(ସାହିତ୍ୟ ଅକାଦେମି ପକ୍ଷରୁ ଗଙ୍ଗାଧର ରଥଙ୍କ ଜନ୍ମଶତବାର୍ଷିକୀ)
କଟକ, ୧୨/୦୬/୨୦୨୨( ଓଡ଼ିଶା ସମାଚାର )- ଗଙ୍ଗାଧର ରଥ ମାନବିକ ଚେତନାର ବିକାଶ ପାଇଁ ସମଗ୍ର ଜୀବନକୁ ନିୟୋଜିତ କରିଥିଲେ। ସାମାଜିକ ସମସ୍ୟାର ସମାଧାନ ସହ ସଂସ୍କାର ପାଇଁ ସେ ନିଷ୍ଠାପର ଭାବରେ କାର୍ଯ୍ୟ କରୁଥିଲେ। ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ପାଇଁ ଗଙ୍ଗାଧରଙ୍କ ନିଷ୍ଠାପର କାର୍ଯ୍ୟଧାରା ଉଲ୍ଲେଖଯୋଗ୍ୟ ବୋଲି ବିଶିଷ୍ଟ ଲେଖକ ଓ ଖ୍ୟାତନାମା ଆଇନଜ୍ଞ ଗଙ୍ଗାଧର ରଥଙ୍କ ଜନ୍ମଶତବାର୍ଷିକ ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି।
ଗତକାଲି ଶତାବ୍ଦୀ ଭବନଠାରେ ସାହିତ୍ୟ ଅକାଦେମି ଆନୁକୂଲ୍ୟରେ ଗଙ୍ଗାଧର ରଥଙ୍କ ଜନ୍ମଶତବାର୍ଷିକ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରକୁ ଉଦଘାଟନ କରି ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ କହିଲେ ଯେ ଗଙ୍ଗାଧର ରଥ ମାନବବାଦୀ ଚେତନାର ପ୍ରସାରରେ ନିଷ୍ଠାପର ଭାବରେ କାର୍ଯ୍ୟକ କରୁଥିଲେ। ଆଇନ୍ ଓ ସାହିତ୍ୟର ସମନ୍ୱୟ ଥିଲା ଗଙ୍ଗାଧର ରଥଙ୍କ ଜୀବନ ଧାରା। ସେ ସାହିତ୍ୟ ସାଧନା କରିବା ସହିତ ଲେଖକ ଓ ଆଇନଜ୍ଞ ସୃଷ୍ଟି ପାଇଁ ଯଥେଷ୍ଟ ପ୍ରୋତ୍ସାହନ ଦେଉଥିଲେ। ସେ ଥିଲେ ବାସ୍ତବରେ ପ୍ରେରଣାର ଉତ୍ସ। ସମ୍ମାନିତ ଅତିଥି ଶ୍ରୀ ଗଙ୍ଗାଧର ରଥ ପାଉଣ୍ଡେସନର ସମ୍ପାଦକ ସୁସ୍ମିତା ରଥ କହିଲେ ଯେ ଆଇନ୍ ଓ ସାହିତ୍ୟ ସାଧନାସହ ଉନ୍ନତ ସାମାଜିକ ଜୀବନଯାପନରେ ଗଙ୍ଗାଧର ଥିଲେ ଜଣେ ଆଦର୍ଶପୂର୍ଣ୍ଣ ବ୍ୟକ୍ତିତ୍ୱ। ଏହି ଅଧିବେଶନରେ ପୌରୁଷର ସମ୍ପାଦକ ଅସିତ ମହାନ୍ତି ମୂଳଭାଷଣ ପ୍ରଦାନକରି ଗଙ୍ଗାଧରଙ୍କୁ ଜଣେ ଅନନ୍ୟ ବ୍ୟକ୍ତି ଭାବରେ ଅବିହିତ କରିଥିଲେ। ସାହିତ୍ୟ ଅକାଦେମିର ସାଧାରଣ ପରିଷଦ ସଦସ୍ୟ କବି ଅମରେଶ ପଟ୍ଟନାୟକ ସଭାପତିତ୍ୱ କରି କହିଲେ ଯେ, ଗଙ୍ଗାଧର ରଥ ଥିଲେ ଜଣେ ସମାଜ ସଂସ୍କାରକ।
ସାହିତ୍ୟ ଅକାଦେମିର କାର୍ଯ୍ୟକ୍ରମ ଅଧିକାରୀ ମିହିର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ପୂର୍ବକ ଗଙ୍ଗାଧର ରଥ ସାହିତ୍ୟିକମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ‘ସାହିତ୍ୟ ଭାରତୀ ପୁରସ୍କାର’ ପ୍ରଦାନ କରି ସ୍ମରଣୀୟ ହୋଇଛନ୍ତି ବୋଲି କହିଥିଲେ। ଏହି ଅଧିବେଶନରେ ଗବେଷକ କମଳ ମାହୁନ୍ତ ଧନ୍ୟବାଦ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଡକ୍ଟର ବୈଜୟନ୍ତୀ ମିଶ୍ର ଉତ୍ସବର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ।
ପ୍ରଥମ ବୈଷୟିକ ଅଧିବେଶନ ପ୍ରଫେସର ବିଜୟ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେବବ୍ରତ ମଦନରାୟ ଓ ପୀତାମ୍ବର ଆଚାର୍ଯ୍ୟ ଗଙ୍ଗାଧରଙ୍କ ଗଳ୍ପସାହିତ୍ୟ ଓ ଆଇନ୍ ଜଗତ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏଥିରେ ଡକ୍ଟର ସାରଦା ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ୱିତୀୟ ଅଧିବେଶନରେ ବିଜୟ କୁମାର ପଡ଼ିହାରୀ ସଭାପତିତ୍ୱ କରିଥିଲାବେଳେ ଡକ୍ଟର ଟଚୀନ୍ଦ୍ର କୁମାର ରାଉତ ଓ ଡକ୍ଟର ସୋମା ଚାନ୍ଦ ଗଙ୍ଗାଧରଙ୍କ ଜୀବନୀ ସାହିତ୍ୟ ଓ ଇତିହାସ ପ୍ରଣୟନ ତାଙ୍କ ବ୍ୟକ୍ତିତ୍ୱର ଉଜ୍ଜ୍ୱଳମୟ ଦିଗ ବୋଲି କହିଥିଲେ। ଏଥିରେ ଲିପ୍ସିତା ରଥ ଧନ୍ୟବାଦ ଦେଇଥିଲେ। ଓଡ଼ିଶା ସମାଚାର