ଭୁବନେଶ୍ୱର,୦୬/୦୬/୨୦୨୨(ଓଡ଼ିଶା ସମାଚାର )- ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସୂର୍ୟ୍ୟକ୍ଷେତ୍ର ଫାଉଣ୍ଡେସନର ସାଧାରଣ ସମ୍ପାଦିକା ଡ଼ଃ ସୁକାନ୍ତି ମିଶ୍ରଙ୍କୁ ଚଳିତ ବର୍ଷ ପ୍ରକୃତି ମିତ୍ର ପୁରସ୍କାର ରେ ପୁରସ୍କୃତ କରାଯାଇଅଛି । ସାମାଜିକ ଅନୁଷ୍ଠାନ ସୂର୍ୟ୍ୟକ୍ଷେତ୍ର ଫାଉଣ୍ଡେସନ ଦୀର୍ଘ ଦିନ ହେବ ଜଙ୍ଗଲ ଓ ପରିବେଶ ସୁରକ୍ଷା ଦିଗରେ କାମ କରିଆସୁଅଛି । ସାଧାରଣ ସମ୍ପାଦିକା ଡ଼ଃ ସୁକାନ୍ତି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ ସହ ବ୍ୟାପକ ଜନସଚେତନତା କାର୍ୟ୍ୟକ୍ରମମାନ ଆୟୋଜନ କରାଯାଉଅଛି । ବିଶେଷ କରି କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଂଚଳରେ ବ୍ୟାପକ ଜଙ୍ଗଲ କ୍ଷୟ ଓ ପରିବେଶ ଅସନ୍ତୁଳନତା ଉପରେ ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରି ସ୍ଥାନୀୟ ଲୋକଙ୍କୁ ଏଥିରେ ସାମିଲ କରି ପରିବେଶ ସୁରକ୍ଷାକୁ ଏକ ଜନଆନ୍ଦୋଳନରେ ପରିଣତ କରିପାରିଛନ୍ତି ଡ଼ଃ ସୁକାନ୍ତି ମିଶ୍ର ।
ପରିବେଶ ସୁରକ୍ଷା ଦିଗରେ ସାରା ବିଶ୍ଵବାସୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ ମାସ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଇ ଆସୁଅଛି । ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ରବୀନ୍ଦ୍ର ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା ମୁଖ୍ୟ ତିଥି ଭାବେ ଯୋଗ ଦେଇ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ସ୍ୱରୂପ ୨୦ ହଜାର ଅର୍ଥରାଶି ଦେଇ ପୁରସ୍କୃତ କରିଥିଲେ । ସୂର୍ୟ୍ୟକ୍ଷେତ୍ର ଫାଉଣ୍ଡେସନ ଜରିଆରେ ଡ଼ଃ ସୁକାନ୍ତି ମିଶ୍ରଙ୍କ ପରିବେଶ ସୁରକ୍ଷା ପ୍ରତି ନିଷ୍ଠାପର କାର୍ୟ୍ୟକୁ ସ୍ୱୀକୃତି ସ୍ୱରୂପ ତାଙ୍କୁ ଏହି ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାରରେ ପୁରସ୍କୃତ କରାଯାଇଛି । ପୁରସ୍କାର ମିଳିବା ପରେ ନିଜ ପ୍ରତିକ୍ରିୟାରେ ଡ଼ଃ ମିଶ୍ର କହିଛନ୍ତି କି, ପୁରସ୍କାର ମିଳିବା ପରେ ଏବେ ଦାୟିତ୍ୱ ଆହୁରି ବଢିଗଲା । ସୂର୍ୟ୍ୟକ୍ଷେତ୍ର ଫାଉଣ୍ଡେସନ ସହ ଜଡିତ ସମସ୍ତ ବ୍ୟକ୍ତିବିଶେଷ ଏଥିପାଇଁ ଧନ୍ୟବାଦର ପାତ୍ର ଜ୍ଝ ଆଗାମୀ ଦିନରେ ପରିବେଶ ସୁରକ୍ଷା ଦିଗରେ ଆମେ ଆହୁରି ଅଧିକରୁ ଅଧିକ କାର୍ୟ୍ୟକ୍ରମ ହାତକୁ ନେବା ସହ ପୂର୍ବଭଳି ନିଷ୍ଠାପର ଭାବେ କାମ କରିଚାଲିବୁ ।
ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି ସମାରୋହରେ ଓଡ଼ିଶା ଜୈବବିବିଧତା ବୋର୍ଡ଼ର ଅଧକ୍ଷ ତଥା ସେଣ୍ଟର ଫର ଏନଭାଇରନୋ ମେଣ୍ଟାଲ ଷ୍ଟଡ଼ିଜର ନିର୍ଦ୍ଦେଶକ ଶ୍ରୀ ରାଜୀଵ କୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀ ସୁଶାନ୍ତ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।