କଟକ,୦୨/୦୬/୨୦୨୨(ଓଡ଼ିଶା ସମାଚାର )- ମହିଳାମାନଙ୍କୁ ସ୍ୱାବଲମ୍ବୀ, ରୋଜଗାରକ୍ଷମ ଓ ସଶକ୍ତ କରିବାର ଲକ୍ଷ୍ୟ ନେଇ ରାଜ୍ୟ ସରକାର ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି। ଆଜି ଦିନରେ କଟକ ଜିଲ୍ଲାର ୩ ଲକ୍ଷ ୫୫ ହଜାର ମହିଳାଙ୍କୁ ମିଶାଇ ଓଡ଼ିଶାର ୭୦ ଲକ୍ଷ ମହିଳା ମିଶନ ଶକ୍ତି ବିଭାଗ ଜରିଆରେ ବିଭିନ୍ନ ଯୋଜନାରେ ଉପକୃତ ହୋଇଆସୁଛନ୍ତି। ମହିଳାଙ୍କ ସ୍ବାବଲମ୍ବନ ଓ ସ୍ୱାଧୀନତାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି ବୋଲି ବାରବାଟୀ ପ୍ୟାଲେସ୍ ଠାରେ ଆୟୋଜିତ ଦିନିକିଆ କର୍ମର୍ମଶାଳାରେ ଅତିଥିମାନେ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି।
ଏସ୍ ଏଚ୍ ଜି ମହିଳାଙ୍କ ଭାଗିଦାରୀ ଏହି କାର୍ଯ୍ୟକ୍ରମକୁ କେବଳ ସୃଦୁଢ କରିନି ବରଂ ସେମାନଙ୍କ ଆର୍ଥିକ ଅବସ୍ଥାକୁ ମଜବୁତ କରିବା ସଙ୍ଗେସଙ୍ଗେ ସାମାଜିକ ଜୀବନରେ ସେମାନଙ୍କୁ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ଦେଇପାରିଛି। ସେମାନେ ବିଭିନ୍ନ ବ୍ୟବସାୟ ପାଇଁ ନେଉଥିବା ଆର୍ଥିକ ଋଣର ସୁଧକୁ ମଧ୍ୟ ରାଜ୍ୟ ସରକାର ଭରଣା କରୁଛନ୍ତି। ପୂର୍ବପ୍ରଚଳିତ ନିୟମକୁ କୋହଳ କରାଯାଇ ହିତାଧିକାରୀଙ୍କ ଜମା ଖାତାକୁ ସୁଧ ସମ୍ବନ୍ଧିତ ଭରଣା ରାଶି ବ୍ୟାଙ୍କକୁ ଯିବା ପରିବର୍ତ୍ତେ ସିଧାସଳଖ ହିତାଧିକାରୀଙ୍କ ଜମା ଖାତାକୁ ପ୍ରେରଣ କରାଯାଉଛି। ଗୋଟିଏ ଛାତ ତଳେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୱାଡକମିଟି, ସିଟିକମିଟି, ଜିଲ୍ଲାସ୍ତରୀୟ କମିଟିର କାର୍ଯ୍ୟକ୍ରମକୁ ଏକତ୍ରିତ କରି ସମୀକ୍ଷା କରାଯିବା ସହ କାର୍ଯ୍ୟାନ୍ବୟନ ପଦ୍ଧତି ସ୍ଥିରିକୃତ କରାଯାଉଛି ବୋଲି କର୍ମଶାଳାରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପ୍ରକାଶ କରିଛନ୍ତି।
