Friday , March 31 2023
Home / ବିଶେଷ / ଭୂତଳ ଜଳସ୍ତର କମିବା ଯୋଗୁ  ପାନୀୟ ଜଳ ସମସ୍ୟା ବଢୁଛି

ଭୂତଳ ଜଳସ୍ତର କମିବା ଯୋଗୁ  ପାନୀୟ ଜଳ ସମସ୍ୟା ବଢୁଛି

ଗରଦପୁର,୦୭/୦୬/୨୦୨୨( ଓଡ଼ିଶା ସମାଚାର )- ଗରଦପୁର ବ୍ଲକ୍ ମହାନଦୀ, ଚିତ୍ରୋତ୍ପଳା ,ପାଇକା,  ଲୁଣା ଓ କରାଣ୍ଡିଆ ତ୍ରିକୋଣଭୂମି ଅଂଚଳକୁ ନେଇ ଗଠିତ । କିଛି ବର୍ଷ ହେବ ଭୂତଳ ଜଳସ୍ତର କମୁଥିବାବେଳେ ପାନୀୟ ଜଳ ସମସ୍ୟା ଏହି ଅଂଚଳରେ ବୃଦ୍ଧି ପାଇବାର ଅନୁଭବ ହେଉଛି । ଏନେଇ ଗରଦପୁର ବ୍ଲକ୍ରେ ଲୋକମାନଙ୍କ ମଧ୍ୟରେ ଦିନକୁ ଦିନ ହତାଶ ଭାବ ସୃଷ୍ଟି ହେଉଛି । ଯେପରିକି ପୂର୍ବରୁ ୪/୫ ଥର ନଳକୂପ ମାରିଲେ ବାଲଟିଏ ପାଣି ହୋଇଯାଉଥିଲା । କିନ୍ତୁ ଏବେ ୧୫/୨୦ ଥର ନଳକୂପ ମାରିଲେ ମଧ୍ୟ ବାଲଟିଏ ପାଣି ବାହାରିବା କଷ୍ଟ ହୋଇପଡୁଛି । ତେଣୁ ଲୋକମାନେ ପାନୀୟ ଜଳ ଯେତେ ସହଜରେ ପାଇପାରୁଥିଲେ ତାହା ଏବେ ଆଉ ସମ୍ଭବ ହେଉନାହିଁ । ଭୂତଳ ଜଳସ୍ତର କମିବା ଏହାର ମୁଖ୍ୟ କାରଣ ବୋଲି ଲୋକମାନେ କହୁଛନ୍ତି । ପାନୀୟ ଜଳ ବିଭାଗ ଓ ପଂଚାୟତିରାଜ ବିଭାଗ ଦ୍ୱାରା ନଳକୂପ ଖନନ, ପାନୀୟ ଜଳ ଯୋଗାଣ କରାଯାଉଥିଲେ ମଧ୍ୟ ତାହାର ସଠିକ୍ ରୂପାୟନ ହୋଇପାରୁନାହିଁ । ଭୂତଳ ଜଳସ୍ତର ବଢାଇବା ପାଇଁ ପୋଖରୀ ଖନନ, ଆଡିବନ୍ଧ ନିର୍ମାଣ ଇତ୍ୟାଦି ଦୀର୍ଘ ମିଆଦି ଯୋଜନା ମାଧ୍ୟମରେ ବର୍ଷାଜଳ ସଂଚୟ କରାଯାଇପାରନ୍ତା । କିନ୍ତୁ ଆଜିକାଲି ବର୍ଷାଜଳ ସଂଚୟ ପରିବର୍ତେ ପୋଖରୀ ଓ ଖାଲ ଜମି ପୋତାଯାଇ ଗୃହନିର୍ମାଣ କରାଯାଉଥିବାର ଦେଖିବାକୁ ମିଳୁଛି । ଯାହାଫଳରେ ବର୍ଷାଜଳ ସଂଚୟ ହୋଇନପାରି ନିମ୍ନଗାମୀ ହୋଇ ବୋହିଯାଉଛି । ସରକାରୀ ସ୍ତରରେ ପୋଖରୀ ଖନନ ଓ ଜଳାଶୟ ଉଦ୍ଧାର କରାଯିବାର ଅନୁଦାନ ଥିଲେ ମଧ୍ୟ ତାହା ଧର୍ମକୁ ଆଖିଠାର ପରି କାର୍ଯ୍ୟ କରାଯାଉଛି । ରକ୍ଷଣାବେକ୍ଷଣ ଅଭାବରୁ ଜଳାଶୟ ଗୁଡିକ ପୋତିହୋଇ ପଡୁଥିବାବେଳେ ତାର ପୁନରୁଦ୍ଧାର କରାଯାଇପାରୁନାହିଁ । ତେବେ ଭୂତଳ ଜଳସ୍ତର