ଫୁଲବାଣୀ, ୧୨/୦୬/୨୦୨୨( ଓଡ଼ିଶା ସମାଚାର )- ଏସଓଜି ଓ ଡ଼ିଭିଏଫ ଯବାନମାନେ ଗୋଛାପଡା ଥାନା ଅନ୍ତର୍ଗତ ଶାସିକେତା ଜଙ୍ଗଲରେ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରିଛନ୍ତି । ସେଠାରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିବା ନେଇ ରବିବାର କନ୍ଧମାଳ ଏସପି ଭିନୀତ ଅଗ୍ରଵାଲା ସୂଚନା ଦେଇଛନ୍ତି । ଜବତ ସାମଗ୍ରୀ ମଧ୍ୟରେ ରହିଛି ୧୭ଟି ଜିଲେଟିନ ଷ୍ଟିକ, ହାତ ତିଆରି ଇନସାସ ମାଗାଜିନ, ବହୁ ମାତ୍ରାରେ ଅପ୍ରସ୍ତୁତ ମାଗାଜିନ, ୟୁନିଫର୍ମ, ଔଷଧ, ଗର୍ଭ ନିରୋଧକ ବଟିକା, ସୋଲାର ପ୍ଲେଟ, ଛୁରୀ, ଚଷମା,ମାଓବାଦୀ ପୁସ୍ତିକା ଭଳି ଜିନିଷ । ଗୋଚ୍ଛାପଡା ଥାନା ଅନ୍ତର୍ଗତ ଶାସିକେତା ଗ୍ରାମରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ ବେଳେ ଏସବୁ ସାମଗ୍ରୀ ଜବତ ହୋଇଥିବା କନ୍ଧମାଳ ଏସପି ବିନିତ ଅଗ୍ରଓ୍ଵାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ସ୍ଥାନୀୟ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି କହିଛନ୍ତି, ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇ ପୁଲିସ, ଏସଓଜି ଏବଂ ଡିଭିଏଫ ଯବାନଙ୍କ ଦ୍ବାରା ମିଳିତ କମ୍ବିଂ ଅପରେସନ କରାଯାଇଥିଲା । ଅପରେସନ ବେଳେ ଶାସିକେତା ଗ୍ରାମ ନିକଟରେ ଜଙ୍ଗଲ ମଧ୍ୟରେ ଥିବା ଏକ ଗୁମ୍ଫା ଭିତରେ ଏହି ସବୁ ସାମଗ୍ରୀ ଲୁଚାଇ ରଖାଯାଇଥିବା ଦେଖାଯାଇଥିଲା । ତେବେ ସର୍ଚ୍ଚ ଅପରେସନରୁ ବିପୁଳ ପରିମାଣର ଗର୍ଭ ନିରୋଧକ ବଟିକା ଓ ଗର୍ଭ ପରୀକ୍ଷଣ କିଟ ମିଳିବା ଘଟଣାରୁ ମାଓ କ୍ୟାମ୍ପମାନଙ୍କରେ ମହିଳା କ୍ୟାଡରମାନଙ୍କୁ ଯୌନ ନିର୍ଯାତନା ଦିଆ ଯାଉଥିବା ସ୍ପଷ୍ଟ ହେଉଛି ବୋଲି ଏସପି କହିଛନ୍ତି । ମାଓବାଦୀମାନେ ନିକଟବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଅନୁମାନ କରାଯାଉଛି । ଓଡ଼ିଶା ସମାଚାର