ଗରଦପୁର,୦୫/୦୬/୨୦୨୨( ଓଡ଼ିଶା ସମାଚାର )- ୧୦ ଗୁଂଠ ଜମିରେ ବେଉଷଣ କରାଯାଇ ଚାଷ କରାଯାଇଛି ବାଇଗଣ । ସ୍ଥାନୀୟ ହାଟ ବଜାରରେ ବାଇଗଣ ପରିବା ଯୋଗାଇ ଦେବା ସହିତ କେନ୍ଦ୍ରାପଡ଼ା, ପାରାଦୀପକୁ ଯୋଗାଣ ହେଉଛି ଫ୍ରେସ ବାଇଗଣ ପରିବା । ପ୍ରତ୍ୟେକ ଦିନ ତୋଳା ଯାଉଛି କୁଇଂଟାଲ କୁଇଂଟାଲ ବାଇଗଣ । ଏହି ପରିବା ଚାଷ କରିଛନ୍ତି ୬ ଜଣ ଯୁବ ଶିକ୍ଷିତ ଚାଷୀ । ଏମାନେ ସମସ୍ତେ ସ୍ଥାନୀୟ ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ଗ୍ରାମର ଏକ ପ୍ରତିଷ୍ଠିତ କୃଷକ କ୍ଲବ ର ସଦସ୍ୟ । ହରିପୁର, ବେହୁଳ ଓ ତିକନପୁର ଗ୍ରାମର ୨୦ ଜଣ ସଦସ୍ୟଙ୍କୁ ନେଇ ୨୦୦୫ ମସିହାରେ ପ୍ରତିଷ୍ଠା ହୋଇଥିଲା କୃଷକ କ୍ଲବ୍ । କୃଷକ କ୍ଲବ ର ପ୍ରତିଷ୍ଠାତା ଥିଲେ ସ୍ୱର୍ଗତ ସୁରେଶ ଚନ୍ଦ୍ର ରାଉତ । ସେ ଏକାଧାରରେ ଜଣେ ସ୍ଥାନୀୟ ଜନ ପ୍ରତିନିଧି, କବି, ଲେଖକ ଓ ସୁ ସାହିତ୍ୟିକ ସାଙ୍ଗକୁ ଜଣେ ସମାଜ ଦେବୀ ଥିଲେ । କୃଷି ଓ କୃଷକର ଉନ୍ନତି ପାଇଁ କୃଷକ ବ୍ଲକ୍ ଟିଏ ଗଠନ କରିଥିଲେ । ତାଙ୍କ ପ୍ରେରଣା ଓ ଉତ୍ସାହ ପାଇ ଗାଁ ର ଯୁବକ ଓ କୃଷକ ମାନେ ବହୁ ସମୟରେ ଅନୁପ୍ରାଣିତ ହୋଇ କୃଷି ବୈଜ୍ଞାନିକ ଙ୍କ ସହଯୋଗ ଓ ପରାମର୍ଶ ରେ ଚାଷ କାର୍ଯ୍ୟ କରିଆସିଥାନ୍ତି । ସେହି ପରିପ୍ରେକ୍ଷିରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି କୃଷକ କ୍ଲବ ପକ୍ଷରୁ ବାଇଗଣ ଚାଷ କରାଯାଇଛି । ଏହି ସଦସ୍ୟ ମାନଙ୍କ ମଧ୍ୟରେ ବହୁ ଶିକ୍ଷିତ ଯୁବ ବର୍ଗ ଅଛନ୍ତି । ଡ଼କ୍ତର ଅମିୟ ରଂଜନ ରାଉତ ଙ୍କ ସମେତ ଯୁବ ଚାଷୀ ତୈଲୋକନ୍ୟ ନାଥ ବିଶ୍ୱାଳ,ଅଭୟ ସାହୁ, ଜଟାଧାରୀ ବେହେରା, ସର୍ବେଶ୍ୱର ରାଉତ, ଚନ୍ଦ୍ରମଣି ରାଉତ ପ୍ରମୁଖ ଚାଷୀ ମାନଙ୍କ ସହିତ ମିଶି ୮ ଗୁଂଠ ଜମିରେ ତାରେଣି ଓ ୨ ଗୁଂଠରେ ଜେକେ କିଶମ ବାଇଗଣ ଚାଷ କରିଛନ୍ତି । ରୋଗପୋକ ଦମନ ସହିତ ରିତିମତ ଜଳ ଯୋଗାଇ ଓ ବେଉଷଣ କରିଛନ୍ତି । ଯାହା ଫଳରେ ଗତ ୩ ମାସ ହେଲା ଏହି ଜମିରେ ପ୍ରଚୁର ବାଇଗଣ ପରିବା ଅମଳ ହେଉଛି । ଯାହା ଅଂଚଳର ଅନ୍ୟ ଚାଷୀମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଭାବରେ ଉଦାହରଣ ସୃଷ୍ଟି କରିଛି । ପ୍ରତ୍ୟେକ ଦିନ ବାଇଗଣ ତୋଳାଯାଇ ସ୍ଥାନୀୟ ପୁନ୍ଦାଳ,ତିକନପୁର, କଳାବୁଦା, ଗରଦପୁର , ପାଟକୁରା , ନୂଆପଡ଼ା ସାପ୍ତାହିକ ହାଟକୁ ଯୋଗାଇ ଦିଆଯାଉଥିବାବେଳେ କେନ୍ଦ୍ରାପଡ଼ା ଗୋପ ହାଟ ଓ ପାରାଦୀପ ନୂଆ ବଜାରକୁ ମଧ୍ୟ ପଠାଯାଉଛି । ଏହି ବାଇଗଣ ଚାଷରେ ବେଶ ଦୁଇ ପଇସା ଲାଭ ବି ହେଉଛି ।
ଏହି ଚାଷ ରେ ଅଗଦୂତ ସାଜିଥିବା ଆୟୁଷ ଡ଼ାକ୍ତର ଶ୍ରୀ ରାଉତ କହନ୍ତି ଯେ ଗତ ମାର୍ଚ ମାସରେ ଏହି ବାଇଗଣ ଚାଷ ଆରମ୍ଭ ହୋଇଛି । ମେଁ ୧ମ ସପ୍ତାହରୁ ବାଇଗଣ ଅମଳ ଓ ବିକ୍ରିବଟା ଚାଲିଛି । ଏହି ବାଇଗଣ ଚାଷରେ ଆଜି ସୁଦ୍ଧା ବ୍ଲବ ପକ୍ଷରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ବାଇଗଣ ପରିବା ବିକ୍ରି କରାଯାଇ ୧୭ ହଜାର ଟଙ୍କା ଆୟ ହୋଇଛି । ଶିକ୍ଷିତ ଯୁବ ବର୍ଗ ଚାକିରୀ ପାଇଁ ବାହାରକୁ ନଯାଇ ଆର୍ଥିକ ସଶକ୍ତ ଓ ଆତ୍ମ ନିର୍ଭର ଶିଳ ହେବା ପାଇଁ କୃଷି ଓ ବିଶେଷକ କରି ପରିବା ଚାଷ ଉପରେ ନିର୍ଭର କଲେ ଜୀବ ଜିଇବାରେ ଓ ପରିବାର ପ୍ରତିପୋଷଣ କରିବାରେ କିଛି ଅସୁବିଧା ହେବ ନାହିଁ । ଓଡ଼ିଶା ସମାଚାର