ନୂଆ ନୁହଁ; ପୁରୁଣା ସ୍କୁଲର ହେବ ନବକଳେବର
ଭୁବନେଶ୍ୱର,୧୨/୦୬/୨୦୨୨( ଓଡ଼ିଶା ସମାଚାର )- ପିଏମ ଶ୍ରୀ ସ୍କୁଲ ଯୋଜନାରେ ରାଜ୍ୟରେ ୫ଶହରୁ ଅଧିକ ବିଦ୍ୟାଳୟ ସାମିଲ ହେବ। ଏହି ଯୋଜନାରେ ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ଭିତ୍ତିଭୂମି ସୁଦୃଢ଼ ଉପରେ ଗୁରୁତ୍ୱ ଦିଆଯିବା ସହ ଗୁଣାତ୍ମଶିକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ। ପ୍ରତି ବ୍ଲକରେ ପାଖାପାଖୀ ୨ଟି ଶ୍ରୀ ସ୍କୁଲ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଏହି ଯୋଜନା ଖୁବଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ସୂଚନା ଦେଛନ୍ତି।
ଭୁବନେଶ୍ୱର ଆଇଆଇଟି ପରିସରରେ ନୂତନ କେନ୍ଦ୍ରୀୟ ବିଦ୍ୟାଦ୍ୟାଳୟର ଲୋକାର୍ପଣ ଅବସରରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ପ୍ରାୟ ୧୫ ହଜାର ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଦେଶର ପ୍ରତ୍ୟେକ ବ୍ଲକରେ ଏହି ଯୋଜନା କାର୍ଯକାରୀ କରାଯିବ। ପ୍ରତି ବ୍ଲକରୁ ସ୍କୁଲଗୁଡ଼ିକୁ ଏଥିଲାଗି ଚୟନ କରାଯିବ। ନୂଆ ସ୍କୁଲ ନୁହେଁ ବରଂ ପୁରୁଣା ସ୍କୁଲରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ନେଇ ଭାରତ ସରକାର ସହଯୋଗୀ ହେବେ। କେନ୍ଦ୍ରୀୟ ବିଦ୍ୟାଦ୍ୟାଳୟ(କେଭି), ଜବାହାର ନବୋଦୟ ବିଦ୍ୟାଦ୍ୟାଳୟ(ଜେଏମଭି) ଓ ଏକଲବ୍ୟ ବିଦ୍ୟାଦ୍ୟାଳୟ ଆଦି ସହିତ ରାଜ୍ୟର ବିଦ୍ୟାଦ୍ୟାଳୟଗୁଡ଼ିକୁ ମଧ୍ୟ ଏଥିରେ ସାମିଲ୍ କରାଯିବ। ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ ଓଡ଼ିଶାରେ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ଓ ଏକଲବ୍ୟ ବିଦ୍ୟାଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯିବ। ତେବେ ପିଏମ ଶ୍ରୀ ସ୍କୁଲ ପ୍ରତି ବ୍ଲକରେ ପାଖାପାଖି ଦୁଇଟି ଲେଖାଏଁ ପ୍ରତିଷ୍ଠା ହେବାକୁ ଥିବାବେଳେ ଏହି କ୍ରମରେ ଓଡ଼ିଶାରେ ୫ଶହରୁ ଅଧିକ ଶ୍ରୀ ସ୍କୁଲ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ଓଡ଼ିଶା ସମାଚାର