Friday , March 31 2023
Home / ବିଶେଷ / ମନମୋହନ ଚୌଧୁରୀ ଥିଲେ ଜଣେ କ୍ରାନ୍ତିକାରୀ ବିପ୍ଳବୀ

ମନମୋହନ ଚୌଧୁରୀ ଥିଲେ ଜଣେ କ୍ରାନ୍ତିକାରୀ ବିପ୍ଳବୀ

କଟକ,୧୨/୦୬/୨୦୨୨( ଓଡ଼ିଶା ସମାଚାର )- ସ୍ବାଧୀନତା ସଂଗ୍ରାମୀ ତଥା ସର୍ବୋଦୟ ନେତା ମନମୋହନ ଚୌଧୁରୀ ଜଣେ କ୍ରାନ୍ତିକାରୀ ବିପ୍ଳବୀ ଥିଲେ। ୧୮ଟିରୁ ଅଧିକ ଭାଷାରେ ତାଙ୍କ ଅଗାଧ ଜ୍ଞାନ ରହିଥିଲା। ପୁଣି ପଦାର୍ଥବିଜ୍ଞାନ, ଅର୍ଥନୀତି, ସାହିତ୍ୟ, ଦର୍ଶନ ଆଦି ଅନେକ କ୍ଷେତ୍ରରେ ପାଣ୍ଡିତ୍ୟ ହାସଲ କରିବା ସହ ମହୁଚାଷ, କ୍ରାନ୍ତିଯାତ୍ରା, ସର୍ବୋଦୟ ଆଚାର ବିଚାର ଓ ବିଜ୍ଞାନ, ହାଟ ବଜାରର ବ୍ରହ୍ମଜ୍ଞାନ, ଅର୍ଥନୀତିର ଗୋଲକଧନ୍ଦା, ବିଦେଶୀ ଯନ୍ତାରେ ଭାରତ, କସ୍ତୁରୀ ମୃଗସମ, ପରସମଣିର ସନ୍ଧାନେ, ଡଙ୍କେଲର ବିଷବୃକ୍ଷ ଆଦି ଅନେକ ପୁସ୍ତକ ସେ ରଚନା କରିଥିଲେ। କଟକ ବାଖରାବାଦରେ ନିଜ ଘର ଛାତ ଉପରେ ଲାଗିଥିବା ତାଙ୍କ ହାତ ତିଆରି ଦୂରବୀକ୍ଷଣ ଯନ୍ତ୍ର ତାଙ୍କ ପାଣ୍ଡିତ୍ୟର ପରିଚୟ ଦିଏ। ରାଷ୍ଟ୍ର ନିର୍ମାଣ ପାଇଁ ସେ ବିନୋବା ଭାବେଙ୍କ ଘନିଷ୍ଠ ସହଯୋଗୀ ଭାବରେ ଭୂଦାନ – ଗ୍ରାମଦାନ ଆନ୍ଦୋଳନର ନେତୃତ୍ବ ନେଇ ସର୍ବସେବା ସଂଘର ସଭାପତି ଭାବରେ କାର୍ଯ୍ୟ କଲେ। ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତି ବିରୁଦ୍ଧରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନ ଆରମ୍ଭ କରି ଏହାକୁ ଚଳାଇବା ପାଇଁ ଯେଉଁ ଥିଙ୍କଟ୍ୟାଙ୍କ ଗଠନ କରିଥିଲେ, ତାହାର ସଦସ୍ୟ ଭାବେ ମନମୋହନ ସ୍ବାଧୀନ ଭାରତରେ୧୯ ମାସ ଜେଲ ଦଣ୍ଡ ଭୋଗିଥିଲେ। ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ, ଗନ୍ଧମାର୍ଦନ ବଞ୍ଚାଅ ଆନ୍ଦୋଳନ, ଚିଲିକା ବଞ୍ଚାଅ ଆନ୍ଦୋଳନ, କାଶୀପୁର ଆନ୍ଦୋଳନ, ଗୁଜରାତର କାରଗିଲ କମ୍ପାନୀ ବିରୁଦ୍ଧରେ ହୋଇଥିବା ଆନ୍ଦୋଳନରେ ସେ ଥିଲେ ଆଗରେ। ମା’ ରମାଦେବୀ ଓ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ସେ ଥିଲେ ସୁପୁତ୍ର ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଚୌଧୁରୀଙ୍କ ୧୯ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ବାଖରାବାଦସ୍ଥିତ ତାଙ୍କ ବାସ ଭବନରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗଦେଇ ମତପ୍ରକାଶ କରିଛନ୍ତି। ସର୍ବସେବା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ, ଜଷ୍ଟିସ ମନୋରଞ୍ଜନ ମହାନ୍ତି, କର୍ମଦେବ ମହାରଣା, ସ୍ବପ୍ନା ମହାପାତ୍ର, ଜୟନ୍ତ କୁମାର ଦାସ, କବିର ଜେନା, ମିହିର ପ୍ରତାପ ଦାସ, କଙ୍ଗାଳି ଚରଣ ପରିଡା, ପୂର୍ଣ୍ଣଚନ୍ଦ୍ର ବେହେରା, ଊର୍ମିଳା ସାହୁ, ଡା ବିଶ୍ବଜିତ, ମାନସ ପଟ୍ଟନାୟକ, ଅନିମା ରାୟ, ସାଗର ଦାସ, ଦିବ୍ୟଜ୍ୟୋତି ବେଉରିଆ, ସୁଜାତା ପରିଡା, ଦିବ୍ୟାଶ୍ରୀ ବେଉରିଆ, ଅଲିଭା ଦାସ ଭାଗ ନେଇଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.