ପାରାଦୀପ ୧୨/୦୬/୨୦୨୨( ଓଡ଼ିଶା ସମାଚାର )-ପାରାଦୀପ ଅଂଚଳର ବିପର୍ୟ୍ୟସ୍ତ ଟ୍ରାଫିକ୍ ସମସ୍ୟାର ଆଶୁ ସମାଧାନ ପାଇଁ ପାରାଦୀପର କାର୍ୟ୍ୟରତ ସାମ୍ବାଦିକମାନେ ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି । ପ୍ରଶାସନ ଏନେଇ ପଦକ୍ଷେପ ଆରମ୍ଭ କରିଥିଲେ ବି ସେଭଳି କୌଣସି ଫଳପ୍ରଦ କାର୍ୟ୍ୟ ହୋଇନାହିଁ । ଗତ ୧୦ ତାରିଖ ଦିନ ପୁର୍ନବାର ଏ ଦିଗରେ ପଦକ୍ଷେପ ନେଇ ଦୋଛକିରୁ ଭୁତମୁଣ୍ଡାଇ, ଅଠରବାଙ୍କୀରୁ ଦୋଛକି, ଟର୍ମିନାଲ ଛକରୁ ରଙ୍ଗିଆଗଡ, ଅଠରବାଙ୍କୀରୁ ନେହେରୁ ବଙ୍ଗଳା ପର୍ୟ୍ୟନ୍ତ ରାସ୍ତାକଡରୁ ଟ୍ରକ୍ ସମେତ ଅନ୍ୟ ଭାରୀଯାନ ଗୁଡିକର ବେଆଇନ୍ ପାର୍କିଙ୍ଗକୁ ବନ୍ଦ କରିବା ଓ ଜାତୀୟ ରାଜପଥ କଡରେ ବେଆଇନ୍ ଜବରଦଖଲ ଉଛେଦ ପାଇଁ ପୁର୍ନବାର ନିବେଦନ କରିଥିଲେ । ଆସନ୍ତା ୨୦ ତାରିଖ ସୁଦ୍ଧା ଯଦି ପ୍ରଶାସନ ଏଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନ ନିଏ ତେବେ ସେହି ଦିନ କାର୍ୟ୍ୟରତ ସାମ୍ବାଦିକମାନେ ଜାତୀୟ ରାଜପଥ ଅବରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବା ନେଇ ପ୍ରଶାସନକୁ ଜଣାଇଥିଲେ । ଏହି ଦାବିପତ୍ର ପ୍ରଦାନ ପରେ ରବିବାର ଦିନ ପାରାଦୀପର କାର୍ୟ୍ୟରତ ସାମ୍ବାଦିକମାନେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକରେ ସାମିଲ ହୋଇଥିଲେ । ପାରାଦୀପର ବହୁ ଗଣଅନୁଷ୍ଟାନ, ବ୍ୟବସାୟିକ ସଙ୍ଗଠନ ଏହି ଧାରଣାରେ ସାମିଲ ହେବାକୁ ପ୍ରତିଶୃତି ଦେଇଥିବା ନେଇ ଆଲୋଚନା କରାଯାଇଥିଲା । ଜନସାଧାରଣଙ୍କ ବୃହତର ସ୍ୱାର୍ଥ ରକ୍ଷା ପାଇଁ ଏହି ଧାରଣା ହେବା ନେଇ ଚୂଡାନ୍ତ ନିଷ୍ପତି ନିଆଯାଇଥିଲା । ଆଗାମୀ ୧୮ ତାରିଖ ଦିନ ପରବର୍ତୀ କାର୍ୟ୍ୟପନ୍ଥା ନେଇ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଓଡ଼ିଶା ସମାଚାର