ଅନ୍ୟତମ ଅତିଥି ତଥା ମିଶନ-ଶକ୍ତିକ୍ତି ବିଭାଗର ଯୁଗ୍ମ ସଚିବ ବିନୋଦ ଜେନା କର୍ମଶାଳାରେ କହିଲେ ଯେ ମା’ମାନଙ୍କ ଉପରେ ସଂପୂର୍ଣ୍ଣ ଆସ୍ଥା ଓ ବିଶ୍ବାସ ପ୍ରକଟ କରି ସେମାନଙ୍କୁ ମାଲିକାନା, ପରିଚାଳନା, ବିପଣନ ଆଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସଂସ୍ଳିଷ୍ଟ କରି ସ୍ୱାବଲମ୍ବୀ କରାଯାଇ ପାରିଥିବାରୁ ମିଶନ-ଶକ୍ତି ସମଗ୍ର ଭାରତ ବର୍ଷରେ ସ୍ବତନ୍ତ୍ର ସଫଳତା ଲାଭ କରିପାରିଛି। ଆହାର କେନ୍ଦ୍ରଠାରୁ ଆରମ୍ଭକରି ମଧ୍ୟାନ୍ନ ଭୋଜନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଏସଏଚଜିର ନିୟୋଜନ ସେମାନଙ୍କୁ ପ୍ରୋତ୍ସାହିତ କରିବା ସହ ମିଶନ-ଶକ୍ତିକୁ ଅଧିକ ସୁଦୃଢ କରିଛି ଏବଂ ଓଡିଶା ଜୀବିକା ମିଶନ କାର୍ଯ୍ୟକ୍ରମକୁ ମିଶନ-ଶକ୍ତି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ। ଅତିଥି ଭାବେ ଯୋଗଦେଇ ମିଶନ-ଶକ୍ତି ବିଭାଗର ସ୍ଵତନ୍ତ୍ର ଅଧିକାରୀ ସୁଧାଂଶୁ ଶେଖର ନାୟକ କହିଲେ ଯେ ଏସ୍ ଏଚ୍ ଜିର କାର୍ଯ୍ୟକର୍ତ୍ତା ତଥା ସଭ୍ୟାଙ୍କଠାରୁ ସେମାନଙ୍କ ଅଭିଜ୍ଞତା ସମ୍ବନ୍ଧରେ ସବିଶେଷ ତଥ୍ୟ ଆହରଣ ପରେ ପରବର୍ତ୍ତୀ ଆଭିମୁଖ୍ୟ ସମ୍ପର୍କରେ ଆକଳନ କରାଯିବ। କଟକ ମହାନଗର ନିଗମର ଉପଆୟୁକ୍ତ ଶ୍ବେତପଦ୍ମା ଶତପଥୀ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ ଏସଏଚଜି ଯୋଜନାରେ ସଂପୃକ୍ତ କରି ସଫଳତା ହାସଲ କରିହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲଳାଟେନ୍ଦୁ ମହାପାତ୍ର କହିଲେ ଯେ କଟକ ଜିଲ୍ଲାର ଏସ୍ ଏଚ୍ ଜିକୁ ପ୍ରୋତ୍ସାହିତ କରିବା ନିମନ୍ତେ ସେମାନଙ୍କ ସଫଳ କାହାଣୀଗୁଡିକୁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ୍ୟୁ ସଂସ୍କରଣରେ ପର୍ଯ୍ୟାୟକ୍ରମେ ପ୍ରକାଶିତ କରିବା ପାଇଁ ପ୍ରଯତ୍ନ କରାଯିବ। ଯାହାଫଳରେ ସେମାନଙ୍କ ସଫଳ କାହାଣୀରେ ଅନୁପ୍ରାଣିତ ହୋଇ ଅନେକ ମହିଳା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ। ମିଶନ-ଶକ୍ତି ବିଭାଗର କର୍ମଶାଳା ବିଶେଷଜ୍ଞ ସୌମ୍ୟରଞ୍ଜନ ସ୍ବାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ସ୍ବାଗତିକା ପରିଡା କର୍ମଶାଳା ପରିଚାଳନା କରିଥିଲେ। ସୂଚନାଯୋଗ୍ୟ, କାର୍ଯ୍ୟକ୍ରମରେ ଶତାଧିକ ଏସଏଚଜି କର୍ମର୍ମକର୍ତ୍ତା ଓ ସଭ୍ୟା ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର