ଭୁବନେଶ୍ୱର , ୧୦/୦୬/୨୦୨୨( ଓଡ଼ିଶା ସମାଚାର )- ବାଚସ୍ପତି ନିର୍ବାଚନ ପାଇଁ ଆଜି ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ବିକ୍ରମ କେଶରୀ ଆରୁଖଙ୍କ ସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସମୀର ରଂଜନ ଦାଶ, ବିଧାୟକ ଭୂପିନ୍ଦର ସିଂ, ରାଜେନ୍ଦ୍ର ସାହୁ ଓ ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବା ନିଶ୍ଚିତ ।
ନାମାଙ୍କନ ପତ୍ର ଦାଖଲ ପରେ ବିକ୍ରମ କେଶରୀ ଆରୁଖ କହିଛନ୍ତି, ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋ ନାଁ ପ୍ରସ୍ତାବ କରିଥିବାରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ବିଧାନସଭାର ପରମ୍ପରା ଓ ଗାରିମା ରକ୍ଷା ପାଇଁ ଉଦ୍ୟମ ଜାରି ରଖିବି।
ଉଲ୍ଲେଖଯୋଗ୍ୟ, ୧୯୯୫ ମସିହାରୁ ଲଗାତାର ଭାବେ ଭଞ୍ଜନଗରରୁ ଜିତି ଆସୁଥିବା ଶ୍ରୀ ଆରୁଖ ୨୦୦୮ ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ବ ତୁଲାଇଥିଲେ। ଏହା ପରେ ୨୦୦୯ ମସିହାରୁ ଲଗାତାର ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଆସୁଛନ୍ତି। ସେ ବିଭିନ୍ନ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ରହିଛନ୍ତି।ନୂତନ ମନ୍ତ୍ରୀ ମଣ୍ଡଳ ଗଠନ ସମୟରେ ଶ୍ରୀ ଆରୁଖ ବିଧାନସଭାର ବାଚସ୍ପତି ହେବା ନେଇ ଚର୍ଚ୍ଚା ହେଉଥିଳା । ଆଜି ସେ ନାମାଙ୍କନ ପତ୍ର ଦାଖଲ କରିବା ପରେ ତାହା ସତ୍ୟ ପ୍ରମାଣିତ ହୋଇଛି । ଓଡ଼ିଶା ସମାଚାର