ବଢାଇବା ପାଇଁ ବର୍ଷା ଜଳ ହିଁ ନିତ୍ୟାନ୍ତ ଆବଶ୍ୟକ । ଏପରିକି ଏହି ବର୍ଷାଜଳକୁ ଠିକ୍ ସମୟରେ ସଦୁପଯୋଗ କରାଯାଇ ପାରୁନଥିବାରୁ ଭୂତଳ ଜଳ ପୂର୍ଣ୍ଣ ହୋଇନପାରି ତଳକୁ ବୋହିଯାଉଛି । ଆହୁରିମଧ୍ୟ ପୂର୍ବରୁ ଖରା ଦିନରେ ନଦୀଗୁଡିକରେ ପାଣି ରହୁଥିଲା । ଲୋକମାନେ ପାନୀୟ ଜଳ ରୂପେ ବ୍ୟବହାର କରିବା, ଗାଧୁଆ ପାଧୁଆ କରିବା ସହିତ ଗୋରୁଗାଈମାନଙ୍କୁ ଧୋଉଥିଲେ । କିନ୍ତୁ ଏବେ ମହାନଦୀରେ ଆଉ ପୂର୍ବପରି ପାଣି ଆସୁନାହିଁ । ନଦୀ ଗୁଡିକ ପୋତିହୋଇ ପଡିବା ସହିତ ସେଥିରେ ବିଶେଷ ପାଣି ରହୁନାହିଁ । ତେଣୁ ଦ୍ୱିପାଚଂଳ ଭାବେ ପରିଚିତ ଗରଦପୁର ବ୍ଲକ୍ର ଚତୁର୍ଦ୍ଧିଗରେ ନଦୀ ପ୍ରବହମାନ ହେଉଥିଲେ ମଧ୍ୟ ଭୂତଳ ଜଳର ଅଭାବ ଏକ ଚିନ୍ତାଜନକ ପରିସ୍ଥିିତି ସୃଷ୍ଟି କରିଛି । ଆଗକୁ ଜଳ ସଙ୍କଟ ଦେଖାଦେବା ଆଶଙ୍କା କରି ଗରଦପୁର ବ୍ଲକ୍ ଅଂଚଳ ମଧ୍ୟଦେଇ ପ୍ରବାହିତ ହେବା ପରେ ସମୁଦ୍ରରେ ମିଶିଥିବା  ଅସୁିଖୋଳା ନାମକ ଜଳାଶୟ  ଓ ସୁକ ପାଇକା ର ପୁନରୁଦ୍ଧାର କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଏକ ବର୍ଷ ରୁ ଉଦ୍ଧ୍ୱର୍ ସମୟ ହେଲା ଦାବି କରି ଆସୁଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କରାଯାଇ ନାହିଁ । ଆହୁରିମଧ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ସରକାର ପାନୀୟ ଜଳ ଯୋଗାଣ ନାମରେ ପ୍ରତ୍ୟେକ ଗ୍ରାମରେ ଯେତେ ପାଣି ନଷ୍ଟ କରୁଛନ୍ତି, ତାହା ଯେକେହି ଦେଖିଲେ ଜାଣିପାରିବେ । ପାନୀୟ ଜଳ ପ୍ରକଳ୍ପ ନାମରେ ଭୂତଳ ଜଳକୁ ପ୍ରତ୍ୟହ ପାଇପ୍ ଜରିଆରେ ଲୋକଙ୍କୁ ଯୋଗାଣ କରାଯାଉଥିବାବେଳେ ଜଳର ସଠିକ୍ ବିନିଯୋଗ କରାଯାଇପାରୁନାହିଁ । କେଉଁଠି ପାଇପ୍ ଫାଟିଗଲାଣିତ, କେଉଁଠି ଟ୍ୟାପ ନଥିବାରୁ ସର୍ବଦା ପାଣି ଚାଲି ନଷ୍ଟ ହେଉଛି । ଫଳରେ ଭୂତଳ ଜଳ କମୁଥିବାବେଳେ ପାନୀୟଜଳର ସମସ୍ୟା ବୃଦ୍ଧି ପାଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.