୭ ଟଙ୍କା ମଜୁରୀରେ ରଥ ନିର୍ମାଣ କାମ କରିଥିଲି: ମୁଖ୍ୟ ବିଶ୍ୱକର୍ମା
କେନ୍ଦ୍ରାପଡ଼ା, ୧୦/୦୬/୨୦୨୨( ଓଡ଼ିଶା ସମାଚାର )- କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ୧୪ ଜଣ ବିଶ୍ୱକର୍ମାଙ୍କ ସହିତ ୮ ଜଣ ସହାୟକ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି । ଏହି ବ୍ରହ୍ମତାଳଧ୍ୱଜ ରଥର ଚକ ସଂଖ୍ୟା ହେଉଛି ୧୪ । ୧୪ ଚକ ବିଶିଷ୍ଟ ରଥରେ ବିଜେ କରି ଶ୍ରୀଜୀଉମାନେ ଆସନ୍ତା ଜୁଲାଇମାସ ଏକ ତାରିଖରେ ମାଉସୀ ମା’ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ କରିବା ପାଇଁ କୁହୁଡ଼ି, ନରେନ୍ଦ୍ରପୁର, ନାରାୟଣପୁର, ନେମ୍ବରା ପ୍ରଭୃତି ଗ୍ରାମର ମହାରଣାମାନେ ନିୟୋଜିତ ହୋଇଛନ୍ତି । ରଥ ନିର୍ମାଣ ଦାୟିତ୍ୱରେ ଥିବା ମୁଖ୍ୟ ବିଶ୍ୱକର୍ମା ରଘୁନାଥ ମହାରଣା କୁହନ୍ତି ଆମର ପୂର୍ବ ପୁରୁଷମାନେ ରଥ ନିର୍ମାଣ କାର୍ଯ୍ୟ କରୁଥିଲେ । ବଂଶାନୁକ୍ରମିକ ଭାବେ ଆମେ ଏହି ରଥ ନିର୍ମାଣ କାର୍ଯ୍ୟ କରୁଛୁ । ମୁଁ ଯେତେବେଳେ ପ୍ରଥମେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଲି ସେତେବେଳେ ପାରିଶ୍ରମିକ ଥିଲା ଦିନକୁ ମାତ୍ର ୭ଟଙ୍କା । ଏବେ ତାହା ବୃଦ୍ଧି ପାଇ ୫୦୦ ଟଙ୍କାରେ ପହଂଚିଛି । ରଥ ନିର୍ମାଣ କାର୍ଯ୍ୟ କରିବା ବେଳେ ଆମକୁ ଏକ ନିଆରା ଅନୁଭୁତି ମିଳେ ଯାହା ବର୍ଷ ସାରା ପେଟ ପାଟଣା ପାଇଁ ଅନ୍ୟ କୌଣସି କାର୍ଯ୍ୟ କଲେ ମିଳେନାହିଁ । ତେଣୁ ଆମେ ଚାହିଁ ବସିଥାଉ କେବେ ଅକ୍ଷୟ ତୃତୀୟ ଆସିବ ଓ ଆମେ ରଥ ନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବୁ ।
ବ୍ରହ୍ମ ତାଳଧ୍ୱଜ ରଥରେ ୧୪ ଚକ, ୭ ଅଖ, ୬୪ ଖୁଂଟିଆ, ୪ ମୁଖ୍ୟ ନାହାକା, ୧୬ କଣି ନାହାକା, ୮ଟି ବରାନ୍ଦ ବ୍ୟବହାର କରାଯାଇଥାଏ ବୋଲି ସେ କହିଛନ୍ତି । ସେହିପରି ଅନ୍ୟ ଜଣେ ମହାରଣା ପୁରୁଷୋତମ ଓଝା କହିଛନ୍ତି ସେ ଗତ ୪୦ ବର୍ଷ ହେବ ରଥ ନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ବର୍ଷର ଅନ୍ୟ ସମୟରେ ସେମାନେ ଅନ୍ୟାନ୍ୟ କାଠ କାମ କରିଥାନ୍ତି । ହେଲେ ରଥ ନିର୍ମାଣ କରିବାରେ ଯେଉଁ ଆନନ୍ଦ ମିଳିଥାଏ ତାହା ଅନ୍ୟ କୌଣସି କାମ କରିବାରେ ମିଳି ନ ଥାଏ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର