Sunday , October 1 2023
Home / ବିଶେଷ / ରଥଯାତ୍ରା ପାଇଁ ରଥଦାଣ୍ଡ ପ୍ରସ୍ତୁତ –  ନିର୍ମାଣ ଚାଲିଛି ବ୍ରହ୍ମ ତାଳଧ୍ୱଜ ରଥ

ରଥଯାତ୍ରା ପାଇଁ ରଥଦାଣ୍ଡ ପ୍ରସ୍ତୁତ –  ନିର୍ମାଣ ଚାଲିଛି ବ୍ରହ୍ମ ତାଳଧ୍ୱଜ ରଥ

କେନ୍ଦ୍ରାପଡ଼ା, ୧୩/୦୬/୨୦୨୨( ଓଡ଼ିଶା ସମାଚାର )- ଆସନ୍ତା ଜୁଲାଇ ମାସ ୧ ତାରିଖରେ ହେବ ରଥଯାତ୍ରା । ଏଥିପାଇଁ ତୁଳସୀକ୍ଷେତ୍ର ପ୍ରସ୍ତୁତ । ବିଧି ଓ ପରମ୍ପରା ଅନୁଯାୟୀ ରଥଯାତ୍ରା ପାଇଁ ତୁଳସୀକ୍ଷେତ୍ରରେ ଗୋଟିଏ ରଥ ନିର୍ମାଣ କରାଯାଇଥାଏ । ଏହି ରଥରେ ବଡ଼ ଭାଇ ସିଦ୍ଧ ଶ୍ରୀବଳଦେବଜୀଉ, ସାନ ଭାଇ କାଳିଆ ଠାକୁର, ଭଉଣୀ ସୁଭଦ୍ରା ବସି ମାଉସୀ ମା’ଙ୍କ ଘରକୁ ତଥା ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି ବୋଲି କହିଛନ୍ତି ସେବାୟତ ତଥା ଲେଖକ ନିରଞ୍ଜନ ମେକାପ । ସେ କହିଛନ୍ତି ସେଠାରେ ଜନ୍ମ ବେଦୀରେ ୭ ଦିନ ରହିବା ପରେ ପୁଣି ରତ୍ନ ସିଂହାସନ ଅଭିମୁଖେ ପ୍ରଭୁ ବାହୁଡିଥାନ୍ତି । ବାହୁଡାଯାତ୍ରା ପରେ ନିଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହୋଇଥାଏ । ନିଳାଦ୍ରୀ ବିଜେ ଦିନ ଠାକୁର ରଘୁନାଥ ବେଶ ହୋଇଥାନ୍ତି । ତିନି ଠାକୁର ପୁଣି ରତନ ସିଂହାସନକୁ ବିଜେ କରନ୍ତି । ତୁଳସୀକ୍ଷେତ୍ରରେ ଶ୍ରୀକ୍ଷେତ୍ର ପରି ପ୍ରତିବର୍ଷ ନୂଆ ରଥ ନିର୍ମାଣ ହୋଇ ନ ଥାଏ । ଯେଉଁ ରଥ ନିର୍ମାଣ ହୋଇଥାଏ ତାହାକୁ ଖୋଲା ଯାଇ ଦେବୋର କାର୍ଯ୍ୟାଳୟ ପରିସରରେ ଥିବା କାଠ ଘରେ ରଖାଯାଇଥାଏ । ପରବର୍ଷ ଦୁଇଟି ନୂତନ ଚକ ଓ ଦୁଇଟି ନୂତନ ଅଖ ନିର୍ମାଣ କରାଯାଇଥାଏ । ଏଥିସହ ରଥ ନିର୍ମାଣ ପାଇଁ ଆବଶ୍ୟକତା ଅନୁଯାୟୀ ନୂତନ କାଠ ବ୍ୟବହାର କରାଯାଇଥାଏ । ତୁଳସୀ କ୍ଷେତ୍ରରେ ରଥ ନିର୍ମାଣ ପାଇଁ ୮୦ ପ୍ରତିଶତ ଶାଳ କାଠ, ଚକରେ ବାରନ୍ଦା ନିର୍ମାଣ ପାଇଁ ଦେବଦାରୁ ଓ ପାରା ଭାଡି ନିର୍ମାଣ ପାଇଁ ସିମିଳି କାଠ ବ୍ୟବହାର କରାଯାଇଥାଏ । କାହିଁ କେଉଁ ଆବାହମାନ କାଳରୁ ରଥର ଉଚତା ୬୫ ଫୁଟ୍ ରହି ଆସୁଛି । ଭୁଇଁରୁ ଦଧିନଉତି ପର୍ଯ୍ୟନ୍ତ ଉଚ୍ଚତା ୬୫ ଫୁଟ୍ ରହିଥାଏ । ତୁଳସୀକ୍ଷେତ୍ର ରଥରେ ନିଦା ଶାଳୁଆ କାଠ ବ୍ୟବହାର କରାଯାଇଥାଏ । ଏହି ରଥ ୧୪ ଚକ ବିଶିଷ୍ଟ । ଏହି ରଥର ନାମ ବ୍ରହ୍ମ ତାଳଧ୍ୱଜ ରଥ । ଏଠାରେ ପରମ୍ପରା ଅନୁଯାୟୀ ଗୁଣ୍ଡିଚା ଯାତ୍ରା ଦୁଇ ଦିନ ଓ ବାହୁଡା ଯାତ୍ରା ମଧ୍ୟ ଦୁଇଦିନ ଅନୁଷ୍ଠିତ ହୋଇଥାଏ । ତୁଳସୀକ୍ଷେତ୍ରରେ ଏହିଭଳି ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏବେ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖ ରଥ ଖଳାରେ ରଥର ବିଭିନ୍ନ ଅଂଶକୁ ରଖାଯାଇ କାମ ଆରମ୍ଭ ହୋଇଯାଇଛି । ଇତି ମଧ୍ୟରେ ଅଖ କାମ ସରି ଯାଇଛି ଓ ଚକ କାମ ଆରମ୍ଭ ହୋଇଛି । ଆସନ୍ତା ଜ୍ୟେଷ୍ଠ ପୂର୍ଣ୍ଣିମା ତଥା ଜୁନ ୧୪ ତାରିଖ ଦିନ ଅଖରେ ରଥ ଜୋଖା ଯିବ । ୧୫ ଦିନ ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଚାଲେ । ନେତ୍ରୋତ୍ସବ ଦିନ ରଥ ଗଡିବା ପାଇଁ ପ୍ରସ୍ତୁତ ହୋଇଯାଏ । ସରକାରଙ୍କ ନିଷ୍ପତିି ଅନୁଯାୟୀ ରଥଯାତ୍ରା ହେବ । ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ରଥଯାତ୍ରା ହୋଇ ନ ଥିଲା । କେବଳ ରଥ ନିର୍ମାଣ କରାଯାଇଥିଲା । ଭକ୍ତମାନେ ଦୂରରୁ ରଥ ଦର୍ଶନ କରିଥିଲେ । ଏଥର ରଥଯାତ୍ରାରେ ବହୁ ଭକ୍ତଙ୍କ ସମାଗମ ହେବ ବୋଲି ସମ୍ଭାବନା ରହିଛି । ଏ ସଂକ୍ରାନ୍ତରେ ବଳଦେବଜୀଉ ମନ୍ଦିର ପ୍ରଶାସନର  ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ହେଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *