ଗରଦପୁର,୦୭/୦୬/୨୦୨୨( ଓଡ଼ିଶା ସମାଚାର )- କାଠ ଓ ଅର୍ଥର ଅଭାବ ଯୋଗୁ ଚଳିତ ବର୍ଷ ଗରଦପୁର ରଥ ଯାତ୍ରା ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ସମ୍ପ୍ରତି ମହାମାରୀ କରୋନା ର କଟକଣା କାରଣରୁ ଗତ ଦୁଇ ବର୍ଷ ହେଲା ଏଠାରେ ରଥ ଯାତ୍ରା ବନ୍ଦ ରହିଥିଲା । ଫଳରେ ରଥ ରେ ବ୍ୟବହୃତ କାଠ ଗୁଡ଼ିକ ନଷ୍ଟ ହୋଇ ଯାଇଛି । ଚଳିତ ବର୍ଷ କରୋନା ମହାମାରୀ କଟକଣା କୋହଳ କରାଯାଇଥିଲେ ମଧ୍ୟ ରଥ ନିର୍ମାଣ ପାଇଁ ବହୁ ପରିମାଣର କାଠ ଓ ଅର୍ଥର ଅଭାବ ଦେଖା ଦେଇଛି । ଫଳରେ ଚଳିତ ବର୍ଷ ରଥଯାତ୍ରା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଗରଦପୁର ଠାରେ ଥିବା ହାଟରୁ ଆଦାୟ କରାଯାଉଥିବା ମାହାସୁଲ ଏହି ରଥ ଯାତ୍ରାରେ ଖର୍ଚ୍ଚ କରାଯାଇଥାଏ । କିନ୍ତୁ କରୋନା ମହାମାରୀ କଟକଣା ଯୋଗୁ ହାଟରୁ ମାହାସୁଲ ଆଦାୟ ହୋଇପାରିନାହିଁ । ଏବେ ରଥ ନିର୍ମାଣ କରିବା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କାର କାଠ ଓ ରଥ ନିର୍ମାଣ ଖର୍ଚ୍ଚ ୨ ଲକ୍ଷ ଟଙ୍କା ର ଆବଶ୍ୟକତା ରହିଛି । ମନ୍ଦିର ପ୍ରଶାସନ ନିକଟରେ ଏତେ ପରିମାଣର ଅର୍ଥ ନଥିବା ମନ୍ଦିର ପରିଚାଳକ ଶଭମ ପାଣି କହିଛନ୍ତି । ଜଙ୍ଗଲ ବିଭାଗ କାଠ ଯୋଗାଣ କରିବା ସହିତ ଜିଲା ପ୍ରଶାସନ ଅର୍ଥ ସହାୟତା ଯୋଗାଇ ଦେଇପାରିଲେ ଦୀର୍ଘ ବର୍ଷର ପରମ୍ପରା ଭଙ୍ଗ ହେବାରୁ ରକ୍ଷା ପାଇଯାଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଓଡ଼ିଶା ସମାଚାର