Friday , March 31 2023
Home / ବିଶେଷ / ହଜ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ହଜ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧/୦୬/୨୦୨୨( ଓଡ଼ିଶା ସମାଚାର )- ଆଜି ହଜ୍ ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଜ୍ ଯାତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ରାଜ୍ୟ ହଜ୍ କମିଟି, ଏସସି ଏସଟି ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଜରିଆରେ ୩୮୮ ଜଣ ଯାତ୍ରୀ ହଜ୍ ଯାତ୍ରାରେ ସାଉଦି ଆରବର ମକ୍କା ଓ ମଦିନା ଯିବେ । ହଜ୍ ଯାତ୍ରୀଙ୍କ ମଧ୍ୟରେ ୨୨୪ ଜଣ ପୁରୁଷ ଓ ୧୬୪ ଜଣ ମହିଳା ଅଛନ୍ତି । ସେମାନଙ୍କ ସୁବିଧା ପାଇଁ ୩ ଜଣ ସରକାରୀ କର୍ମଚାରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଯାତ୍ରୀଙ୍କୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯିବା ସହ ଓଡ଼ିଆ ହଜ୍ ଗାଇଡ ଉନ୍ମୋଚନ କରାଯାଇଛି ।
ଉତ୍ସବରେ ଏସସି ଏସଟି ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସଦସ୍ୟ ମୁନ୍ନା ଖାନ୍, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ହଜ୍ କମିଟି କାର୍ୟ୍ୟ ନିର୍ବାହୀ ଅଧିକାରୀ ସୟଦ ମହମ୍ମଦ ଅକଦସ୍ ଯୋଗଦେଇ ହଜ୍ ଯାତ୍ରୀଙ୍କୁ ଶୁଭକାମନା ଜଣାଇଥିଲେ । ସଂଖ୍ୟାଲଘୁଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବହୁ କାର୍ୟ୍ୟକ୍ରମ ହାତକୁ ନେଉଛନ୍ତି । କୋଭିଡ୍ ଯୋଗୁଁ ୨ ବର୍ଷ ପରେ ହଜ୍ ଯାତ୍ରା ସୁଯୋଗ ପାଇଥିବାରୁ ହଜ୍ ଯାତ୍ରୀ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.