ଭୁବନେଶ୍ୱର,୦୮/୦୬/୨୦୨୨( ଓଡ଼ିଶା ସମାଚାର )- ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତସିଂହାରଙ୍କ ରଚନାରେ ଭକ୍ତିଭାବର ପ୍ରକଟ ସହ ରାଧାକୃଷ୍ଣ ଚେତନା ଜାଗରିତ ହୋଇଥିଲା । ତାଙ୍କ ଗୀତ ମାଧ୍ୟମରେ କୃଷ୍ଣଭକ୍ତିର ପରାକାଷ୍ଠା ସମାଜକୁ ନୂତନ ଆଧ୍ୟାତ୍ମିକତାରେ ଭାବ ବିହ୍ୱଳ କରିଥିଲା ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଅଭିମନୁ୍ୟ ସ୍ମୃତି ସଂସଦ, ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କବିଙ୍କ ୨୧୬ତମ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର ମଧୁସୂଦନ ନଗରସ୍ଥ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ଶ୍ରଦ୍ଧାଳୁମାନେ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଭିମନୁ୍ୟ ସ୍ମୃତି ସଂସଦର ସଭାପତି ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ଖତୁ ଚରଣ ବିଶ୍ୱାଳ, ପୂର୍ବତନ କର୍ପୋରେଟର ପୂର୍ଣ୍ଣଚନ୍ଦ୍ର ଜେନା, ଦେବାଶିଷ ସିଟ୍, ରାମଚନ୍ଦ୍ର ପ୍ରଧାନ, ଉମାନାଥ ମିଶ୍ର, ନରେନ୍ ସାହୁ, ରାଜକିଶୋର ସାହୁ, କିଶୋର ମହାନ୍ତି, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ସଂଯୋଜକ ପ୍ରବୀର ମହାନ୍ତି, ସତ୍ୟ ଜେନା, ଦୀପ୍ତିମୟୀ ରାୟ, ରଶ୍ମିତା ମଲ୍ଲିକ, କିଶୋର ମହାନ୍ତି, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ସତ୍ୟବ୍ରତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
କବିଙ୍କ ଶ୍ରାଦ୍ଧବାର୍ଷିକୀରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଗାରରେ ଏକ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଭାରପ୍ରାପ୍ତ ଅଧିକାରୀଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । ଏହା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ପଦଯାତ୍ରାର ୮୮ ତମ ବାର୍ଷିକୀର ଉଦଯାପନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶକ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ଅଭିମନୁ୍ୟ ସାମନ୍ତସିଂହାରଙ୍କ ସାମଗ୍ରିକ ଜୀବନ, ଦର୍ଶନ ଓ ତାଙ୍କ ରଚନାବଳୀ ଉପରେ ଆଲୋକପାତ କରିଥିଲେ । ତାଙ୍କ ଅପ୍ରକାଶିତ ରଚନାବଳୀକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପ୍ରକାଶନ ପାଇଁ ନିର୍ଦ୍ଧେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ଗ୍ରନ୍ଥାଗାର, ବିଭିନ୍ନ ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବରେ ପୁସ୍ତକ ପ୍ରଦର୍ଶନୀ ଆୟୋଜନ କରୁଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ଅତିଥି ଭାବରେ ଅଧ୍ୟାପକ କିଶୋର ଚନ୍ଦ୍ର ବେଉରା କବିଙ୍କ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ । ଗ୍ରନ୍ଥାଗାରିକା ସସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର