Friday , September 29 2023
Breaking News
Home / ବିଶେଷ / ରାସନ ସାମଗ୍ରୀ ପାଇଁ ୩କି.ମି. ଦୌଡୁଛନ୍ତି ହିତାଧିକାରୀ 

ରାସନ ସାମଗ୍ରୀ ପାଇଁ ୩କି.ମି. ଦୌଡୁଛନ୍ତି ହିତାଧିକାରୀ 

ରଘୁନାଥପୁର, ୧୦/୦୬/୨୦୨୨( ଓଡ଼ିଶା ସମାଚାର )- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ପଂଚାୟତର ୧୫ନଂ, ୧୬ନଂ, ୧୭ନଂ, ୧୮ନଂ ୱାର୍ଡର ୫ଶହରୁ ଉଦ୍ଧ୍ୱର୍ ଖାଉଟି ମାନେ ସେମାନଙ୍କର କଂଟ୍ରୋଲ ସାମଗ୍ରୀ ଆଣିବା ପାଇଁ ୩ କି.ମି. ଦୂର ପାଟେଣି ଗାଁକୁ ଯିବାକୁ ପଡୁଛି । ଏହି ୩ କି.ମି. ରାସ୍ତା ଯିବାପାଇଁ ଉପରୋକ୍ତ ୫ଗୋଟି ୱାର୍ଡର ବୃଦ୍ଧବୃଦ୍ଧାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଗୁଆଳିପୁର ଗ୍ରାମରେ ହିତାଧିକାରି ମାନଙ୍କୁ ରାସନ ସାମଗ୍ରୀ ଯୋଗଇ ଦେବାପାଇଁ ଜଣକୁ ଡିଲର ସିପ୍ ଦେବା ଏଠାରେ ସାମଗ୍ରୀ ବଂଟନ କରିବା ନିମନ୍ତେ ଗ୍ରାମବାସୀମାନେ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ସମସ୍ୟା ସମ୍ପର୍କରେ ଅବଗତ କରାଇ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଗ୍ରାମବାସୀଙ୍କ ଦାବିପତ୍ରକୁ ଗ୍ରହଣ କରି ତୁରନ୍ତ ଗୁଆଳିପୁର ଗ୍ରାମରେ ଏକ ନୂତନ ଡିଲର ନିଯୁକ୍ତି ନିମନ୍ତେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଲିଖିତ ନିର୍ଦ୍ଧେଶ ଦେଇଥିଲେ । ଜଗତସିଂହପୁର ଜିଲ୍ଲା ଯୋଗାଣ ଅଧିକାରୀ ଗୁଆଳିପୁର ଗ୍ରାମରେ ଡିଲର ନିଯୁକ୍ତି ନିମନ୍ତେ ରଘୁନାଥପୁର ବିଡିଓଙ୍କୁ ଲିଖିତଭାବେ ନିର୍ଦ୍ଧେଶ ଦେଇଥିଲେ । ମାତ୍ର ଜିଲ୍ଲା ଯୋଗାଣ ଅଧିକାରୀ ନିର୍ଦ୍ଧେଶ ଦେବାର ବହୁ ଦିନ ବିତିଯାଇଥିଲେ ମଧ୍ୟ ଗୁଆଳିପୁରରେ ନୂତନ ଡିଲର ନିଯୁକ୍ତି ନଦେବାରୁ ଗ୍ରାମବାସୀମାନେ ଆଜି ରଘୁନାଥପୁର ବ୍ଲକକୁ ଆସି ସେମାନଙ୍କର ଦାବି ବ୍ଲକରେ ବିଡିଓ ନଥିବାରୁ ମାର୍କେଟିଙ୍ଗ ଇନିସ୍ପେକ୍ଟର ବାବୁଲାଲ ବାରିକଙ୍କୁ ଭେଟି ସେମାନଙ୍କର ଦାବିପତ୍ର ପ୍ରଦାନ କରି ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିର୍ଦ୍ଧେଶ ସତ୍ୱେ ତାଙ୍କ ଗ୍ରାମରେ କାହିଁକି ଏପର୍ଯ୍ୟନ୍ତ ଡିଲର ନିଯୁକ୍ତି କରାଯାଇନାହିଁ ବୋଲି ପଚାରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଚିଠି ସେ ପାଇନାହାଁନ୍ତି ତାହା ବିଡିଓଙ୍କ ପାଖରେ ଥାଇ ପାରେ ବୋଲି ମାର୍କେଟିଙ୍ଗ ଇନିସ୍ପେକ୍ଟର ଗ୍ରାମବାସୀଙ୍କୁ କହିଥିଲେ । ବିଡିଓ ଆସିଲେ ଏସମ୍ପର୍କରେ ପଦକ୍ଷେପ ନେବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ମାତ୍ର ବିଡିଓ ଆଜି ଜଗତସିଂହପୁରରେ ଏକ ବୈଠକରେ ଯୋଗଦେଇଥିବାରୁ ତାଙ୍କ ସହ ଗ୍ରାମବାସୀମାନେ ଯୋଗାଯୋଗ କରିପାରିନଥିଲେ । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଗୁଆଳିପୁର ଗ୍ରାମରେ ଡିଲର ନିଯୁକ୍ତି କରିବାକୁ ଅଜିତ୍ ମହାରଣା, ଅଶୋକ ପଟ୍ଟନାୟକ, ରାଜେଶ ପଟ୍ଟନାୟକ, ବିଶ୍ୱଜିତ୍ ସ୍ୱାଇଁ, ସୁଶିଲ ସ୍ୱାଇଁ, ଅଭିନାଶ ପଟ୍ଟନାୟକ, ଅଭିଜିତ୍ ସ୍ୱାଇଁ, ସୌମ୍ୟରଞ୍ଜନ ସ୍ୱାଇଁ, ରାଜକିଶୋର ବେହେରା, ମାନସ ପଟ୍ଟନାୟକ, ତପନ ମହାରଣା ପ୍ରମୁଖ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *