Friday , March 31 2023
Home / ବିଶେଷ / ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କୁ ନେଇ ନୂଆ ସମସ୍ୟା – ନକଲି ୱେବ୍ ସାଇଟ୍ ରେ ଠକେଇ ଚାଲିଛି -ସତର୍କ ରହିବାକୁ ପରିବହନ ବିଭାଗର ପରାମର୍ଶ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ କୁ ନେଇ ନୂଆ ସମସ୍ୟା – ନକଲି ୱେବ୍ ସାଇଟ୍ ରେ ଠକେଇ ଚାଲିଛି -ସତର୍କ ରହିବାକୁ ପରିବହନ ବିଭାଗର ପରାମର୍ଶ

ଭୁବନେଶ୍ୱର,୦୫/୦୬/୨୦୨୨( ଓଡ଼ିଶା ସମାଚାର )- ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ ଏସ୍ ଆରପି)କୁ ଜନତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଏବେ ମାଳ ମାଳ ନକଲି ୱେବ୍ ସାଇଟ୍ ଠାବ ହେଲାଣି। ନକଲି ୱେବ୍ ସାଇଟ୍ ଖୋଲି ଏଚ୍ ଏସ୍ ଆରପି ଯୋଗାଇ ଦିଆଯାଉଛି ବୋଲି ଦାବି କରାଯାଉଛି। ନମ୍ବର ପ୍ଲେଟ୍ ହୋମ୍ ଡେଲିଭରି ହୋଇପାରିବ ବୋଲି ମଧ୍ୟ କୁହାଯାଇଛି। ଜୋରିମାନା ଏଡ଼ାଇବା ପାଇଁ ଅନେକ ଲୋକ ନକଲି ୱେବ୍ ସାଇଟ୍ ର ଚକ୍ରବ୍ୟୁହରେ ପଡ଼ିଯାଉଛନ୍ତି। ଠକାମୀରେ ପଡ଼ିଥିବା ଜାଣି କିଛି ଲୋକ ପରିବହନ ବିଭାଗର ଦୃଷ୍ଟି ଆର୍ଷଣ କରିବା ପରେ ଏହି ଘଟଣା ନଜରକୁ ଆସିଛି। ନକଲି ୱେବ୍ ସାଇଟ୍ ସମ୍ପର୍କରେ ଖୋଦ୍ ପରିବହନ ବିଭାଗ ସୂଚନା ଦେଇଛି।

୨୦୧୯, ଏପ୍ରିଲ ୧ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିରେ ଏଚ୍ ଏସ୍ ଆରପି ଲଗାଇବା ଜରୁରୀ। ରାଜ୍ୟରେ ପ୍ରାୟ ୪୦ ଲକ୍ଷ ଗାଡ଼ିରେ ନୂଆ ନମ୍ବର ପ୍ଲେଟ୍ ଲାଗିବ। ତେବେ ବିଭାଗ ସ୍ପଷ୍ଟ କରି ଦେଇଛି ଯେ କେବଳ ଏସ୍ ଆଇଏଏମ୍ ଡଟ୍ ଆଇଏନ୍ ୱେବ୍ ସାଇଟ୍ କିମ୍ବା ଓଡ଼ିଶା ଟ୍ରାନ୍ସପୋର୍ଟ ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ ସାଇଟ୍ କୁ ଯାଇ ଏଚ୍ ଏସ୍ ଆରପି ପାଇବା ପାଇଁ ବୁକିଂ କରିବା ଆବଶ୍ୟକ। ଏହା ବ୍ୟତୀତ ଅନ୍ୟ କୌଣସି ମାଧ୍ୟମରେ ନମ୍ବର ପ୍ଲେଟ୍ ପାଇଁ ଆବେଦନ କରାଯାଇ ପାରିବ ନାହିଁ। କିଛି ଦିନ ତଳେ ଏ ନେଇ ଗଣମାଧ୍ୟମରେ ଏହାର ବ୍ୟାପକ ପ୍ରଚାର ପ୍ରସାର କରାଯାଇଛି। ଜୁନ୍ ୧ ତାରିଖରେ ଆବେଦନ ଆରମ୍ଭ ହୋଇଛି। କିନ୍ତୁ ହୁଏତ ସବୁ ଲୋକଙ୍କ ପାଖରେ ଏହି ସୂଚନା ପହଞ୍ଚି ପାରି ନାହିଁ। ଏହାର ସୁଯୋଗ ନେଇ କିଛି ଖଳ ପ୍ରକୃତିର ଲୋକ ନକଲି ୱେବ୍ ସାଇଟ୍ ଖୋଲି ଲୋକଙ୍କୁ ଠକିବା ଆରମ୍ଭ କରି ଦେଇଛନ୍ତି। କିଛି ଲୋକଙ୍କ ଠାରୁ ୨/୩ ହଜାର ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ, ଓଡ଼ିଶା ପରିବହନ ବିଭାଗର ନାମ ରହୁଛି। ଏ ସମ୍ପର୍କିତ କିଛି ସରକାରୀ ନିର୍ଦ୍ଦେଶନାମା ମଧ୍ୟ ନକଲି ୱେବ୍ ସାଇଟ୍ ରେ ଉଲ୍ଲେଖ ରହିଛି। ଏପରିସ୍ଥଳେ ସଠିକ୍ ସୂଚନା ସମ୍ପର୍କରେ ଅଜ୍ଞ ବ୍ୟକ୍ତି ଏସବୁ ୱେବ୍ ସାଇଟ୍ ର ମାୟା ଜାଲରେ ପଡ଼ିଯାଉଛନ୍ତି। ଏଥିରୁ ଅନେକ ନକଲି ୱେବ୍ ସାଇଟ୍ ରାଜ୍ୟ ବାହାରର ବୋଲି ଜଣାପଡ଼ିଛି। ୱେବ୍ ସାଇଟ୍ ର ନାମ ଭିନ୍ନ ଭିନ୍ନ ଥିବା ବେଳେ ସେଥିରେ କେବଳ ଏଚ୍ ଏସ୍ ଆରପି ଉଲ୍ଳେଖ ରହୁଛି। ଫଳରେ ଗୁଗୁଲ୍ ରେ ଟାଇପ୍ କରିବା ମାତ୍ରେ ନକଲି ୱେବ୍ ସାଇଟ୍ ଆସି ଯାଉଥିବା ଅଭିଯୋଗ ହେଉଛି।

ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଯେ ନିର୍ଦ୍ଦେଶନାମା ପ୍ରକାଶ ପାଇବା ପରେ ପରିବହନ ବିଭାଗ ଅବା ଏସ୍ ଆଇଏଏମ୍ ୱେବ୍ ସାଇଟ୍ ରେ ଓଡ଼ିଶାର ୨୨ ହଜାରରୁ ଅଧିକ ଗାଡ଼ି ମାଲିକ ଏଚ୍ ଏସ୍ ଆରପି ପାଇଁ ଆବେଦନ କରି ସାରିଲେଣି। ଏହି ଦୁଇ ୱେବ୍ ସାଇଟ୍ ଦ୍ୱାରା ହିଁ ନମ୍ବର ପ୍ଲେଟ୍ ପାଇଁ ଆବେଦନ କରାଯାଉଛି ଏବଂ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଆବେଦନ ପ୍ରକ୍ରିୟା ସମ୍ପର୍କରେ ଏଥିରେ ସମ୍ପୂର୍ଣ୍ଣ ସୂଚନା ରହିଛି। ଏସ୍ ଆଇଏମ୍ ୱେବ୍ ସାଇଟ୍ ରେ ହେଲ୍ପ ଲାଇନ୍ ନମ୍ବର ମଧ୍ୟ ରହିଛି। ସେହିପରି ଏଚଏସ୍ ଆରପି ଯୋଗାଣ ପାଇଁ ନିର୍ଦ୍ଧିଷ୍ଟ ସଂସ୍ଥାଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟ କେହି ନମ୍ବର ପ୍ଲେଟ୍ ଯୋଗାଇ ପାରିବେ ନାହିଁ। ତେଣୁ ଅନ୍ୟ ୱେବ୍ ସାଇଟ୍ ରେ ଆବଦନ ନକରି ଓଡ଼ିଶା ପରିବହନ ବିଭାଗ କିମ୍ବା ଏସ୍ ଆଇଏମ୍ ୱେବ୍ ସାଇଟ୍ ବ୍ୟବହାର କରିବା ଜରୁରୀ ବୋଲି କୁହାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.