Friday , March 31 2023
Home / ବିଶେଷ / ୯ ଦଫା ଦାବି ପୂରଣ ନହେଲେ ଜୁଲାଇ ୧ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ

୯ ଦଫା ଦାବି ପୂରଣ ନହେଲେ ଜୁଲାଇ ୧ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୧୧/୦୬/୨୦୨୨( ଓଡ଼ିଶା ସମାଚାର )- ୯ ଦଫା ନେଇ ପୂର୍ବରୁ ହୋଇଥିବା ଦାବି ପୂରଣ କରା ନଗଲେ ଆସନ୍ତା ଜୁଲାଇ ୧ ତାରିଖରୁ ସାରା ରାଜ୍ୟରେ ପାଖାପାଖି ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଆଜି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏଭଳି ଚେତାବନୀ ଦେଇଛି । ଘରୋଇ ବସ୍ ସଂଘର ରାଜ୍ୟ କାର୍ୟ୍ୟକାରିଣୀ ବୈଠକ ପରେ ସଂଘର ସଂପାଦକ ଦେବେନ୍ଦ୍ର କୁମାର ସାହୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ, ୯ ଦଫା ଦାବି ନେଇ ସଂଘ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲା। ବସ୍ ର ପରମିଟ୍ ଗୁଡିକୁ ତୃତୀୟ ପକ୍ଷକୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ୟ୍ୟକାରୀ ନକରିବା, ଦିନରେ ସ୍ଲିପର ବସ୍ କୁ ଅନୁମତି ଦେବା, ୧୫ ବର୍ଷରୁ ଊର୍ଦ୍ଧ୍ବ ଗାଡ଼ିକୁ ସ୍ଥାୟୀ ଚଳାଚଳ ପାଇଁ, ବସ୍ ଗୁଡିକୁ ସ୍ଥାୟୀ ପରମିଟ୍ ନଦେବା, ମଙ୍ଗୁଳିଠାରୁ ସମ୍ବଲପୁର ପର୍ୟ୍ୟନ୍ତ ଜାତୀୟ ରାଜପଥ-୫୫ର ନିର୍ମାଣ କାର୍ୟ୍ୟରେ ବିଳମ୍ବ, ଯାତ୍ରୀବାହୀ ବସ୍ ଗୁଡିକ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଓ ଚଢାଇବା ପାଇଁ ସରକାର କୌଣସି ସ୍ଥାନ ନଦେବା, କୋଭିଡ୍ ସମୟରେ ବସ୍ ମାଲିକମାନଙ୍କୁ ୧ ଲକ୍ଷ ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ୟ୍ୟକାରୀ ନକରିବା ଏବଂ ଯାତ୍ରୀବାହୀ ବସ୍ ଗୁଡିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲଟ୍ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଭଳିଦାବି ସମୂହକୁ ନେଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଲୋକଙ୍କର ଗାଡ଼ିରେ ନମ୍ବର ଥାଇ ପୁଣି ଥରେ ହାଇ ସିକ୍ୟୁରିଟି ନମ୍ବର ପାଇଁ କାହିଁକି ଅଯଥାରେ ଖର୍ଚ୍ଚ କରିବେ। ତେଣୁ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିବା ଦରକାର। ରାଜ୍ୟ ସରକାର ଯଦି ଆସନ୍ତା ୩୦ ତାରିଖ ମଧ୍ୟରାତ୍ର ସୁଦ୍ଧା ଏ ସମସ୍ତ ଦାବି ପୂଣ ନକରନ୍ତି, ତେବେ ରାଜ୍ୟର ଘରୋଇ ବସ୍ ଗୁଡ଼ିକ ଜୁଲାଇ ୧ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚଳାଚଳ ବନ୍ଦ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।
ବୈଠକରେ କୋଷାଧ୍ୟକ୍ଷ ବରଦାପ୍ରସନ୍ନ ଆଚାର୍ୟ୍ୟ, ସହକୋଷାଧ୍ୟକ୍ଷ ଅଜୟ କୁମାର ବାରିକ, ମୁଖପାତ୍ର ଦେବାଶିଷ ନାୟକ, ସମ୍ବଲପୁର ସଂଘ ସଭାପତି ସୁବ୍ରତ କୁମାର ପାଣିଗ୍ରାହୀ, ତାଳଚେର ସଂଘ ସଭାପତି ଶ୍ରୀକାନ୍ତ ପାଣି, ଗଂଜାମ ସଂଘ ସଂପାଦକ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଭଦ୍ରକ ସଂଘର ଜୋନାଲ ସଂପାଦକ ଶ୍ରୀନିବାସ ପତି, ଆସ୍କା ସଂଘର ସନ୍ତୋଷ କୁମାର ପଲାଇ, କଟକ ସଂଘର ପ୍ରିୟବ୍ରତ ତ୍ରିପାଠୀଙ୍କ ସମେତ ରାଜ୍ୟର ଅନ୍ୟ ଜିଲ୍ଲା ସଂଘର ପଦାଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.