Sunday , October 1 2023
Home / ବିଶେଷ / ବିକ୍ରମ କେଶରୀ ଆରୁଖ ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ନିର୍ବାଚିତ

ବିକ୍ରମ କେଶରୀ ଆରୁଖ ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ନିର୍ବାଚିତ

ଭୁବନେଶ୍ବର,୧୩/୦୬/୨୦୨୨( ଓଡ଼ିଶା ସମାଚାର )- ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ନିର୍ବାଚିତ ହୋଇଛନ୍ତି। ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ୟ୍ୟ ଆରମ୍ଭ ହୋଇଥିଲା। ବାଚନିକ ଭୋଟ ପରେ ଉପବାଚସ୍ପତି ରଜନୀକାନ୍ତ ସିଂ ଶ୍ରୀ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି । ବିକ୍ରମ କେଶରୀ ଆରୁଖ ଓଡିଶା ବିଧାନସଭାର ୨୪ ତମ ବାଚସ୍ପତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମ କେଶରୀ ଆରୁଖଙ୍କ ପ୍ରସ୍ତାବକ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାଵକୁ ସମର୍ଥନ କରିଥିଲେ। ସୋମବାର ଦିନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଏହି ଘୋଷଣା କରାଯାଇଛି। ପରେ ବିକ୍ରମ କେଶରୀ ଆରୁଖ ନୂତନ ବାଚସ୍ପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ବାଚସ୍ପତି ନିର୍ବାଚନ ପରେ ଗୃହ ମୁଲତବୀ ରହିଛି।
ସୂଚନାଯୋଗ୍ୟ, ପୂର୍ବତନ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ତାଙ୍କ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଗତ ୪ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ବାଚସ୍ପତି ନିର୍ବାଚନର ଆବଶ୍ୟକତା ପଡ଼ିଥିଲା। ବିଜେଡି ପକ୍ଷରୁ ବାଚସ୍ପତି ପ୍ରାର୍ଥୀ ଭାବେ ବିକ୍ରମ କେଶରୀ ଆରୁଖଙ୍କ ନାମ ଘୋଷଣା କରାଯାଇଥିଲା। ଶ୍ରୀ ଆରୁଖ ଗତ ୧୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଅନ୍ୟ କେହି ପ୍ରାର୍ଥିପତ୍ର ଦାଖଲ କରିନଥିଲେ । ତେଣୁ ସେ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ନିର୍ବାଚିତ ହେବା ପରିଷ୍କାର ହୋଇଯାଇଥିଲା । ସ୍ବତନ୍ତ୍ର ଅଧିବେଶନରେ ଏ ସମ୍ପର୍କିତ ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀ ଆରୁଖଙ୍କୁ ବାଚସ୍ପତି ଭାବେ ବିଧିବଦ୍ଧ ଘୋଷଣା କରାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବିରୋଧୀ ଦଳର ନେତା ମୋହନ ମାଝୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୂତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *