ପାରାଦୀପ,୦୨/୦୬/୨୦୨୨( ଓଡ଼ିଶା ସମାଚାର )- ପାରାଦୀପ ସହରରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହେଲାଣି । ପାରାଦୀପର ଅଠରବାଙ୍କୀ ଠାରୁ ନେହେରୁ ବଙ୍ଗଳା, ଅଠରବାଙ୍କୀ ଠାରୁ ଦୋଛକି, ଟର୍ମିନାଲ ଛକରୁ ରଙ୍ଗିଆଗଡ, ଦୋଛକିରୁ ଭୂତମୁଣ୍ଡାଇ ପର୍ଯ୍ୟନ୍ତ ରାସ୍ତା ଏବେ ଭାରିଯାନ ଦଖଲରେ । ରାସ୍ତା କଡରେ ମାଳମାଳ ଟ୍ରକ୍ ସମେତ ଅନ୍ୟ ଭାରିଯାନ ରାସ୍ତାରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି । ସାଧାରଣ ଲୋକ ଏହି ରାସ୍ତାରେ ଯିବାଆସିବା କରିବା ବେଳକୁ ଭଗବାନଙ୍କୁ ଡାକି ଯାଆଆସ କରୁଛନ୍ତି । ବିଗତ ୫ ବର୍ଷର ରିପୋର୍ଟରୁ ଜଣାପଡେ ଯେ, ସଡକ ଦୂର୍ଘଟଣାରେ ପ୍ରାୟ ୬୨ ଜଣଙ୍କର ମୃତ୍ୟୁ ଘଟିଲାଣି । କେତେଯେ ଦୂର୍ଘଟଣାରେ ଅର୍କମଣ୍ୟ ହେଲେଣି ତାର ହିସାବ ନାହିଁ । ପାରାଦୀପର ବିଭିନ୍ନ ଗଣଅନୁଷ୍ଠାନ ପକ୍ଷରୁ ପାରାଦୀପର ଏହି ଅବ୍ୟବସ୍ଥିତ ଟ୍ରାଫିକ୍ ସମସ୍ୟାର ସମାଧାନ ଏବଂ ରାସ୍ତା ପାଶ୍ୱର୍ ଜବରଦଖଲ ଉଛେଦ ପାଇଁ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ହେଲେ ଆଜି ଯାଏ ଏହି ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ । ଏହି ସମସ୍ୟାକୁ ପ୍ରତିଦିନ ଗଣମାଧ୍ୟମରେ ସ୍ଥାନିତ କରୁଥିବା ପାରାଦୀପର ଗଣମାଧ୍ୟମର ପ୍ରତିନିଧି ତଥା କାର୍ଯ୍ୟରତ ସାମ୍ବାଦିକମାନେ ଗୁରୁତ୍ୱର ସହ ନେଇଛନ୍ତି । ଏହି ସମସ୍ୟାର ଆଶୁ ସମାଧାନ ନିମନ୍ତେ ଏକ ଦାବିପତ୍ର ଗୁରୁବାର ଦିନ ଜଗତସିଂହପୁରର ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ପ୍ରଦାନ କରିବାକୁ ନିଷ୍ପତିି ନେଇଥିଲେ । ଏହିକ୍ରମରେ କାର୍ଯ୍ୟରତ ସାମ୍ବାଦିକମାନେ ଗୁରୁବାର ଦିନ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଆଗାମୀ ୭ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଯଦି ଏ ଦିଗରେ କୌଣସି ପଦକ୍ଷେପ ନ ନିଏ ତେବେ ପାରାଦୀପର କାର୍ଯ୍ୟରତ ସାମ୍ବାଦିକମାନେ ବାଧ୍ୟ ହୋଇ ଜାତୀୟ ରାଜପଥ ଅବରୋଧ କରିବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବିପତ୍ର ଗୁରୁବାର ଦିନ ପ୍ରଦାନ କରିବା ସମୟରେ ଉପସ୍ଥିତ ରହିବାକୁ ବୁଧବାର ଦିନ ପାରାଦୀପର ଅତିରିକ୍ତ ଜିଲ୍ଲାପାଳଙ୍କୁ କୁହାଯାଇଥିଲା । ହେଲେ ପାରାଦୀପର କାର୍ଯ୍ୟରତ ସାମ୍ବାଦିକମାନେ ନିର୍ଦ୍ଧାରିତ ସମୟରେ ପାରାଦୀପର ଏହି ଅବ୍ୟବସ୍ଥିତ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିବାକୁ ଯିବା ବେଳେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ନଥିଲେ । ପାରାଦୀପ ଏକ ଆର୍ନ୍ତଜାତୀୟ ବନ୍ଦର ହୋଇଥିବା ବେଳେ ଏହାର ଉନ୍ନତି ପାଇଁ କାର୍ଯ୍ୟରତ ସାମ୍ବାଦିକଙ୍କ ଦାବିପତ୍ର ଗ୍ରହଣ କରିବାକୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁପସ୍ଥିତି ପ୍ରଶାସନିକ ଉଦାସୀନତାର ଏକ ନଗ୍ନ ନମୁନା ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର