ଭୁବନେଶ୍ୱର,୧୨/୦୬/୨୦୨୨( ଓଡ଼ିଶା ସମାଚାର )- ‘ସବୁଜ ଗୃହ ବାଷ୍ପ’ ସ୍ତରରେ ଅଭିବୃଦ୍ଧି ଦ୍ୱାରା ପରିବେଶ ସନ୍ତୁଳନ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି। ବିଶ୍ୱ ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟିବା ଯୋଗୁଁ ବିଶ୍ୱ ଜଳବାୟୂରେ ଅସାଧାରଣ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଏହାକୁ ନଜରରେ ରଖି ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ ଏନ୍ ଭାଇରନ୍ ମେଣ୍ଟ ଆଣ୍ଡ ମ୍ୟାନେ୍ୟାନେଜ୍ ମେଣ୍ଟ ସର୍ଭିସ୍ ଭୁବନେଶ୍ୱର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସହଯୋଗରେ ଦୀର୍ଘସ୍ଥାୟୀ ଉତ୍ତମ ପରିବେଶ ଓ ଜଳବାୟୂ ପରିବର୍ତ୍ତନକୁ ନେଇ ଏକ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହାର ବିଷୟବସ୍ତୁ ଥିଲା ‘ପ୍ରମୁଖ କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ଭାବେ ପ୍ରାକୃତିକ ସମ୍ପଦର ବ୍ୟବହାର ଏବଂ ସଂରକ୍ଷଣ’।
ଆଲୋଚନାକ୍ରରେ ଅନୁଷ୍ଠାନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ପାଣିଗ୍ରାହୀ କହିଥିଲେ ବିଶ୍ୱ ତାପମାତ୍ରାରେ ବୃଦ୍ଧି ଓ ଜଳବାୟୂ ପରିବର୍ତ୍ତନ ଭଳି ବିଷୟ ଏକବିଂଶ ଶତାବ୍ଦୀର ମୁଖ୍ୟ ଆହ୍ୱାନ। ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ସୀମିତ କରି ଓ ଅଣପାରମ୍ପରିକ ଶକ୍ତିର ଉତ୍ସକୁ ନିୟୋଜିତ କରି ଜଳବାୟୂ ପରିବର୍ତ୍ତନକୁ ପ୍ରଶମନ କରିପାରିବା ବୋଲି ଆଲୋଚନାଚକ୍ରର ଅଧ୍ୟକ୍ଷ ବିନୋଦ କୁମାର କହିଥିଲେ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ଖାଦ୍ୟ କମିସନର ତଥା ଅଧ୍ୟକ୍ଷ ପ୍ରମୋଦ କୁମାର ମେରକାପ, ସମ୍ମାନିତ ଅତିଥିଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ କେ ମୁରୁଗସେନ ଓ ସ୍ୱତନ୍ତ୍ର ଅତିଥି ଭାବେ ଆଚାର୍ୟ୍ୟ ଏସି ଫୁନୁଶୁକ ପୂର୍ବତନ ବାଚସ୍ପତି, ତିବେତିଆନ୍ ପାର୍ଲ୍ୟାମେଣ୍ଟ ଆଲୋଚନାଚକ୍ରକୁ ଉଦଘାଟନ କରିଥିଲେ।
ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ଟି ଖଣିଜ ଓ ଶିଳ୍ପ ସଂସ୍ଥାକୁ ‘କଳିଙ୍ଗ ସିଏସଆର୍ ଉତ୍କର୍ଷ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଏହି ଅଧିବେଶନରେ ଶିଳ୍ପ, ଖଣିଜ, ଶିକ୍ଷାନୁଷ୍ଠାନ ଓ ସରକାରୀ ଅନୁଷ୍ଠାନର ପ୍ରତିନିଧିମାନେ ସନ୍ଦର୍ଭ ଉପସ୍ଥାପନା କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ୨୦୦ରୁ ଅଧିକ ପ୍ରତିନିଧି ଏହି କର୍ମଶାଳାରେ ଯୋଗ ଦେଇଥିଲେ। ଶେଷରେ ଅନୁଷ୍ଠାନର ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ସୁବ୍ରତ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ। ଓଡ଼ିଶା ସମାଚାର
Home / ବ୍ୟବସାୟ ବାଣିଜ୍ୟ / ପରିବେଶ ସୁରକ୍ଷା ଓ ଜଳବାୟୂ ପରିବର୍ତ୍ତନ ଶୀର୍ଷକ ଆଲୋଚନାଚକ୍ର – ୧୫ ଖଣି ସଂସ୍ଥାକୁ କଳିଙ୍ଗ ସିଏସ୍ ଆର୍ ଉତ୍କର୍ଷ ପୁରସ୍କାର