ଭୁବନେଶ୍ୱର,୦୧/୦୬/୨୦୨୨( ଓଡ଼ିଶା ସମାଚାର )- ‘ସବ୍ କା ସାଥ ସବ୍ କା ବିକାଶ’ କଥା କହୁଥିବା ମୋଦି ସରକାର ଯେତେବେଳେ ୮ ବର୍ଷର ପୂର୍ତି ପାଳନ କରୁଛନ୍ତି, ସେହି ସମୟରେ ସରକାରଙ୍କର ଭୁଲ୍ ନୀତି ଯୋଗୁଁ ଓଡ଼ିଶାରେ ୨୦ ହଜାର ପରିବାରର ଜୀବିକା ଉଜୁଡି ଯିବାକୁ ବସିଛି । ଏଠାରେ ଉଲ୍ଲେଖଥାଉକି, ଜୁନ୍ ୧ ତାରିଖରୁ ସରକାର ହାଇ ସିକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍.ଏସ୍.ଆର.ପି.) ନମ୍ବର ପ୍ଲେଟ୍ ଲଗାଇବାକୁ ଯାଉଛନ୍ତି । ୨୦୧୯ ଏପ୍ରିଲ୍ ପହିଲା ପୂର୍ବରୁ ରେଜିଷ୍ଟ୍ରେସନ୍ ହୋଇଥିବା ସମସ୍ତ ଦୁଇଚକିଆ, ତିନିଚକିଆ ଓ ଚାରିଚକିଆ ଯାନର ରେଜିଷ୍ଟ୍ରେସନ୍ ପ୍ଲେଟ୍ ବଦଳ ଦେଇ ୨୦୨୨ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ନୂଆ ନମ୍ବର ପ୍ଲେଟ୍ ଲାଗିବ । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୪୫ଲକ୍ଷ ପୁୁରୁଣା ଗାଡ଼ି ରେଜିଷ୍ଟ୍ରେସନ୍ ହୋଇଛି, ଏ ସବୁକୁ ବଦଳଯାଇ ନୂଆ ନମ୍ବର ଦିଆଯିବ । ସେଥିପାଇଁ ଗ୍ରାହକମାନଙ୍କୁ ପୁରୁଣା ଦୁଇଚକିଆ ଗାଡ଼ି ପାଇଁ ୩୦୦ ରୁ ୫୦୦ ଟଙ୍କା, ତିନିଚକିଆ ଗାଡ଼ି ପାଇଁ ୭୦୦ରୁ ୧୦୦୦ ଟଙ୍କା ଏବଂ ଚାରି ଚକିଆ ଗାଡ଼ି ପାଇଁ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଲାଗିବ ବୋଲି ଗାଡ଼ି ବିକ୍ରି କରୁଥିବା ବିଭିନ୍ନ ଡିଲରମାନେ ପ୍ରକାଶ କରିଛନ୍ତି । କିନ୍ତୁ ପରିବହନ ବିଭାଗ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଧିଷ୍ଟ ତଥ୍ୟ ଦେଇନାହିଁ । ଓଡ଼ିଶାରେ ମାତ୍ର ୪ଟି କମ୍ପାନୀକୁ ଏହି ନୂଆ ହାଇସିକୁ୍ୟରିଟି ରେଜିଷ୍ଟ୍ରେସନ୍ ପ୍ଲେଟ ଲଗାଇବା ଦାୟିତ୍ୱ ଦିଆଯାଇଛି । ଫଳରେ ନମ୍ବର ପ୍ଲେଟ୍ ଲେଖୁଥିବା ପାଖାପାଖି ରାଜ୍ୟର ୨୦ ହଜାର ପରିବାରର ଜୀବନ ଜୀବିକା ଆଜି ଉଜୁଡିଯିବାକୁ ବସିଛି । ଯେହେତୁ ୪ଟି କମ୍ପାନୀ ଏହାର ଡିଲରସିପ୍ ନେଇଛନ୍ତି, ତାହା ଫଳରେ ଗାଡ଼ି ମାଲିକମାନେ କେବଳ ସେହିମାନଙ୍କଠାରୁ ନିଜର ଗାଡ଼ି ରେଜିଷ୍ଟ୍ରେସନ୍ କରାଇବେ । ଫଳରେ ଯେଉଁ ପେନ୍ଟରମାନେ ନମ୍ବର ପ୍ଲେଟ୍ ଲେଖୁଥିଲେ, ଗାଡ଼ିର ଷ୍ଟିକରିଂ କରୁଥିଲେ ସେମାନେ ନିଜର ଜୀବିକା ହରାଇବାର ଆଶଙ୍କାକୁ ଏଡ଼ାଇ ଦେଇପାରିବେ ନାହିଁ ବୋଲି ସମାଜବାଦୀ ପାର୍ଟି ରାଜ୍ୟସଭାପତି ରବି ବେହେରା ଅଭିଯୋଗ କରିଛନ୍ତି । ଏହି ପେନ୍ଟରମାନଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ସରକାର ଅବିଳମ୍ବେ ସାମାଜିକ ସୁରକ୍ଷା ଯୋଜନା ପ୍ରଣୟନ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି । ବିଶେଷତଃ କେନ୍ଦ୍ର ସରକାର ଯେତେବେଳେ ନୂଆ ଭାରତର ନୂଆ ବିକାଶର ନାରା ଦେଉଛନ୍ତି, ଏବଂ ନିଜର ୮ବର୍ଷର ପୂର୍ତି ଉପଲକ୍ଷେ ସାରା ଦେଶର ୭୫ଟି ଯାଗାରେ ନିଜର କୃତିତ୍ୱ ବଖାଣିବା ପାଇଁ ଓ ପାରଦର୍ଶିତ ଦେଖାଇବାକୁ ସମ୍ମିଳନୀମାନ ଆୟୋଜନ କରି ସବୁ ବର୍ଗର ବିକାଶ ପାଇଁ ବାହାସ୍ପଷ୍ଟ ମାରୁଛନ୍ତି, ସେହି ସମୟରେ ରାଜ୍ୟର ପେନ୍ଟର ଓ ଷ୍ଟିକରିଂରେ ନିୟୋଜିତ ୨୦ ହଜାର ପରିବାର ଖାଇବା ପତ୍ରରେ ଧୂଳି ପକାଇବା ସରକାରଙ୍କର ଝିନ୍ଟିକା ମାରି ବଣି ପୋଷିବା ନୀତି ବୋଲି ଶ୍ରୀ ବେହେରା କହିଛନ୍ତି । ତୁରନ୍ତ ଏହି ପେନ୍ଟର ପରିବାରକୁ ବିକଳ୍ପ ଥଇଥାନ ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି । ଓଡ଼ିଶା ସମାଚାର