଦ୍ଧାରିତ ଫସଲବୀମା ବୀମା କମ୍ପାନୀ ଏଜେଣ୍ଟମାନଙ୍କ ଦ୍ୱାରା ନିଜର ବୀମା କରାଇପାରିବେ। ବିଦାୟୀ କୃଷି ନିର୍ଦ୍ଦେଶକ ମୁଥୁ କୁମାର କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଅନୁପାତରେ ଆର୍ଥିକ ସହାୟତା ଦେଉଛନ୍ତି। ସାଧାରଣତଃ ବୀମା ପ୍ରିମିୟମର ୯୮ ଭାଗ କେନ୍ଦ୍ର ଓ ରାଜ୍ୟ ଏବଂ ମାତ୍ର ୨ ଭାଗ ଚାଷୀ ଦେଇଥାଏ। ୨୦୨୧ରୁ ଖରିଫ ଋତୁରେ ପ୍ରାୟ ୧୨.୩୦ ଲକ୍ଷ ଚାଷୀଙ୍କର ୧୦.୫୦ ଲକ୍ଷ ହେକ୍ଟର ଚାଷ ଜମି ବୀମାଭୁକ୍ତ ହୋଇଥିଲା। ଚଳିତ ଖରିଫ ଏବଂ ରବି ଋତୁରେ ଋଣ ନେଇଥିବା ଚାଷୀମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ବୀମାଭୁକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ପ୍ରଦୀପ ଜେନା, ଅର୍ଥ ପ୍ରମୁଖ ସଚିବ ବିଶାଳ ଦେଦେବ, ସମବାୟ ସଚିବ ସଞ୍ଜୀବ ଚଢା ଏବଂ ନୂତନ ଭାବେ ଯୋଗ ଦେଇଥିବା କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧୁରୀ ଯୋଗ ଦେଇଥିଲେ। ଏଡିଏଫସି ଏଗ୍ରୋ, ରିଲାଏନ୍ସ, ଜିଆଇସି ଏବଂ ଏଗ୍ରିକଲଚର ଇନସ୍ୟୁରାନ୍ସ କମ୍ପାନୀ ଆଦି ୩ଟି ଇନସ୍ୟୁରାନ୍ସ କମ୍ପାନୀଙ୍କୁ ରାଜ୍ୟର ଫସଲବୀମା ପାଇଁ ଚୟନ କରାଯାଇଛି। ଓଡ଼ିଶା ସମାଚାର