ଜଳଖିଆ ଦୋକାନ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି
କେନ୍ଦ୍ରାପଡ଼ା, ୧୨/୦୬/୨୦୨୨( ଓଡ଼ିଶା ସମାଚାର )- ଚାକିରୀ ପଛରେ ଗୋଡାଇ ବେକାରୀ ହେବା ଅପେକ୍ଷା ନିଜେ କିଛି ବ୍ୟବସାୟ କରି ଆତ୍ମନିର୍ଭରଶୀଳ ହେବା ଶ୍ରେୟସ୍କର । କାରଣ କୌଣସି ବ୍ୟବସାୟ କରିବା ଦ୍ୱାରା ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିବେ । ଏହିଭଳି ଜଣେ ଶିକ୍ଷିତା ଯୁବତୀ ହେଉଛନ୍ତି ଗୀତାଞ୍ଜଳି ସାହୁ । ଗୀତାଞ୍ଜଳି କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ଏକ ଜଳଖିଆ ଦୋକାନ କରିଛନ୍ତି । ଗୀତାଞ୍ଜଳି ଶିକ୍ଷା(ଏଜୁକେସନ) ଅନର୍ସ ରଖି ୨୦୧୮ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ବିଏ ପାସ କରିଛନ୍ତି । ଏହାପରେ ସେ ଚାକିରୀ ପଛରେ ନ ଗୋଡାଇ ନିଜେ ବ୍ୟବସାୟ କରୁଛନ୍ତି । ଏଥିସହିତ ସେ ଜଣେ ସମାଜସେବୀ ଭାବେ ମଧ୍ୟ ବେଶ ପରିଚିତ । ଗୀତାଞ୍ଜଳିଙ୍କ ୪ ଭଉଣୀ । ଏହି ଦୋକାନରେ ସେ ଦିନକୁ ୧୦ ଘଂଟା କାମ କରନ୍ତି । ୪ ଭଉଣୀ ମଧ୍ୟରୁ ଗୀତାଞ୍ଜଳି ଦ୍ୱିତୀୟ । କେନ୍ଦ୍ରାପଡା ସହରର ବଡ଼ବାରଙ୍ଗ ଗ୍ରାମର କେଶବ ସାହୁ କୁହନ୍ତି ଗୀତାଞ୍ଜଳି ମୋ ଝିଅ ଓ ପୁଅ ଉଭୟ । କାରଣ ସେ ପୁଅ ଭଳି ଦୋକାନ ସମ୍ଭାଳୁଛି ଓ ଝିଅ ହୋଇ ଘର କାମ ମଧ୍ୟ କରୁଛି । ସେ ଦୋକାନ ନ ସମ୍ଭାଳିଲେ ଦୋକାନ ଚାଲି ପାରେ ନାହିଁ । ତାର ଯଦି କୌଣସି ଦିନ ଦେହ ଅସୁସ୍ଥ ହୁଏ ତାହା ହେଲେ ଦୋକାନ କାର୍ଯ୍ୟ ଠିକ ଭାବେ ହୋଇ ପାରେ ନାହିଁ । କାରଣ ଦୋକାନର ସବୁ କାର୍ଯ୍ୟ ମୁଁ କରିପାରେ ନାହିଁ । ତେଣୁ ମୁଁ କେବେ ଅନୁଭବ କରିନାହିଁ ଯେ ମୋର ପୁଅ ନାହିଁ ବୋଲି । ଗୀତାଞ୍ଜଳି ମୋ ପୁଅ ହୋଇ ଘର ଓ ବାହାର ଉଭୟ କାର୍ଯ୍ୟ କରିପାରେ । ଦୋକାନ ପାଇଁ ଜିନିଷପତ୍ର ମଧ୍ୟ ସେ ବଜାରରୁ କିଣି ନେଇ ଆସେ ବୋଲି ସେ କହିଛନ୍ତି । ଚାକିରୀ ସମ୍ପର୍କରେ ପଚାରିବାରେ ଗୀତାଞ୍ଜଳି କୁହନ୍ତି ଆମେ ସମସ୍ତେ ଯଦି ଚାକିରୀ ପଛରେ ଦୌଡିବା ତାହା ହେଲେ ଆମ ଅର୍ଥନୀତି ସୁଦୃଢ ହୋଇ ପାରିବ ନାହିଁ । ତେଣୁ ଆମକୁ ବ୍ୟବସାୟ ମଧ୍ୟ କରିବାକୁ ପଡିବ । କାରଣ ମୁଁ ଦୋକାନ ପାଇଁ ଯେଉଁ ସବୁ ଜିନିଷ ବଜାରରୁ କିଣୁଛି ସେ ଜିନିଷ ପ୍ରସ୍ତୁତ କରିବା ପାଇଁ ଅନେକ ପରିବାର ପରୋକ୍ଷରେ ନିୟୋଜିତ ହୋଇଛନ୍ତି । ତେଣୁ ପରୋକ୍ଷରେ ମୋ ଦୋକାନ ପାଇଁ ଅନେକ ପରିବାର ପ୍ରତିପୋଷଣ ହୋଇ ପାରୁଛନ୍ତି । ସେ କହିଛନ୍ତି ପାଠ ପଢିଥିଲେ ସବୁ କ୍ଷେତ୍ରରେ ତାହାକୁ କାର୍ଯ୍ୟକାରୀ କରିହେବ । କେବଳ ପାଠ ପଢି ଯେ ଚାକିରୀ କରିବା ସେ ମାନସିକତାରୁ ଶିକ୍ଷିତ ଯୁବକ ଯୁବତୀମାନେ ଦୂରେଇ ରହିବା ଆବଶ୍ୟକ । କାରଣ ପାଠର ମହତ୍ୱ ସବୁ ସ୍ଥାନରେ ରହିଛି ବୋଲି କହିଛନ୍ତି ଗୀତାଞ୍ଜଳି । ଓଡ଼ିଶା ସମାଚାର