Friday , March 31 2023
Home / ରାଜନୀତି / ନବୀନ ଙ୍କ ରାଜନୈତିକ ଜୀବନ ର୨୫ ବର୍ଷ : ଶୁଭେଚ୍ଛା ଜଣାଇଲେ ଦଳୀୟ ନେତୃବୃନ୍ଦ

ନବୀନ ଙ୍କ ରାଜନୈତିକ ଜୀବନ ର୨୫ ବର୍ଷ : ଶୁଭେଚ୍ଛା ଜଣାଇଲେ ଦଳୀୟ ନେତୃବୃନ୍ଦ

ଭୁବନେଶ୍ୱର,୦୨/୦୬/୨୦୨୨( ଓଡ଼ିଶା ସମାଚାର )-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୀବନ ୨୫ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ବିଜୁ ଜନତା ଦଳର ନେତୃବୃନ୍ଦ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ୧୯୯୭ ମସିହା  ଜୁନ୍ ପହିଲା ରେ   ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ପଟ୍ଟନାୟକ ଜାତୀୟ ରାଜନୀତିରେ ଜଣେ ଧୂରୀଣ ବ୍ୟକ୍ତିତ୍ୱର ପରିଚୟ ପାଇଛନ୍ତି। ଏହି ଅବସରରେ   ଦଳର ସାଂସଦ, ବିଧାୟକ, ମନ୍ତ୍ରୀ ଓ ଛାମୁଆ ସଂଗଠନର କର୍ମକର୍ତ୍ତା ନବୀନ ନିବାସରେ ପହଞ୍ଚି ତାଙ୍କର ଭୂରିଭୂରି ପ୍ରଶଂସା କରିବା ସହିତ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ‘ଆମ ସିଏମ୍ , ଆମ ହିରୋ’ ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇଥିଲା। ବାସଭବନରୁ ବାହାରି ଆସି ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ କର୍ମୀକର୍ମୀଙ୍କ ଶୁଭେଚ୍ଛା ଗ୍ରହଣ କରିବା ସହିତ ଆପଣମାନଙ୍କ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଥିଲେ। ସମୂହ ଉଦ୍ୟମ ଯୋଗୁଁ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବଳ ହୋଇପାରିଛି। ଏହି ସଫଳତାର ଶ୍ରେୟ ଆପଣମାନଙ୍କର ବୋଲି କହିବାକୁ ଶ୍ରୀ ପଟ୍ଟନାୟକ ଭୁଲି ନ ଥିଲେ। ବିଜେଡି ସୁପ୍ରିମୋ ଆହୁରି କହିଥିଲେ, ରାଜ୍ୟବାସୀ ଆମ ଦଳ ଉପରେ ଯେଉଁ ଆସ୍ଥା ପ୍ରକଟ କରି ଚାଲିଛନ୍ତି ତାହା ସର୍ବଦା ଅକ୍ଷୁଣ୍ଣ ରହିବା ଆବଶ୍ୟକ। ଦଳର ପ୍ରତ୍ୟେକ ନେତା ଓ କର୍ମୀ ଉତ୍ସର୍ଗୀକୃତ ଭାବେ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା କରନ୍ତୁ। ମିଳିତ ଭାବେ ରାଜ୍ୟର ବିକାଶ ପାଇଁ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ନବୀନ ନିବାସ ଠାରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଟୁକିନି ସାହୁ, ବିଧାୟକ ଶଶୀ ଭୂଷଣ ବେହେରା, ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ପ୍ରାର୍ଥୀ ମାନସ ରଞ୍ଜନ ମଙ୍ଗରାଜ, ଡ଼ ସସ୍ମିତ ପାତ୍ର, ସୁଲତା ଦେଓ, ବିଧାୟକ ପ୍ରତାପ କେଶରୀ ଦେବ, ସ୍ନେହାଙ୍ଗିନୀ ଛୁରିଆ, ପ୍ରଣବ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ଦେବୀ ରଞ୍ଜନ ତ୍ରିପାଠୀ, ରାଜେନ୍ଦ୍ର ସାହୁ, ସୁଶାନ୍ତ ରାଉତ, ବିଏମ୍ ସି ମେୟର ସୁଲୋଚନା ଦାସଙ୍କ ସମେତ ଦଳୀୟ ନେତୃବୃନ୍ଦ, କର୍ପୋରେଟର, ଦଳୀୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.