ଭୁବନେଶ୍ୱର,୦୭/୦୬/୨୦୨୨( ଓଡ଼ିଶା ସମାଚାର )- ଶନିବାର ଓ ରବିବାର ଦୁଇଦିନ ବ୍ୟାପୀ ସ୍ଥାନୀୟ ଡ଼ିଷ୍ଟ୍ରିକ୍ଟ ସେଂଟର ଚନ୍ଦ୍ରଶେଖରପୁର ଭୁବନେଶ୍ୱରସ୍ଥିତ ଶ୍ରୀ ଶ୍ରୀ ବିଶ୍ୱନାଥ ମହାଦେବ ମନ୍ଦିର ପ୍ରାଙ୍ଗଣରେ ୧୩ତମ ଶିବ ବିବାହ ଓ ଶୀତଳ ଷଷ୍ଠୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶିବ ବିବାହ ଦିନ ସକାଳେ ୭ଟାରେ ୭ଜଣ ସ୍ତ୍ରୀଲୋକ କୁଆଖାଇ ନଦୀରୁ କାଣ୍ଡ କଳସୀ ପାଣି ଉଠାଇ ମନ୍ଦିରରେ ମଙ୍ଗଳନ ହାଣ୍ଡି ବସାଇଥିଲେ । ସନ୍ଧ୍ୟା ୭ଟାରୁ ବିବହ କାର୍ଯ୍ୟ ଆରମ୍ଭ ହୋଇ ଦେବ ଦମ୍ପତିଙ୍କର ହସ୍ତଗଣ୍ଠି, ୭.୫୦ ମିନିଟ ରେ ହୋଇଥିବା ସ୍ଥଳେ କଇପୋଡ଼ି, ଜଉ କଉଡ଼ି, ହରିହର ଭେଟ, ସର୍ବ ଦେବାଦେବୀ ଭେଟ କାର୍ଯ୍ୟକ୍ରମ ରାତି ୧୦ ଘଟିକା ମଧ୍ୟରେ ସମାପନ ହୋଇଥିଲା । ବରପିତା ଶ୍ରୀ ବିଶ୍ୱନାଥ ମହାନ୍ତି, ସ୍ତ୍ରୀ ରେବତୀ ଦାଶ, କନ୍ୟାପିତା ଶ୍ରୀ ରବୀନ୍ଦ୍ର ଜେନା, ସ୍ତ୍ରୀ ମାମି ଉପସ୍ଥିତ ଥିଲେ । ବିବାହ ପରେ ୧୦୦ରୁ ଉଦ୍ଧ୍ୱର୍ ସମସ୍ତ ବରଯାତ୍ରୀ ଭୋଜନ କରିଥିଲେ ।
ସେହିପରି ଶୀତଳ ଷଷ୍ଠୀ ୫ ତାରିଖରେ ଶ୍ରୀ ବିଶ୍ୱନାଥ ମହାଦେବଙ୍କର ରୁଦ୍ରାଭିଷେକ, ଷୋଡ଼ଶ ଉପଚାର ପୂଜା, ଅପରାହ୍ନ ୬ ଘଟିକାରୁ ନଗର ପରିକ୍ରମା ଡ଼ିଷ୍ଟ୍ରିକ୍ଟ ସେଂଟରଠାରେ ଆୟୋଜନ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ଉତ୍ସବମୁଖର ହୋଇଥିଲା । ସନ୍ଧ୍ୟା ୭ଟାରୁ ରାତ୍ରି ୯ଟା ପର୍ଯ୍ୟନ୍ତ ଭଜନ ସମାରୋହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଇଂଟର ନ୍ୟାସନାଲ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ଶ୍ରୀ ଦେବେନ୍ଦ୍ର ଦାଶଙ୍କ ସମେତ କୃଷ୍ଣ ମହାପାତ୍ର, ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ । ଚକାନୟନ ଭଜନ ସନ୍ଧ୍ୟାର ସମସ୍ତ ସଙ୍ଗୀତ କଳାକାରମାନେ ଶ୍ରୀ ବସନ୍ତ ଜେନାଙ୍କ ତତ୍ୱାବଧାନରେ ଯୋଗଦେଇ ଭଜନ ପରିବେଷଣ କରିଥିଲେ । ସନ୍ଧ୍ୟା ୭ ଘଟିକାରୁ ପ୍ରସାଦ ସେବନ ହୋଇଥିଲା । ପ୍ରାୟ ୮ଶହରୁ ଉଦ୍ଧ୍ୱର୍ଲୋକ ପ୍ରସାଦ ସେବନ କରିଥିଲେ । ହିନ୍ଦୁ ଦେବୋତର ବିଭାଗ ଟ୍ରଷ୍ଟ ବିଶ୍ୱନାଥ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର