‘ନିରତାର’ପାରିପାର୍ଶ୍ବିକ ଅଞ୍ଚଳ ର ବିକାଶ କରାଯିବ
ଭୁବନେଶ୍ୱର,୧୭/୦୬/୨୦୨୨(ଓଡ଼ିଶା ସମାଚାର)-ଓଲଟପୁର ନିରତାର୍ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଯେପରି ସୁବିଧାରେ ପହଞ୍ଚିପାରିବେ ସେଥିପାଇଁ ନିଆଳି ଅଡ଼ଶପୁର ରାସ୍ତାର ବୋଇରାଇ ଛକଠାରୁ ଓଲଟପୁର ନିରତାର ପର୍ଯ୍ୟନ୍ତ ରାସ୍ତାକୁ ଦୁଇଟିକିଆ କରାଯିବ। ନିରତାର ହସ୍ପିଟାଲ ପାର୍ଶ୍ବବର୍ତ୍ତୀ ଜମି ଅଧିଗ୍ରହଣ କରାଯାଇ ସେ ଅଞ୍ଚଳର ବିକାଶ କରାଯିବ। ସେହିପରି ହସ୍ପିଟାଲ ହଷ୍ଟେଲର ମଧ୍ୟ ଉନ୍ନତି କରାଯିବ। ଏ କାମ କିପରି ତ୍ୱରାନ୍ୱିତ ହେବ ସେଥିପାଇଁ ମଙ୍ଗଳବାର ଉନ୍ନୟନ କମିଶନର ପ୍ରଦୀପ ଜେନା, ‘୫-ଟି ସଚିବ ଭି କେ ପାଣ୍ଡିଆନ ଓଲଟପୁର ଯାଇ ନିରତାର ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିରତାର ହସ୍ପିଟାଲ ଆସୁଥିବା ରୋଗୀ ଯେପରି ସହଜରେ ସର୍ବଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ପାଇପାରିବେ ସେଥିପାଇଁ ହସ୍ପିଟାଲର ପାରିପାର୍ଶ୍ବିକ ଅଞ୍ଚଳ ବିକାଶ କରିବାକୁ ନିଷ୍ପତ୍ତି ନିଆଯାଇଛି।
ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି। ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବେ ସେଥିପାଇଁ ସ୍ଥାନୀୟ ଲୋକ ଓ ରୋଗୀମାନଙ୍କ ସହ ଆଲୋଚନା କରାଯାଇଛି। ଏହି ଗସ୍ତ ଅବସରରେ ଉନ୍ନୟନ କମିଶନର ଓ ‘୫-ଟି’ ସଚିବ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ରୋଗୀମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ପୂର୍ତ୍ତ ସଚିବ ବୀର ବିକ୍ରମ ଯାଦବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘୫-ଟି’ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ରାଜ୍ୟବ୍ୟାପୀ ବିଭିନ୍ନ ଅଞ୍ଚଳ ଗସ୍ତକରି ଉନ୍ନୟନମୂଳକ ପଦକ୍ଷେପ ଏବଂ ନିଷ୍ପତ୍ତିମାନ ଗ୍ରହଣ କରୁଛନ୍ତି। ଓଡ଼ିଶା ସମାଚାର