ଭୁବନେଶ୍ୱର,୦୬/୦୬/୨୦୨୨( ଓଡ଼ିଶା ସମାଚାର )- ଏବେ ସାରା ବିଶ୍ୱରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବାରୁ ପରିବେଶବିତ୍ ମାନେ ଚିନ୍ତାପ୍ରକଟ କରିଛନ୍ତି । ପରିବେଶବିତ୍ ମାନଙ୍କ କହିବା ଅନୁସାରେ ବିଶ୍ୱକୁ ପ୍ରଦୂଷଣମୁକ୍ତ କରିବାକୁ ହେଲେ ପ୍ରଚୁର ମାତ୍ରାରେ ବୃକ୍ଷ ରୋପଣ କରି ଏହାର ଯତ୍ନ ନେଇ ଅଧିକ ସଂଖ୍ୟକ ଜଙ୍ଗଲ ସୃଷ୍ଟି କରିବାକୁ ପଡ଼ିବ । ଏହାକୁ ଦୃଷ୍ଟିରେ ରଖି ନ୍ୟାସନାଲ ହକର୍ସ ଫେଡ଼େରେସନ ଓ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ଟ୍ରଷ୍ଟର ମିଳିତ ଉଦ୍ୟମରେ ୟୁନିଟ୍-୧ଠାରୁ ଉଠାଦୋକାନୀମାନଙ୍କ ୫୦ଜଣିଆ ସାଇକେଲ ଶୋଭାଯାତ୍ରାରେ ବାହାରି ହାତରେ ପ୍ଲାକାର୍ଡ଼ ଧରି ରାଜମହଲ ଦେଇ ଇନ୍ଦିରା ଗାନ୍ଧୀ ପାର୍କ ଦେଇ ବିଧାୟକ କଲୋନୀଠାରେ ଗଛ କଟାଯାଇଥିବା ସ୍ଥାନ ପାଖରେ ପହଂଚିଥିଲେ । ସେଠାରେ ପ୍ରଦୂଷଣମୁକ୍ତ ଭାରତ ଆମର ଦରକାର, ପରିବେଶକୁ ଧ୍ୱଂସ କରିବା ଚଳିବ ନାହି, ଗଛକାଟା ବନ୍ଦ କରିବା ଆମର ଦାବି, ଗଛ କାଟି ମୁନାଫା କମାଇବା ଚଳିବ ନାହିଁ ଆଦି ସ୍ଲୋଗାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାସଂଘର ସଭାପତି ପ୍ରତାପ କୁମାର ସାହୁ, ସାଧାରଣ ସମ୍ପାଦକ ଅନୁଜ ପ୍ରଧାନ, ଗୀତା ବିଶ୍ୱାସ ପ୍ରମୁଖ ଯୋଗଦେଇ ପରିବେଶ ଉପରେ ନିଜର ମତାମତ ରଖିଥିଲେ । ଓଡ଼ିଶା ସମାଚାର