ବାରିପଦା,୧୩/୦୬/୨୦୨୨( ଓଡ଼ିଶା ସମାଚାର )-ଶିମିଳିପାଳପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ (ଦକ୍ଷିଣ) ଅଧୀନ ପୀଠାବଟା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚନ୍ଦନଚତୁରୀ ନିକଟରୁ ୨ ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ରବିବାର ସକାଳେ ଉଭୟ ଶିକାରୀ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଭିତରକୁ ଅନୁପ୍ରବେଶ ସମୟରେ ରେଞ୍ଜର ଜ୍ୟୋତିରଞ୍ଜନ ସେନାପତିଙ୍କ ନେତୃତ୍ୱରେ ନିୟୋଜିତ ଥିବା କର୍ମଚାରୀ ସେମାନଙ୍କୁ କାବୁ କରିଥିଲେ। ପରେ ଉଭୟଙ୍କ ନିକଟରୁ ୧୦୬ଟି ଜୀବନ୍ତ ଗୁଳି, ୫୦୦ ଗ୍ରାମର ବାରୁଦ, ୨ଟି ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି ଓ ବାରୁଦ ସମେତ ଶିକାର ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତ ଶିକାରୀ ଦ୍ୱୟ ହେଲେ ବଡସାହି ଥାନା ଅଧୀନ ଚନ୍ଦନଚତୁରୀ ଗ୍ରାମର ରୁହ୍ୟା ସିଂ(୩୫) ଓ ଶ୍ୟାମସୁନ୍ଦର ସିଂ(୨୬)। ଉଭୟଙ୍କ ନାମରେ ବନବିଭାଗ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି। ତତସହିତ ବଡ଼ସାହି ଥାନାରେ ବେଆଇନ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ରଖିବା ନେଇ ରେଞ୍ଜର ଶ୍ରୀ ସେନାପତି ଅନ୍ୟ ଏକ ଅଭିଯୋଗ କରିବାରୁ ପୁଲିସ ପକ୍ଷରୁ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଓଡ଼ିଶା ସମାଚାର