ଭୁବନେଶ୍ୱର , ୦୭/୦୬/୨୦୨୨( ଓଡ଼ିଶା ସମାଚାର )- ଭୁବନେଶ୍ୱର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ କଟକ ବାଦାମବାଡି ବସ ଷ୍ଟାଣ୍ଡର ଦୂରତା ୩୦ କି.ମି. । ଧାର୍ଯ୍ୟଭଡ଼ା କିଲୋମିଟର ହିସାବରେ ୮୯ ପଇସା ହିସାବରେ ମୋଟ୍ ରେ ଯାତ୍ରୀମାନେ ଦେବାକଥା ୨୭ ଟଙ୍କା, କିନ୍ତୁ ସେ ବରମୁଣ୍ଡା ହେଉ, କି ସି.ଆର.ପି. ହେଉ, କି, ଆଚାର୍ଯ୍ୟ ବିହାର ହେଉ, ବାଣୀବିହାର ହେଉ ବା ରସୁଲଗଡ଼ ହେଉ, ଯାତ୍ରୀମାନଙ୍କଠାରୁ ଘରୋଇ ବସ୍ ମାଲିକମାନେ ଜବରଦସ୍ତ ୪୦ ଟଙ୍କା ଆଦାୟ କରୁଛନ୍ତି । ଏହାକୁ ନେଇ ଯାତ୍ରୀ ଏବଂ କଣ୍ଡକ୍ଟର କ୍ଲିନରମାନଙ୍କ ଭିତରେ ପାଟିତୁଣ୍ଡ ହେଉଛି । କିଛି ଯାତ୍ରୀଙ୍କୁ ବସ୍ ମାଲିକମାନଙ୍କର ଗୁଣ୍ଡାମାନଙ୍କର ଧମକ ଚମକ ଓ ନିର୍ଯ୍ୟାତନାର ଶିକାର ହେବାକୁ ପଡ଼ୁଛି । ସାଧାରଣ ଯାତ୍ରୀମାନେ ପରିବାର ନେଇ ନିଜ ନିଜ ଗନ୍ତବ୍ୟସ୍ଥଳକୁ “ଆଲୋ ସଖି ଆପଣା ମହତ ଆପେ ରଖି” ନ୍ୟାୟରେ ନିରବରେ ସବୁ ସହିଯାଉଛନ୍ତି । ଖାଲି କଟକ- ଭୁବନେଶ୍ୱର ବସ୍ ଯାତ୍ରୀ ନୁହଁନ୍ତି, କଟକରୁ ଜଗତ୍ସିଂହପୁର ଏବଂ କଟକରୁ ଆଳି, କନିକା, ଚାନ୍ଦବାଲି ଯାଉଥିବା ଯାତ୍ରୀମାନଙ୍କଠାରୁ ଅଧିକା ଭଡ଼ା ଆଦାୟ କରାଯାଉଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୂଆ ମନ୍ତ୍ରୀମାନଙ୍କୁ ଗୋଟିଏ ମନ୍ତ୍ର “ଲୋକଙ୍କ ପାଖକୁ ଯାଅ, ତାଙ୍କ ସମସ୍ୟା ବୁଝ ଓ ସମାଧାନ କର” । ହଜାର ହଜାର ଯାତ୍ରୀ ଦୈନନ୍ଦିନ ବସ୍ ମାଲିକମାନଙ୍କର ଶୋଷଣର ଶିକାର ହେଉଥିଲେ ହେଁ ପରିବହନ ବିଭାଗ ନିଦାବିଷ୍ଣୁ ସାଜିଛି । ଅଧିକ ଭଡ଼ା ଆଦାୟ ହେଉଥିବା ଜାଣି ମଧ୍ୟ ବିଭାଗ ଚୁପ୍ । ଅଧିକ ଭଡ଼ା ନେଉଥିବା ବସ୍ ମାନଙ୍କୁ ଅଚାନକ ତନଖି କରିବା ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା କେଉଁଠି ଦେଖାଯାଉନାହିଁ । ଅଭିଯୋଗ କଲେ ମଧ୍ୟ ଶୁଣିବାକୁ କେହି ନାହିଁ । ତେଣୁ ବାଧ୍ୟହୋଇ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ନୂଆ ଭାବରେ ପରିବହନ ବିଭାଗର ଦାୟିତ୍ୱ ନେଇଥିବା ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଏକ ପତ୍ର ଲେଖାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ଦ୍ୱାରା ଶ୍ରୀମତୀ ସାହୁଙ୍କୁ ଏହି ଲିଖିତ ପତ୍ରରେ ବିଭିନ୍ନ ଲାଇନ ରେ ଚାଲୁଥିବା ଘରୋଇ ବସ୍ ଗୁଡ଼ିକୁ ଅଚାନକ ତନଖବ କରିବା, ଯାତ୍ରୀମାନଙ୍କଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ବସ୍ ଗୁଡ଼ିକର ପରମିଟ୍ ବାତିଲ୍ କରିବା, ସାଧାରଣ ଯାତ୍ରୀଙ୍କୁ ନ୍ୟାୟ ଦେବା କେଉଁ ବସ୍ ସାଧାରଣ କିମ୍ବା ଏକ୍ସପ୍ରେସ୍ ବା ଡିଲକ୍ସ ଏହା ସ୍ପଷ୍ଟଭାବେ ବୋର୍ଡରେ ଲେଖିବା ଏବଂ ବସ୍ ରେ ଭଡ଼ା ଲେଖି ଝୁଲାଇବା ଆଦି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କରନ୍ତି, ତାହେଲେ ବସ୍ ଯାତ୍ରୀମାନଙ୍କର ସ୍ୱାର୍ଥକୁ ଆଖି ଆଗରେ ରଖି ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ବେହେରା ସତର୍କ କରାଇ ଦେଇଛନ୍ତି । ଓଡ଼ିଶା ସମାଚାର
