Friday , March 31 2023
Home / ବିଶେଷ / ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ରାଜ୍ୟସ୍ତରୀୟ କର୍ମଶାଳା –

ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ରାଜ୍ୟସ୍ତରୀୟ କର୍ମଶାଳା –

 ଶିଶୁ ଶ୍ରମ ନିରାକରଣ ନିମନ୍ତେ ଅଧିକାରୀ ଯତ୍ନବାନ ହେବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, ୧୩/୦୬/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାବ ତରଫରୁ ଶିଶୁ ଶ୍ରମ ଉଚ୍ଛେଦ ସମ୍ପର୍କରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରମ ବିଭାଗ ତରଫରୁ ଆଇନର କଡ଼ାକଡ଼ି ପାଳନ ସହ ଜିଲ୍ଲାସ୍ତରରେ ସମସ୍ତ ଅଧିକାରୀ ଶିଶୁ ଶ୍ରମ ନିରାକରଣ ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶାକୁ ୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ ଭାବରେ ଗଢ଼ିତୋଳିବା ପାଇଁ ସବୁ କ୍ଷେତ୍ରରେ ଭଦ୍ୟମର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ। ଏହି ଅବସରରେ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ କରାଯାଇଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଗୁଡିକର ଏକ ଫୋଟୋ ଗ୍ୟାଲେରୀକୁ ଉଦଘାଟନ କରିବା ସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ପୋଷ୍ଟର, ଷ୍ଟିକର ଏବଂ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଚଳଚ୍ଚିତ୍ର ମଧ୍ୟ ଶ୍ରୀ ସାହୁ ଉନ୍ମୋଚନ କରିଥିଲେ।

କର୍ମଶାଳାରେ ଶ୍ରମ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍ , ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କ ପାଇଁ ଏକ ବିଶେଷ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ବିଷୟରେ ଆଲୋଚନା କରିବା ସହ ପଞ୍ଚାୟତ ସ୍ତରରେ ସ୍ୱେଚ୍ଛାସେବୀମାନଙ୍କ ସହାୟତାରେ ଗ୍ରାମ ସଭାରେ ଏ ବିଷୟରେ ନିରନ୍ତର ଆଲୋଚନା ସହ ଆଦର୍ଶ ଶିଶୁମାନଙ୍କ ସହଯୋଗର ଆବଶ୍ୟକତା ସମ୍ପର୍କରେ ସୁଚାଇଥିଲେ।

କେନ୍ଦୁଝର,ଖୋର୍ଦ୍ଧା,ଢେଙ୍କାନାଳ ଏବଂ ମୟୁରଭଞ୍ଜ ରୁ ଶିଶୁ ଶ୍ରମିକ କ୍ଷେତ୍ରରୁ ଉଦ୍ଧାର ହୋଇ ସମାଜର ମୁଖ୍ୟସ୍ରୋତକୁ ଫେରି କୃତକାର୍ଯ୍ୟ ହୋଇଥିବା କିଛି ଛାତ୍ର ଓ ଯୁବକ ମଧ୍ୟ ଏହି କର୍ମଶାଳାରେ ସାମିଲ ହୋଇ ଶିକ୍ଷାର ଆବଶ୍ୟକତା ସହ ସରକାରଙ୍କର ତ୍ୱରିତ ପଦକ୍ଷେପ କିପରି ଜୀବନକୁ ନୂତନ ଦିଗଦର୍ଶନ ଦିଏ ସେ ବିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟ କ୍ରମରେ ଶ୍ରମ କମିଶନର ଡକ୍ଟର ତିରୁମଲ ନାଏକ ସ୍ୱାଗତଭାଷଣ ଦେଇଥିବା ବେଳେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟବତୀ ପ୍ରଧାନ, ୟୁନିସେଫ୍ , ଓଡ଼ିଶା ମୁଖ୍ୟ ମୋନିକା ନୀଲସେନ୍ ଙ୍କ ସମେତ ସମସ୍ତ ଜିଲ୍ଲାର ଶ୍ରମ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ଏବଂ ୧୬ ଟି ଜିଲ୍ଲାର ଶିକ୍ଷା ଅଧିକାରୀ ଯୋଗଦେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.