କେନ୍ଦ୍ରାପଡ଼ା, ୦୬/୦୬/୨୦୨୨( ଓଡ଼ିଶା ସମାଚାର )-ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ, କେନ୍ଦ୍ରାପଡ଼ା ବ୍ଲକ ଶାଖା ପକ୍ଷରୁ ଆପେକ୍ସ ପବ୍ଲିକ ସ୍କୁଲ ନିକଟସ୍ଥ ସଭାଗୃହରେ ଏକ ବୈଠକ ବ୍ଲକ ସଂଘର ସଭାପତି ବିଶ୍ୱବଂଧୁ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବ୍ଲକ ସଂଘର ସଂପାଦକ ସେକ୍ ଖତିବ୍ ବାର୍ଷିକ ବିବରଣୀ ଓ ସମ୍ପାଦକୀୟ ପାଠକରି ଆଜିର ସଭାର ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକାରୀ ସଭାପତି ଏମଡ଼ି ଅସଗର ଅଲ୍ଲୀ, ସଂଗଠନ ସଂପାଦକ ଏମଡି ଫୟାଜୁଦ୍ଧିନ, ଉପ-ସଭାପତି ମନୋରଂଜନ ମହାପାତ୍ର, ସହସଂପାଦିକା ମଂଜୁଲତା ବେହେରା ଆଦି ପୁରୁଣା ପେନସନ୍ ଦାବି ହାସଲ କରିବା ସଂପର୍କରେ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସଂଘର ସଭାପତି ଅନନ୍ତ କୁମାର ପରିଡ଼ା ସଂଗଠିତ ଶକ୍ତି ଆଗରେ ସରକାର ଦାବି ମାନିବା ପାଇଁ ଅନେକ ଦୁଷ୍ଟାନ୍ତ ଅତୀତରେ ଅଛି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଠିକା ନିଯୁକ୍ତିର ନିୟମିତକରଣ ଓ ସରକାରୀ ସେବାରେ ବିଭିନ୍ନ ସୁବିଧା ହାସଲ ଏହି ସଂଘର ନେତୃତ୍ୱରେ ସଂପନ୍ନ ହୋଇଛି ବୋଲି ଉଦବୋଧନ ଦେଇଥିଲେ । ଜିଲ୍ଲା ସଂଘର ସାଧାରଣ ସଂପାଦକ ଅଶ୍ୱିନୀ କୁମାର ରାଉତ ତାଙ୍କ ବକ୍ତବ୍ୟରେ କହିଥିଲେ ଏନ.ଏମ.ଓ.ପି.ଏସ. ଛାତ ତଳେ ଓଡ଼ିଶାର ସମସ୍ତ ଏନ.ପି.ଏସ. କର୍ମଚାରୀ ଏକତ୍ରିତ ହୋଇ ଏହି ପୁରୁଣା ପେନସନ ହାସଲ ଦାବି ନିଶ୍ଚୟ ପୂରଣ ହେବ ଯାହାକି ଓଡ଼ିଶାର ବିଭିନ୍ନ ବ୍ଲକରେ ଓ ଜିଲ୍ଲାସ୍ତରରେ ଆନ୍ଦୋଳନ ଦାନା ବାନ୍ଧୁଛି ଦୈନିକ ଖବରକାଗଜରେ ସ୍ଥାନ ପାଉଛି । ଏଣୁ ନିଜର ହକ୍ ପାଇଁ ସମସ୍ତେ ଏକଜୁଟ୍ ହୋଇ ବ୍ଲକ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦୁର୍ବାର ଆନ୍ଦୋଳନକୁ ଗଢ଼ିତୋଳିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଲାସଂଘର ଉପ-ସଭାନେତ୍ରୀ କାକୁଲି ମଲ୍ଳିକ, କୋଷାଧ୍ୟକ୍ଷ ଖଗେଶ୍ୱର ସାମଲ, ଦୀପକ ବେହେରା, ବୀରବର ଦାସ, ଶ୍ରୀଧର ବେହେରା ପ୍ରମୁଖ ଆନ୍ଦୋଳନକୁ ତୀବ୍ରତର କରିବାକୁ ବକ୍ତବ୍ୟ ରଖିଥିଲେ । ଖୁବ୍ ଶୀଘ୍ର ବ୍ଲକସ୍ତରରେ ବିଭାଗୀୟ ଅଧିକାରୀଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଦାବିପତ୍ର ପଠାଯିବ ବୋଲି ନିଷ୍ପତି ନିଆଗଲା । ଏଥିରେ ଶତାଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି ସେମାନଙ୍କର ବିଭିନ୍ନ ଦାବିଗୁଡ଼ିକ ବ୍ଲକସ୍ତରରେ ସମାଧାନ ପାଇଁ ବ୍ଲକ ସଂଘକୁୁ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମତବ୍ୟକ୍ତ କରିଥିଲେ । ଅବସର ପରେ ପୁରୁଣା ପେନସନ୍ ପାଇବା ପାଇଁ ଛତିଶଗଡ଼, ରାଜସ୍ଥାନ, ପଶ୍ଚିମବଙ୍ଗ, ଗୋଆ ଭଳି ରାଜ୍ୟ ନୀତି ପ୍ରଣୟନ କରିସାରିଥିଲେ ହେଁ ଓଡ଼ିଶା ସରକାର ଏଦିଗରେ ଦାବି ପୂରଣର ନିଷ୍ପତି ନନେବା ପର୍ଯ୍ୟନ୍ତ ଆନ୍ଦୋଳନ ତୀବ୍ରତର ହେବ ବୋଲି ଉପସ୍ଥିତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏକ ସ୍ୱରରେ ମତବ୍ୟକ୍ତ କରିଥିଲେ । ସର୍ବଶେଷରେ ଉପ-ସଭାପତି ମନୋରଂଜନ ମହାପାତ୍ର ଧନ୍ୟବାଦ ଅର୍ପଣକରିଥିଲେ । ଓଡ଼ିଶା ସମାଚାର