କଟକ, ୧୬/୦୬/୨୦୨୨( ଓଡ଼ିଶା ସମାଚାର )- ପ୍ରବୀଣ ସାରସ୍ୱତ ସାଧକ, ରାଜନେତା ଓ ସମାଜସେବୀ ଅନ୍ନଦା ପ୍ରସାଦ ରାୟଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଶ୍ରୀ ରାମଚନ୍ଦ୍ର ଭବନଠାରେ ଓଡିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ରାୟଙ୍କ ବଳିଷ୍ଠ ନେତୃତ୍ୱ ତଥା ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ। ଓଡିଶା ଉଚ୍ଚନ୍ୟାୟାଳୟର ପ୍ରାକ୍ତନ ବିଚାରପତି ନ୍ୟାୟମୂର୍ତ୍ତି ଏ.ଏସ.ନାଇଡୁ ଏହି ଉତ୍ସବକୁ ଉଦଘାଟନ କରି ସ୍ୱର୍ଗତ ରାୟଙ୍କୁ ଜଣେ ଦରଦୀ ମଣିଷ ତଥା ନିଃସ୍ୱାର୍ଥପର ଜନସେବକ ରୂପେ ବର୍ଣ୍ଣନା କରିଥିଲେ। ବିଶିଷ୍ଟ କବି ତଥା ରାଜନୀତିଜ୍ଞ ଡ଼କ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟଅତିଥି ରୂପେ ଯୋଗଦେଇ କହିଲେ ଯେ ସ୍ୱର୍ଗତ ରାୟ ଜଣେ ଭଲ ମଣିଷ ତଥା ସତ୍ୟର ଉପାସକ ଥିଲେ। ସେ ଓଡ଼ିଆ ଜାତିର ଗର୍ବ ଓ ଗୌରବ ଥିଲେ ବୋଲି ଡ଼କ୍ଟର ପାଟ୍ଟଶାଣୀ ପ୍ରକାଶ କରିଥିଲେ। ଡ଼କ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍ୱର୍ଗତ ରାୟଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରିଥିଲେ। କଟକ ମହାନଗର ନିଗମର ଡେ଼ପୁଟି ମେୟର ଦମୟନ୍ତୀ ମାଝୀ ଏଥିରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ରାୟଙ୍କ ସ୍ମୃତିରକ୍ଷା ପାଇଁ ମେୟର ଙ୍କ ପରାମର୍ଶ କ୍ରମେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼କ୍ଟର ମହେଶ୍ୱର ମହାନ୍ତି ଙ୍କୁ ‘ଅନ୍ନଦା ପ୍ରସାଦ ରାୟ ସାରସ୍ୱତ ସମ୍ମାନ’ ଓ ଡ଼କ୍ଟର ନିମାଇଁ ଚରଣ ପରିଜାଙ୍କୁ ‘ଡାକ୍ତର ଭକ୍ତିଲତା ରାୟ ସ୍ୱାସ୍ଥ୍ୟସେବା ସମ୍ମାନ’ ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ମୀରା ବେଉରା ମାନପତ୍ର ପାଠ କରିଥିଲେ। ସଂସଦର ସଭାପତି ଡ଼କ୍ଟର ସତ୍ୟ ରାୟ ଏଥିରେ ଅଧ୍ୟକ୍ଷତା କରି ସ୍ୱର୍ଗତ ରାୟ ଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ଦାସ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଭୁବନାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ନୀଳଚକ୍ରର ସଭାନେତ୍ରୀ ନମିତା ପଣ୍ଡା, ଡ଼କ୍ଟର ହୁସେନ ରବିଗାନ୍ଧୀ, ଆଇନଜୀବୀ ଶଶିଭୂଷଣ ଦାସ, ଇଂ କୃଷ୍ଣକୁମାର ଦାସବର୍ମା, ଚୌଧୁରୀ ଶରତ ଦାଶ, ଡ଼କ୍ଟର ହେମେନ୍ଦ୍ର ନାରାୟଣ ଦାସ, ବରଦା ପ୍ରସନ୍ନ ପଟ୍ଟନାୟକ, ଡ଼କ୍ଟର ରାଜ କିଶୋର ମହାନ୍ତି, କସ୍ତୁରୀ ରାୟ, ଉତ୍କଳ ଭୂଷଣ ରାଉତରାୟ , ସଞ୍ଜିଞ୍ଜିତ କୁମାର ପଟ୍ଟନାୟକ, କମଳାକାନ୍ତ ଦାଶ, ଗୋକୁଳାନନ୍ଦ ପଟ୍ଟନାୟକ, ମିଲନ ବଡୁ, ଧର୍ମାନନ୍ଦ ବେହେରା, ନଳୀନ କୁମାର ରାୟ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ରାୟଙ୍କ ପ୍ରତି ସ୍ମୃତିଚାରଣ କରିଥିଲେ। ଓଡ଼ିଶା ସମାଚାର