କଟକ, ୧୨/୦୬/୨୦୨୨( ଓଡ଼ିଶା ସମାଚାର )- ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଆଧୁନିକ ଚେତନାର ସୂତ୍ରଧର। ପରାଧୀନ ଭାରତ ବର୍ଷରେ ଓଡ଼ିଶାରେ ଆଧୁନିକ ଚେତନାର ବିକାଶରେ ଅଗ୍ରଗଣ୍ୟ ଭୂମିକା ସେ ସମ୍ପାଦନ କରିଥିଲେ। ଶ୍ରୀରାମଚନ୍ଦ୍ର ଥିଲେ ଜନ ହିତୈଷି। ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଓ ସାମାଜିକ ବିକାଶରେ ସେ ଯେପରି ଅନନ୍ୟ ଭୂମିକା ପ୍ରଦର୍ଶନ କରିଥିଲେ ତାହାର ପଟ୍ଟାନ୍ତର ନାହି ବୋଲି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ ୧୫୦ତମ ଜୟନ୍ତୀ ଉତ୍ସବରେ ମତପ୍ରକାଶ ପାଇଛି।
ଗତକାଲି ସଂଧ୍ୟାରେ ସାହିତ୍ୟ ଅକାଦେମି ଓ ଉତ୍କଳ ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଏକ ଆଲୋଚନାଚକ୍ର ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ହୋଇଯାଇଛି। ଏହି ଉତ୍ସବକୁ ଉଦଘାଟନ କରି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବଶା କହିଲେ ଯେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଆଧୁନିକତାର ବାର୍ତ୍ତାବହ। ପରାଧୀନ ଭାରତବର୍ଷରେ ସ୍ୱଚ୍ଛ ଶାସନ ପ୍ରବର୍ତ୍ତନ କରି ସ୍ମରଣୀୟ ହୋଇଛନ୍ତି। ସେ ଜଣେ ଦୂରଦର୍ଶୀ ଓ କ୍ରାନ୍ତିକାରୀ ସୁଶାସକ ଥିଲେ ବୋଲି କୁଳପତି ବଶା କହିଥିଲେ। ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଆଲୋଚକ ଭାବରେ ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ବିଶ୍ୱାଳ ଓ ଅଧ୍ୟାପକ ଅଭିରାମ ବିଶ୍ୱାଳ ମହାରାଜାଙ୍କ ମହନୀୟ ବ୍ୟକ୍ତିତ୍ୱ ଓଡ଼ିଶାର ଇତିହାସ ପ୍ରଣୟନରେ ସହାୟକ ହୋଇଛି ବୋଲି କହିଥିଲେ। ପ୍ରାରମ୍ଭରେ ସାହିତ୍ୟ ଅକାଦେମିର କାର୍ଯ୍ୟକ୍ରମ ଅଧିକାରୀ ମିହିର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ପୂର୍ବକ କହିଥିଲେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଥିଲେ ଅନନ୍ୟ ସାଧାରଣ ପ୍ରଶାସକ। ଉତ୍କଳ ସାହିତ୍ୟ ସମାଜର କାର୍ଯ୍ୟନିର୍ବାହିକା ସମିତି ସଦସ୍ୟ ବ୍ରହ୍ମାନନ୍ଦ ବିଶ୍ୱାଳ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲା ବେଳେ ସଂଗଠନ ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ କୁଳପତି ପ୍ରଫେସର ବଶାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ସମାଚାର