କେନ୍ଦ୍ରାପଡ଼ା, ୧୨/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡ଼ା ସହରର କାକଟ ଲକରୁ ଦାନପୁର ପର୍ଯ୍ୟନ୍ତ ଗୋବରୀ କେନାଲ ବନ୍ଧ ରାସ୍ତା ଏବେ ଭାରିଯାନ ଚଳାଚଳ ଯୋଗୁଁ ଗମନାଗମନ ପାଇଁ ନଷ୍ଟ ହୋଇପଡିଥିବା ଦେଖାଯାଇଛି । ଏତଦବ୍ୟତିତ ବେପରୁଆ ଭାବେ ଅତ୍ୟଧିକ ମାଲ ବୋଝେଇ ଭାରିଯାନ ଗୁଡିକ ସେହି ରାସ୍ତାରେ ଚଳାଚଳ କରିବା ଦ୍ୱାରା ବହୁ ସମୟରେ ଧନଜୀବନ ହାନୀ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ସେହି ରାସ୍ତାରେ ଭାରିଯାନ ଚଳାଚଳ ନିଷେଧ ଥିବା ବେଳେ ଏହାକୁ ମାନି ଭାରିଯାନ ଗୁଡିକ ଅତ୍ୟଧିକ ମାଲ ଡାଲାରେ ଲୋଡକରି ସେହି ରାସ୍ତାରେ ଚଳାଚଳ କରୁଛି । ଫଳରେ ସେହି ରାସ୍ତାଟିର କେତେକ ସ୍ଥାନ ଦବି ଯାଇ ବଡ ବଡ ଗର୍ତ ସୃଷ୍ଟି ହୋଇଛି । ସେହି ରାସ୍ତା ଦେଇ ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନ ଯିବା ଆସିବା କରିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାରଣ ଯେଉଁ ସ୍ଥାନରେ ରାସ୍ତା ଦବି ଯାଇଛି ସେହି ସ୍ଥାନରେ ଚକା ପଡି ଗାଡି ନିୟନ୍ତ୍ରଣ ହରାଉଛି । ଏଥିପାଇଁ ପ୍ରତିଦିନ ଏହି ସ୍ଥାନ ଗୁଡିକରେ ଛୋଡ ବଡ଼ ଦୁର୍ଘଟଣାମାନ ଘଟୁଛି । ଆସନ୍ତା ବର୍ଷା ଋତୁରେ ସେହି ରାସ୍ତା ଦେଇ ଚଳାଚଳ କରିବା ବହୁ ସମସ୍ୟା ସୃଷ୍ଟି କରିବ । ଏହି ରାସ୍ତା ଦେଇ ଦୈନିକ ବିଭିନ୍ନ ଗ୍ରାମକୁ ଯିବା ଆସିବା କରୁଥିବା ହଜାର ହଜାର ଲୋକ ଏହି ଗାତରେ ପଡି ଖଣ୍ଡିଆଖାବରା ହେବେ । କାରଣ ବର୍ଷା ହେବା ପରେ ଏହା କାଦୁଅ ହୋଇଯିବ । ଫଳରେ ଚାରି ଚକିଆ ଓ ଦୁଇ ଚକିଆ ଗାଡିର ଚକା ଏହି ଗାତରେ ଫସିଯିବାର ଅଧିକ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ବର୍ଷାଦିନ ପୂର୍ବରୁ ଏହି ରାସ୍ତାର ମରାମତି କରାଯିବାକୁ ସାଧାରଣରେ ଦାବି କରାଯାଇଛି । ଏଥିସହ ସେହି ରାସ୍ତାରେ ଭାରିଯାନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବାକୁ ଦାବି ହୋଇଛି । ଯେଉଁ ଭାରିଯାନ ଗୁଡିକ ସେହି ରାସ୍ତାରେ ମାତ୍ରାଧିକ ମାଲ ପରିବହନ କରୁଛନ୍ତି ଓ ବେପରୁଆ ଭାବେ ଗାଡି ଚଳାଉଛନ୍ତିି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି । ସେହିପରି ରାସ୍ତାଟି ଏବେଠାରୁ ମରଣଯନ୍ତା ପାଲଟିଲାଣି । ବର୍ଷାଦିନେ ଏହାର ଅବସ୍ଥା କ’ଣ ହେବ ତାହା କହିହେବ ନାହିଁ । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି କରାଯିବାକୁ ଦାବି ହୋଇଛି । ନଚେତ ସେହି ରାସ୍ତାରେ ଭବିଷ୍ୟତରେ ଲୋକେ ମୃତାହାତ ହେବା ଘଟଣାକୁ ଏଡାଇ ଦିଆଯାଇନପାରେ । ଓଡ଼ିଶା ସମାଚାର