‘ଲକ୍ଷ୍ମଣବାବୁ ବହୁ ପ୍ରତିଭାର ଅଧିକାରୀ ଥିଲେ’
ଭୁବନ,୧୨/୦୬/୨୦୨୨( ଓଡ଼ିଶା ସମାଚାର )- ଢେଙ୍କାନାଳ ମହିମା ସମ୍ମାନ ପ୍ରାପ୍ତ ଶିକ୍ଷାବିତ ଲକ୍ଷ୍ମଣ ମିଶ୍ର ଙ୍କ ବିୟୋଗରେ ନୂଆ ଭୁବନସ୍ଥିତ ‘ବାଣୀ ସାହିତ୍ୟ ସଂସଦ’ ପରିସରରେ ପୂଜ୍ୟପୂଜା ପରିଷଦ ତରଫରୁ ଏକ ସ୍ମୃତି ଚାରଣସଭା ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସଂସଦ ସଭାପତି ବାଣୀଶ୍ରୀ ରବୀନ୍ଦ୍ରକୁମାର ହୋତା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଲକ୍ଷ୍ମଣବାବୁ ଙ୍କର ଆଦର୍ଶ ଗୁଣାବଳୀ ସଂପର୍କରେ ଭାବଗର୍ଭକ ଭାବେ ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବେ ପୂଜ୍ୟପୂଜା ପରିଷଦ ସଭାପତି ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର କହିଥିଲେ ଯେ , ବାଲ୍ୟକାଳରୁ ଲକ୍ଷ୍ମଣବାବୁ ବହୁ ବାଧା ବିଘ୍ନ ଓ ଦୁଃଖ କଷ୍ଟ ସହ୍ୟକରି ନିଜକୁ ଉତମରୂପେ ଗଢି ପାରିଥିଲେ । ସ୍ୱର୍ଗତ ଲକ୍ଷ୍ମଣବାବୁ ୧୯୨୮ ମସିହା ଜାନୁଆରୀ ୨୮ ତାରିଖରେ ବାଜିରାଉତ ମାଟିରେ ଜନ୍ମଗ୍ରହଣ କରିଥିଲେ କିନ୍ତୁ ତାଙ୍କ କର୍ମଭୂମୀ କଲିକତାଏବଂଶେଷରେ ଢେଙ୍କାନାଳକୁ ବାଛି ନେଇଥିଲେ । ଲକ୍ଷ୍ମୀଧର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୨୦ ବର୍ଷ ଶିକ୍ଷାଦାନ କରିଥିଲେ । ତାଙ୍କ ଆତ୍ମ ଜୀବନୀ ‘ଯାତ୍ରାପଥେ’ ପଦ୍ମଶ୍ରୀ ରାଧାମୋହନ ଗଡନାୟକ ଙ୍କ ଦ୍ୱାରା ଭୁବନ ଠାରେ ଉନ୍ମୋଚନ ହୋଇଥିଲା । ବହୁ ପ୍ରତିଭାର ଅଧିକାରୀ ଲକ୍ଷ୍ମଣବାବୁ ଜଣେ ମିଷ୍ଟଭାଷୀ ,ପରୋପକାରୀ,ସ୍ନେହୀ,ଦୟାଳୁ ତଥା ଉତମ ବ୍ୟକ୍ତି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚିତ୍ରଶିଳ୍ପୀ ନାରାୟଣ ସାହୁ, କବି ଚିତରଂଜନ ମିଶ୍ର , କବୟିତ୍ରୀ ବିଳାସିନୀ ପୃଷ୍ଟି , ବାସନ୍ତୀ କୁମାରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ । ଓଡ଼ିଶା ସମାଚାର