କେନ୍ଦ୍ରାପଡ଼ା, ୧୮/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ପୌରସଂସ୍ଥା ଟାଉନହଲ ପରିସରରେ ଶନିବାର ଅପରାହ୍ନ ୪ଟା ସମୟରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର, ଅତିରିକ୍ତ ଜିଲ୍ଲାପାଳ(ସାଦାରଣ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ନିରଞ୍ଜନ ବେହେରା, କେନ୍ଦ୍ରାପଡା ପୋରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ପ୍ରମୁଖ ଯୋଗଦେଇ ଶ୍ରୀଜୀଉଙ୍କ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରାକୁ ସୂଚାରୁରୂପେ ପରିଚାଳନା ନିମନ୍ତେ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ, ଟ୍ରଷ୍ଟବୋର୍ଡର କର୍ମକର୍ତା ଏବଂ ଶାନ୍ତିକମିଟିର ସଦସ୍ୟ ତଥା ବିଭିନ୍ନ ବିଭାଗର ସହଯୋଗ କାମନା କରିଥିଲେ । ଆସନ୍ତା ଜୁଲାଇମାସ ପହିଲାରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଓ ୯ତାରିଖରେ ବାହୁଡା ଯାତ୍ରା ପଡୁଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଗୋଡଧୁଆ ପୋଖରୀର ପୁନରୁଦ୍ଧାର, ଜଳ ନିଷ୍କାସନର ସୁବ୍ୟବସ୍ଥା, ବଡଦାଣ୍ଡରେ ଜମି ରହିଥିବା ଘରୋଇ ବାଲି ଓ ବଜୁରୀକୁ ହଟାଇବା, ରାସ୍ତା ଉପରୁ ବିଦୁ୍ୟତ ଖୁଂଟି ଅପସାରଣ କରିବା, ରଥ ନିର୍ମାଣ, ରାସ୍ତାଘାଟ ମରାମତି, ଆଲୋକ ଯୋଗାଣ, ପାନୀୟ ଜଳ ଯୋଗାଣ, ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଶ୍ରୀଜୀଉଙ୍କ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ନିକଟରେ ଜଳ ଯୋଗାଣ, ନିଶା ନିବାରଣ, ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଆଇନଶୃଙ୍ଖଳା ଓ ସ୍ୱେଛାସେବୀ ସଂଗଠନକୁ ଜନହିତକର କାର୍ଯ୍ୟରେ ବ୍ୟବହାର କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ରଥଯାତ୍ରା ପୂର୍ବରୁ ରାସ୍ତାଘାଟର ମରାମତି ପାଇଁ ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଚଳିତ ବର୍ଷ ରଥଯାତ୍ରା ଖର୍ଚ୍ଚ ପାଇଁ ୨୨ଲକ୍ଷ ୨୩ହଜାର ୭୦୭ଟଙ୍କା ଆନୁମାନିକ ଅଟ୍ଟକଳ ରଖାଯାଇଛି ବୋଲି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ପ୍ରଦାନ କରିଥିଲେ । ରଥଗଢା କାର୍ଯ୍ୟ ଯେପରି ଧାର୍ଯ୍ୟ ସମୟସୀମା ଭିତରେ ଶେଷ ହେବ ସେଥିପ୍ରତି ଯତ୍ନବାନ ହେବାକୁ ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ସେହିପରି ରଥଦାଣ୍ଡ ଓ ସହରର ରାସ୍ତା ସଫେଇ ଓ ରଥଦାଣ୍ଡର ନାଳ ନର୍ଦ୍ଧମା ସଫା ସହ ବ୍ଲିଚିଂ ପାଉଡର ଓ ଫିନାଇଲ ପକାଇବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଖାଦ୍ୟ ପଦାର୍ଥ ଯାଂଚ କରିବା, ଇଛାପୁର ଠାରେ ଅସ୍ଥାୟୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ସହ ଆମ୍ବୁଲାନ୍ସ ସେବା ଯୋଗାଇବା, ବିଦୁ୍ୟତ କାଟ ସମୟରେ ଜେନେରେଟର ଦ୍ୱାରା ଆଲୋକ ବ୍ୟବସ୍ଥା, ବଳଦେବଜୀଉ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ନିକଟରେ ଯାତ୍ରୀମାନଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ, ହଜିଯାଇଥିବା ପିଲା ଓ ବ୍ୟକ୍ତିମାନଙ୍କ ନିମନ୍ତେ ସୂଚନା କେନ୍ଦ୍ର ଖୋଲିବା, ଯାତ୍ରୀମାନଙ୍କ ରହଣି ନିମନ୍ତେ ଯାତ୍ରୀ ନିବାସରେ ବ୍ୟବସ୍ଥା, ପାଣି ପାଉଚ ବ୍ୟବସ୍ଥା, ରୋଦ୍ରତାପ ସମୟରେ ଜଳ ସିଂଚନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଭକ୍ତମାନେ ଶ୍ରୀଜୀଉଙ୍କୁ ଦର୍ଶନ ନିମନ୍ତେ ରଥାରୁଢ ଶ୍ରୀଜୀଉଙ୍କ ସମ୍ମୁଖରେ ସେବାୟତମାନେ ଦଣ୍ଡାୟମାନ ନହେବାକୁ ଅନୁରୋଧ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୋନାଲି ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନୀତା ପଟ୍ଟନାୟକ, ସହକାରୀ ଅଗ୍ନିଶମ ଅଧିକାରୀ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ବଳିଆରସିଂହ, ଟ୍ରଷ୍ଟବୋର୍ଡର କର୍ମକର୍ତା, ଶାନ୍ତିକମିଟି ସଦସ୍ୟ, କାଉନସିଲର, ସେବାୟତ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
